ପାକିସ୍ତାନରେ ନେପାଳ ଭଳି ପରିସ୍ଥିତି, ରାଜରାସ୍ତାରେ Gen Z ମାନଙ୍କର ଆନ୍ଦୋଳନ
ଇସଲାମାବାଦ,୭।୧୧: ପାକିସ୍ତାନ ଅଧୀନରେ ଥିବା (ପିଓକେ)ରେ ଶହ ଶହ ଯୁବକ ଏକ ମାସରୁ କମ ସମୟ ମଧ୍ୟରେ ଦ୍ୱିତୀୟ ଥର ପାଇଁ ରାଜରାସ୍ତାରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି | ରିପୋର୍ଟ ଅନୁସାରେ ଏଥର, Gen Z ପିଓକେରେ ହୋଇଥିବା ଆନ୍ଦୋଳନର ନେତୃତ୍ୱର ଭାର ହାତକୁ ନେଇଛନ୍ତି | ପାକିସ୍ତାନର ଶହବାଜ ସରିଫ ସରକାରଙ୍କ ବିରୁଦ୍ଧରେ ପିଓକେରେ ଏହି ଆନ୍ଦୋଳନ ମୁଜାଫରାବାଦ ବିଶ୍ୱବିଦ୍ୟାଳୟରୁ ଆରମ୍ଭ ହୋଇଥିଲା, ଯେଉଁଠାରେ ଛାତ୍ରମାନେ ଫିରେ ବୃଦ୍ଧି ଏବଂ ଉନ୍ନତମାନ ଶିକ୍ଷା ଵ୍ୟଵସ୍ଥାରେ ସୁବିଧା ପାଇଁ ଆନ୍ଦୋଳନ କରିଥିଲେ।
ରିପୋର୍ଟ ହୋଇଛି ଯେ, ଆନ୍ଦୋଳନ ପ୍ରାଥମିକ ସ୍ତରରେ ବହୁତ ଶାନ୍ତିପୂର୍ଣ୍ଣ ଥିଲା, କିନ୍ତୁ କୌଣସି ଜଣେ ଅଜ୍ଞାତ ବ୍ୟକ୍ତି ଗୁଳି ଚଳାଇବା ପରେ ଆନ୍ଦୋଳନ ଆହୁରି ହିଂସାତ୍ମକ ହୋଇଥିଲା| ଘଟଣାରେ ଜଣେ ଛାତ୍ର ଆହତ ହୋଇଥିବା ଜଣାପଡ଼ିଛି | ଛାତ୍ରମାନେ ଉତ୍ତ୍ୟକ୍ତ ହୋଇ ଟାୟାର ଜାଳି ବିରୋଧ କରିଛନ୍ତି | ଏବଂ ବିଭିନ୍ନ ସ୍ଥାନରେ ନିଆଁ ଲଗାଇଦେବା ସହିତ ଅନେକ ମୂଲ୍ୟବାନ ସମ୍ପତ୍ତିକୁ କ୍ଷତି ପହଞ୍ଚାଇଛନ୍ତି।
ଏହି ହିଂସାତ୍ମକ ପ୍ରତିବାଦର ଅନେକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି | ଛାତ୍ରମାନେ ଉତ୍ତେଜିତ ହୋଇ ଶହବାଜ ସରିଫ ସରକାରଙ୍କ ବିରୁଦ୍ଧରେ ସେମାନଙ୍କର କ୍ରୋଧ ପ୍ରକାଶ କରୁଥିବାର କିଛି ଭିଡିଓରେ ଦେଖାଯାଇଛି। ଇଣ୍ଟରନେଟରେ କିଛି ଭାଇରାଲ ପୋଷ୍ଟରେ ଦାବି କରାଯାଇଛି ଯେ, ବାଂଲାଦେଶ ଏବଂ ନେପାଳ ପରେ ପିଓକେରେ Gen Z ଆନ୍ଦୋଳନ ଏବେ ପାକିସ୍ତାନ ସରକାର ବିରୁଦ୍ଧରେ ଏବଂ ସେନା ପାଇଁ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି।
ଉଲ୍ଲେଖନୀୟ ଯେ, ପ୍ରଥମ ବର୍ଷର ଇଂଟରନାଲ ପରୀକ୍ଷାର ଫଳାଫଳ ଅକ୍ଟୋବର ୩୦ରେ ପ୍ରକାଶିତ ହୋଇଥିଲା। କେତେଜଣ ଛାତ୍ର କମ ନମ୍ବର ପାଇଥିବା ଯୋଗୁ ବିଶ୍ୱବିଦ୍ୟାଳୟ ପ୍ରଶାସନ ଉପରେ କ୍ଷୋଭ ପ୍ରକାଶ କରିଥିଲେ। ଅଭିଯୋଗ ହେଉଛି ଯେ,ଅନେକ ଛାତ୍ର ଏପରି ବିଷୟଗୁଡ଼ିକରେ ପାସ ହୋଇଥିଲେ ଯାହା ପାଇଁ ସେମାନେ ପରୀକ୍ଷା ଦେଇ ନଥିଲେ। ଏହା ପରେ ଛାତ୍ରମାନେ ବିଶ୍ୱବିଦ୍ୟାଳୟ ପ୍ରଶାସନ ବିରୁଦ୍ଧରେ ପ୍ରତିବାଦ ଆରମ୍ଭ କରିଥିଲେ।

