ଶ୍ରୀ ସତ୍ୟ ସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ ସମାରୋହ, ସଚିନ ତେନ୍ଦୁଲକର ବଖାଣିଲେ ନିଜର ସ୍ମୃତି
ମୁମ୍ବାଇ,୨୦|୧୧ : ଆନ୍ଧ୍ରପ୍ରଦେଶର ପୁଟ୍ଟପର୍ଥିରେ ଶ୍ରୀ ସତ୍ୟ ସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର, ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, କେନ୍ଦ୍ର ମନ୍ତ୍ରୀ ରାମ ମୋହନ ନାଇଡୁ, କିଞ୍ଜାରାପୁ ଏବଂ ଜି. କିଶନ ରେଡ୍ଡୀ ସମେତ ଅନେକ ପ୍ରମୁଖ ବ୍ୟକ୍ତି ଯୋଗ ଦେଇଥିଲେ।
ସତ୍ୟ ସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ଯୋଗ ଦେଇ ସଚିନ ତେନ୍ଦୁଲକର ୨୦୧୧ ବିଶ୍ୱକପ୍ ବିଜୟର ଏକ ବ୍ୟକ୍ତିଗତ ସ୍ମୃତିକୁ ମନେ ପକାଇଥିଲେ। ସେ କହିଛନ୍ତି ଯେ, “ମୁଁ ମନେ ରଖିଛି 2011 ମସିହାରେ ଯେତେବେଳେ ବିଶ୍ୱକପ ପାଇଁ ପ୍ରସ୍ତୁତ ହେଉଥିଲି ସେତେବେଳେ ମୁଁ ଜାଣିଥିଲି ଯେ, ଏହା ମୋର ଶେଷ ବିଶ୍ୱକପ୍ ହେବ”। ଏବଂ ସେ ସମୟ ସଚିନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୟ ରହିଥିଲା ବୋଲି ବର୍ଣ୍ଣନା କରିଥିଲେ। କ୍ରିକେଟ ଜୀବନର ଶେଷ ବିଶ୍ୱକପରୁ ଜିତିବାର ଆଶା ଏବଂ ଇଛା ଶକ୍ତି ବଢିଯାଇଥିଲା | ଏବଂ ସେହି ସମୟରେ ଖେଳକୁ ନେଇ ସେ ବହୁତ ଚାପରେ ମଧ୍ୟ ରହିଥିଲେ|
ସେ କହିଛନ୍ତି ଯେ ,ବିଶ୍ୱକପର ପ୍ରସ୍ତୁତି ଶିବିର ପାଇଁ ମୁଁ ବେଙ୍ଗାଲୁରୁରେ ଥିଲି ଏବଂ ସେତେବେଳେ ଏକ ଅପ୍ରତ୍ୟାଶିତ ଫୋନ୍ କଲ ପାଇଲି ଯେ, ଶ୍ରୀ ସତ୍ୟ ସାଇ ବାବା ତୁମକୁ ତାଙ୍କର ପୁସ୍ତକ ପଠାଇଛନ୍ତି। ଏହା ଶୁଣିଲା ପରେ ମୋ ଓଠରେ ହସର ଲହରୀ ଖେଳି ଯାଇଥିଲା | ଏହା ମୋ ଆତ୍ମବିଶ୍ୱାସକୁ ବଢ଼ାଇଥିଲା ଏବଂ ଖେଳକୁ ଭଲ ଭାବେ ଖେଳିବା ପାଇଁ ଆନ୍ତରିକ ଶକ୍ତି ଦେଇଥିଲା ଏବଂ ପର ମୁହୂର୍ତ୍ତରେ ସେହି ପୁସ୍ତକଟି ମୋର ନିରନ୍ତର ସାଥୀ ହୋଇଗଲା ବୋଲି ତେନ୍ଦୁଲକର କହିଛନ୍ତି |
ୱାଙ୍ଖେଡେ ଷ୍ଟାଡିୟମରେ ଫାଇନାଲରେ ଭାରତ ଶ୍ରୀଲଙ୍କାକୁ ଛଅ ୱିକେଟରେ ପରାସ୍ତ କରି ୨୦୧୧ ଆଇସିସି କ୍ରିକେଟ୍ ବିଶ୍ୱକପ୍ ଜିତିଥିଲା | ତାହା ତାଙ୍କ କ୍ରିକେଟ୍ ଜୀବନର ସବୁଠାରୁ ଭାବପ୍ରବଣ ମୁହୂର୍ତ୍ତ ହୋଇ ରହିଛି ଏବଂ ରହିଥିବ। ୨୦୧୧ ମସିହାରେ ଭାରତ ମୁମ୍ବାଇରେ ଶ୍ରୀଲଙ୍କା ବିପକ୍ଷରେ ଖେଳିବା ପରେ ବିଜୟ ହାସଲ କରି ଶେଷରେ ଟ୍ରଫି ଉଠାଇଥିଲା। ସେହି ସମୟରେ ସମଗ୍ର ଦେଶ ଉତ୍ସବ ପାଳନ କରୁଥିଲା। ସଚିନ କହିଛନ୍ତି ଯେ, ଏହା ମୋ କ୍ରିକେଟ୍ ଜୀବନର ସୁବର୍ଣ୍ଣ ମୁହୂର୍ତ୍ତ ଥିଲା। ମୁଁ ଭାବୁନାହିଁ ଯେ ମୁଁ ମୋ କ୍ୟାରିୟରରେ ଏପରି କିଛି ଅନୁଭବ କରିଛି ଯେଉଁଠାରେ ସମଗ୍ର ଦେଶ ଏକାଠି ହୋଇ ଉତ୍ସବ ପାଳନ କରୁଥିଲା ବୋଲି ସେ କହିଥିଲେ। ସେ ସେହି ସମୟ ମଧ୍ୟରେ ଦଳ ଉପରେ ରହିଥିବା ସମର୍ଥନକୁ ଶ୍ରେୟ ଦେଇ କହିଲେ, “ଏହା କେବଳ ଆମର ଶୁଭେଚ୍ଛୁ ଏବଂ ଗୁରୁମାନଙ୍କ ଆଶୀର୍ବାଦ ଏବଂ ବିଶେଷ ଭାବରେ ବାବାଙ୍କ ଆଶୀର୍ବାଦ ଯୋଗୁଁ ସମ୍ଭବ ହୋଇଥିଲା।”

