Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମିଶନ ୨୦୨୪, ବିରୋଧୀ ମେଣ୍ଟ ଗଠନ ନେଇ ଆଜି ରାହୁଲ-ଖଡ଼ଗେଙ୍କୁ ଭେଟିବେ ନୀତୀଶ କୁମାର

ନୂଆଦିଲ୍ଲୀ: ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏକ ସଶକ୍ତ ବିରୋଧୀ ମେଣ୍ଟ ଗଠନ କରିବା ପାଇଁ ପ୍ରଚେଷ୍ଟା ଚଳାଇଛନ୍ତି। ଗତ କିଛି ମାସରେ ସେ ଅନେକ ଦଳର ନେତାମାନଙ୍କୁ ସାକ୍ଷାତ କରି ସାରିଛନ୍ତି। ସେ ନିଜ ରଣନୀତି ସ୍ଵରୂପ ଅଣ ବିଜେପି ମୋର୍ଚ୍ଚା ଗଠନରେ ଲାଗି ପଡ଼ିଛନ୍ତି। ଏଥିରେ ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ତେଜସ୍ଵୀ ଯାଦବ ମଧ୍ୟ ସାମିଲ୍ ଅଛନ୍ତି।

ଏହି ପରିପ୍ରେକ୍ଷୀରେ ନୀତୀଶ କୁମାର ଏବଂ ତେଜସ୍ଵୀ ଯାଦବ ଆଜି କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିବେ। ଏଥିସହ ଅନେକ ବିରୋଧୀ ନେତାମାନଙ୍କ ସହ ହୋଇଥିବା ଆଲୋଚନାର ବିବରଣୀ ମଧ୍ୟ ଦେବେ। ଏହି ଆଲୋଚନା ସମୟରେ ପାଟନାରେ ବିରୋଧୀଙ୍କ ଏକ ବିରାଟ ସମ୍ମିଳନୀ ଆୟୋଜନର ତାରିଖ ମଧ୍ୟ ସ୍ଥିର ହୋଇପାରେ।

ନୀତୀଶ କୁମାର ଏବଂ ତେଜସ୍ଵୀ ଶେଷ ଥର ଏପ୍ରିଲ ୧୨ ତାରିଖରେ ଖଡ଼ଗେ ଏବଂ ରାହୁଲଙ୍କୁ ଭେଟିଥିଲେ। ଏହି ସମୟରେ ସ୍ଥିର ହୋଇଥିଲା ଯେ, ନୀତୀଶ କୁମାର ଦେଶର ଏମିତି ୬ଟି ଦଳର ନେତାଙ୍କ ସହ ଯୋଗାଯୋଗ କରିବେ ଯେଉଁମାନଙ୍କ ପୁରୁଣା ଦଳ ସହିତ ଭଲ ସମୀକରଣ ନଥିବ ଏବଂ ବିରୋଧୀ ଗୋଷ୍ଠୀରେ ନଥିବେ।

ଗତ ମାସରେ ନୀତୀଶ କୁମାର ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଭେଟିଥିଲେ। ସେ ଶିବସେନା ନେତା ଉଦ୍ଧବ ଠାକରେ, ଏନସିପି ମୁଖ୍ୟ ଶରଦ ପାଓ୍ଵାର, ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ବାମପନ୍ଥୀ ନେତା ସୀତାରାମ ୟେଚୁରୀ ଏବଂ ଡି ରାଜାଙ୍କୁ ମଧ୍ୟ ସାକ୍ଷାତ କରି ବିରୋଧୀ ମେଣ୍ଟ ବିଷୟରେ ଆଲୋଚାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ