ଦୁଷ୍କର୍ମ ଅଭିଯୁକ୍ତଙ୍କ ଗିରଫ ଦାବିରେ ୨୪ ଟ୍ରାନ୍ସଜେଣ୍ଡରଙ୍କ ଆତ୍ମହତ୍ୟା ଉଦ୍ୟମ

ଇନ୍ଦୋର: ଦୁଷ୍କର୍ମ ଅଭିଯୁକ୍ତଙ୍କ ଗିରଫ ଦାବିରେ ମଧ୍ୟପ୍ରଦେଶର ଇନ୍ଦୋରରେ ୨୪ ଜଣ ଟ୍ରାନ୍ସଜେଣ୍ଡର ଗତ ବୁଧବାର ଗଣ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି. ସୂଚନା ଅନୁସାରେ, ମଧ୍ୟପ୍ରଦେଶର ଇନ୍ଦୋରର ନନ୍ଦଲାଲପୁରା ଅଞ୍ଚଳରେ ପ୍ରାୟ ୨୪ ଜଣ ଟ୍ରାନ୍ସଜେଣ୍ଡର ଫିନାଇଲ୍ ଭଳି କିଛି ପଦାର୍ଥ ପିଇ ଆତ୍ମହତ୍ୟାର ଉଦ୍ୟମ କରିଛନ୍ତି.
ପୋଲିସ ଡେପୁଟି କମିଶନର (ଡିସିପି) ଆନନ୍ଦ କଳାଡଗି ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି ଯେ, ଯେଉଁମାନେ ଫିନାଇଲ ଭଳି ପଦାର୍ଥ ପିଇଥିଲେ ସେମାନଙ୍କୁ ତୁରନ୍ତ ମହାରାଜା ଯଶୱନ୍ତରାଓ ହସ୍ପିଟାଲକୁ ପଠାଯାଇଥିଲା। ସେ କହିଛନ୍ତି ଯେ ବର୍ତ୍ତମାନ ପାଇଁ ସେମାନଙ୍କ ଅବସ୍ଥା ସ୍ଥିର ଅଛି। ବୁଧବାର ରାତି ୮.୩୦ ପାଖାପାଖି ଏହି ଘଟଣାଟି ଘଟିଥିଲା.
ସୂଚନାଯୋଗ୍ୟ ନନ୍ଦଲାଲପୁରା ‘କିନ୍ନର’ ଡେରା ସହିତ ଜଡିତ ନେହା କୁନୱାର ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଦୁଇଜଣ ବ୍ୟକ୍ତି – ଅକ୍ଷୟ କୁମାଓଁ ଏବଂ ପଙ୍କଜ ଜୈନ – ଯେଉଁମାନେ ନିଜକୁ ସାମ୍ବାଦିକ ବୋଲି ଦାବି କରିଥିଲେ, ସେମାନେ ଜଣେ ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କୁ ଦୁଷ୍କର୍ମ କରିବା ସହ ବ୍ଲାକମେଲ୍ ଏବଂ ଧମକ ଦେଇଥିଲେ। ଯାହା ପରେ ପୀଡିତା ଅଭିଯୋଗ ଦାଖଲ କରିଥିଲେ। ପରେ ଅଭିଯୁକ୍ତଙ୍କ ଗିରଫ ଦାବିରେ ଏହିଭଳି ଉଦ୍ୟମ
କରାଯାଇଛି।
ଡିସିପି କାଲାଗଡି କହିଛନ୍ତି , ନନ୍ଦଲାଲପୁରାର ଏକ ଘରେ ଯେଉଁଠାରେ ଟ୍ରାନ୍ସଜେଣ୍ଡରମାନେ ରୁହନ୍ତି ସେଠାରେ ହଙ୍ଗାମା ହୋଇଥିବା ସୂଚନା ପାଇଥିଲୁ। ଆମର ବରିଷ୍ଠ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଜାଣିବାକୁ ପାଇଥିଲେ ଯେ କିଛି ବ୍ୟକ୍ତି ଫିନାଇଲ ଭଳି ପଦାର୍ଥ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବୋଲି ଅନୁମାନ କରାଯାଉଛି। ଯାହା ଫଳରେ ସେମାନଙ୍କ ମଧ୍ୟରୁ ଅନେକ ଅସୁସ୍ଥ ହୋଇପଡ଼ିଛନ୍ତି। ତୁରନ୍ତ ଆମ୍ବୁଲାନ୍ସ ଡକାଯାଇଥିଲା ଏବଂ ଚବିଶ ଜଣଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବା ପରେ ସେମାନଙ୍କର ବୟାନ ରେକର୍ଡ କରାଯିବ ଏବଂ ଘଟଣାର କାରଣ ଜଣାପଡିବ।