“ମୁଁ ତୁମକୁ ଭଲ ପାଉଥିବାରୁ ମୋ ସ୍ତ୍ରୀକୁ ହତ୍ୟା କରିଛି।” ଏକାଧିକ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖବା ପାଇଁ ପତ୍ନୀଙ୍କୁ ହତ୍ୟା କରିଛନ୍ତି ଡାକ୍ତର
        ବାଙ୍ଗାଲୁର,୪|୧୧: ଡାକ୍ତରଙ୍କୁ ଭଗବାନଙ୍କର ଦ୍ଵିତୀୟ ରୂପ ବୋଲି କୁହାଯାଏ | କିନ୍ତୁ ବେଙ୍ଗାଲୁରରେ ଏଭଳି ଏକ ଦୁଖଦଃ ଘଟଣା ଘଟିଛି ଯାହା ବିଷୟରେ ଶୁଣିଲେ ଆପଣ ସ୍ତବ୍ଧ ହୋଇଯିବେ | ଅକ୍ଟୋବରରେ ବେଙ୍ଗାଲୁରୁ ପୁଲିସ ଡାକ୍ତର ମହେନ୍ଦ୍ର ରେଡ୍ଡି ଜିଏସ୍ ଙ୍କୁ ତାଙ୍କ ପତ୍ନୀଙ୍କୁ ଘାତକ ଇଞ୍ଜେକ୍ସନ ଦେଇ ହତ୍ୟା କରିଥିବା ଅଭିଯୋଗରେ ଅକ୍ଟୋବର ୧୪ ତାରିଖରେ ଉଡୁପି ଜିଲ୍ଲାର ମଣିପାଲରୁ ଗିରଫ କରିଥିଲା। ବର୍ତ୍ତମାନ ଏହି ହତ୍ୟା ଘଟଣାର ଆଉ ଏକ ଖୁଲାସା କରିଛି ପୋଲିସ | ଅଭିଯୁକ୍ତ ଡାକ୍ତର ଜଣଙ୍କ ପତ୍ନୀଙ୍କୁ ହତ୍ୟା କରିବା ପରେ ଏକାଧିକ ମହିଳାଙ୍କୁ ମେସେଜ କରିଥିବାର ସୂଚନା ରହିଛି | ତେବେ “ମୁଁ ତୁମ ପାଇଁ ମୋ ସ୍ତ୍ରୀକୁ ହତ୍ୟା କରିଛି।” ଭଳି ମେସେଜ ଏକାଧିକ ମହିଳାଙ୍କୁ ପଠାଇ ପ୍ରଲୋଭନ ଦେଉଥିଲେ ଡାକ୍ତର ମହେନ୍ଦ୍ର ରେଡ୍ଡି |
ଅଭିଯୁକ୍ତ ଡାକ୍ତରଜଣଙ୍କ ହେଉଛନ୍ତି ମହେନ୍ଦ୍ର ରେଡ୍ଡୀ ଜିଏସ୍। ସେ ତାଙ୍କ MBBS-MD ପତ୍ନୀ ଡାକ୍ତର କୃତିକା ରେଡ୍ଡୀଙ୍କୁ Anesthetic Drugର ଇଞ୍ଜେକ୍ସନ ଦେଇ ତାଙ୍କ ମୃତ୍ୟୁକୁ ସ୍ୱାଭାବିକ ଭାବରେ ଦର୍ଶାଇବାକୁ ଚେଷ୍ଟା କରିଥିଲେ | ମୁଖ୍ୟ ଅଭିଯୁକ୍ତ ଡାକ୍ତର ମହେନ୍ଦ୍ର ରେଡ୍ଡି ଜିଏସ୍ ତାଙ୍କ ପତ୍ନୀଙ୍କ ମୃତ୍ୟୁର ସପ୍ତାହ ପରେ, ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିବା ଜଣେ ଡାକ୍ତରୀ ବୃତ୍ତିଗତଙ୍କ ସମେତ ଅତି କମରେ 4-5 ଜଣ ମହିଳାଙ୍କୁ ଏହି ଗୁପ୍ତ ଏବଂ ଧମକପୂର୍ଣ୍ଣ ବାର୍ତ୍ତା ପଠାଇଥିଲେ।
ଏବେ ଜେଲରେ ଥିବା ମହେନ୍ଦ୍ର ସ୍ବୀକାର କରିଛି ଯେ, ତାଙ୍କର ଅନ୍ୟ ମହିଳାଙ୍କ ସହ ସମ୍ପର୍କ ଥିଲା। ବିବାହ ପରେ ବି ସେ ଅନ୍ୟ ମହିଳାଙ୍କୁ ପ୍ରେମ ନିବେଦନ କରୁଥିଲେ। କୃତିକାଙ୍କୁ ହତ୍ୟା କରିବା ପରେ ସେ ୬-୭ଜଣ ମହିଳାଙ୍କୁ ‘ତୁମକୁ ଭଲ ପାଉଥିବାରୁ ମୋ ପତ୍ନୀଙ୍କୁ ହତ୍ୟା କରିଛି।’ ଭଳି ମେସେଜ କରିଥିଲେ, ଏହି ସମାନ ମେସେଜ ସେ ୬-୭ଜଣ ମହିଳାଙ୍କୁ ପଠାଇଥିବା କହିଛି ପୁଲିସ। ଏହି ମହିଳାମାନଙ୍କ ସହ ସେ ପତ୍ନୀଙ୍କ ହତ୍ୟା ପୂର୍ବରୁ କଥା ହେଉଥିବା ବେଳେ ତାଙ୍କୁ ହତ୍ୟା କରିବା ପରେ ବି କଥା ହେବା ଜାରି ରଖିଥିଲେ।
ପୋଲିସ କହିଛି ଯେ ମହେନ୍ଦ୍ର ଏକାଧିକ ମେସେଜିଂ ପ୍ଲାଟଫର୍ମରେ ତାଙ୍କୁ ବ୍ଲକ୍ କରିବା ପରେ ଡିଜିଟାଲ୍-ପେମେଣ୍ଟ ଆପ୍ ମାଧ୍ୟମରେ ‘ତୁମ ପାଇଁ ମୁଁ ମୋ ସ୍ତ୍ରୀକୁ ହତ୍ୟା କରିଛି’ ବୋଲି ମହିଳା ମାନଙ୍କୁ ମେସେଜ କରିଥିଲେ। ପୋଲିସ ତାଙ୍କ ମୋବାଇଲ୍ ଫୋନ୍ ଏବଂ ଲାପଟପ୍ ଜବତ କରି ଫୋରେନସିକ୍ ସାଇନ୍ସ ଲାବୋରେଟୋରୀକୁ ପଠାଇଛି। ତଥ୍ୟରୁ ମହିଳାଙ୍କ ନିକଟକୁ ତାଙ୍କର ମେସେଜ୍ କରିଥିବା ଜଣାପଡ଼ିଥିଲା। ଡେପୁଟି କମିଶନର ଅଫ୍ ପୋଲିସ (ହ୍ୱାଇଟ୍ଫିଲ୍ଡ) କେ ପରଶୁରାମ ନିଶ୍ଚିତ କରିଛନ୍ତି ଯେ ମେସେଜଗୁଡ଼ିକ ଡିଜିଟାଲ୍-ପେମେଣ୍ଟ ଆପ୍ ଫୋନ ପେ ମାଧ୍ୟମରେ ପଠାଯାଇଥିଲା। ମହିଳାଙ୍କ ବୟାନ ରେକର୍ଡ କରାଯାଇଛି, କିନ୍ତୁ ତଦନ୍ତ ପ୍ରକ୍ରିୟା ଚାଲିଥିବାରୁ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଆସି ନାହିଁ |
ମହିଳା ଜଣକ ପୋଲିସକୁ କହିଛନ୍ତି ଯେ, କୃତିକାଙ୍କ ସହ ତାଙ୍କ ବିବାହ ବିଷୟରେ ଜାଣିବା ପରେ ମହିଳା ଜଣକ ତାଙ୍କଠାରୁ ଦୂରେଇ ରହିଲେ। ତଥାପି, ସେ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିବାର କିଛି ମାସ ପରେ ତାଙ୍କ ପ୍ରସ୍ତାବକୁ ଗ୍ରହଣ କରିବା ପାଇଁ ମେସେଜ କରିଥିଲେ। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ମହେନ୍ଦ୍ର ହତ୍ୟା ଅଭିଯୋଗରେ ଗିରଫ ନହେବା ପର୍ଯ୍ୟନ୍ତ, ମହିଳା ଜଣକ ଧରି ନେଇଥିଲେ ଯେ ସେ କେବଳ ତାଙ୍କ ସହିତ କଥା ହେବା ଉଦ୍ଦେଶ୍ୟରେ ହତ୍ୟା ନେଇ ମିଛ କହୁଛନ୍ତି | କିନ୍ତୁ ଏହି ଅପରାଧିକ ମାମଲାରେ ମହିଳାଙ୍କ କୌଣସି ଭୂମିକା ନାହିଁ। ତଦନ୍ତକାରୀ ଅଧିକାରୀମାନେ ଜାଣିବାକୁ ପାଇଲେ ଯେ ମହେନ୍ଦ୍ର ୨୦୨୩ ପର୍ଯ୍ୟନ୍ତ ମୁମ୍ବାଇର ଜଣେ ମହିଳାଙ୍କ ସହ ମଧ୍ୟ ସମ୍ପର୍କରେ ଥିଲେ। ସେ ତାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ ଏବଂ ଅନେକ ଥର ତାଙ୍କୁ ଭେଟିଥିଲେ। ତେବେ ପରେ ସେ ତାଙ୍କ ସହ ଯୋଗାଯୋଗରେ ନଥିଲେ। ଏବଂ ତାଙ୍କ ଜ୍ୟୋତିଷ ଚାର୍ଟ ଅନୁସାରେ ତାଙ୍କର ପ୍ରଥମ ପତ୍ନୀଙ୍କ ମୃତ୍ୟୁ ହେବାକୁ ଯାଉଥିଲା। ମହେନ୍ଦ୍ର ତାଙ୍କୁ କହିଥିଲେ ଯେ,ସେ ତାଙ୍କୁ ମିଛ କହି କୃତିକାଙ୍କୁ ବିବାହ କରିଛନ୍ତି। ଯେହେତୁ ତାଙ୍କ ସ୍ତ୍ରୀ ଏବେ ମୃତ, ସେଥିପାଇଁ ସେ ତାଙ୍କୁ ବିବାହ କରିବାକୁ ଚାହାଁନ୍ତି ବୋଲି କହିଥିଲେ।

                        