ଭିଏତନାମରେ ଭୟଙ୍କର ବନ୍ୟା-ଭୂସ୍ଖଳନ; ଗଲାଣି ୪୧ ଜୀବନ
ଭିଏତନାମ,୨୧|୧୧: ଭିଏତନାମରେ ପ୍ରକୃତି ରଚିଛି ଭୟଙ୍କର ତାଣ୍ଡବ। ପ୍ରବଳ ବର୍ଷା କାରଣରୁ ବନ୍ୟା ହୋଇ ଦେଶର ଅନେକ ଅଞ୍ଚଳ ଏବେ ସୁଦ୍ଧା ବୁଡ଼ିକି ରହିଛି। ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି| ସୂଚନା ଅନୁସାରେ, ଏପର୍ଯ୍ୟନ୍ତ ୪୧ ଜଣଙ୍କର ମୃତ୍ୟୁ ହୋଇଛି। ହଜାର ହଜାର ଲୋକଙ୍କର ରହିବା ବାସସ୍ଥାନ ଉଜୁଡି ଯାଇଛି| ବନ୍ୟାରେ ଅନେକ ପଶୁପକ୍ଷୀ ଭାସି ଯାଇଥିବା ବେଳେ ଲୋକଙ୍କ ଫସଲ ମଧ୍ୟ ନଷ୍ଟ ହୋଇଯାଇଛି। କେବଳ ଏତିକି ନୁହେଁ ଅନେକ ନିଖୋଜ ଥିବା ସୂଚନା ମିଳିଛି। ତେବେ ଉଦ୍ଧାରକାରୀ ଦଳ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି।
ଭିଏତନାମ ପରିବେଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଟାଇଫୁନ୍ କାଲମାଏଗି ଭିଏତନାମରେ ସ୍ଥଳଭାଗ ଛୁଇଁଛି। ଛଅଟି ରାଜ୍ୟ ସମ୍ପୂର୍ଣ୍ଣ ଭାବେ ପ୍ରଭାଵିତ ହୋଇଛି। ବନ୍ୟା ପାଣି ଯୋଗୁଁ ୪୩ ହଜାରରୁ ଅଧିକ ଘର ବୁଡି ଯାଇଥିଲା ବେଳେ ପ୍ରାୟ ୬୦,୦୦୦ରୁ ଅଧିକ ଲୋକ ବାସହୀନ ହେବା ସହ ଫସି ରହିଛନ୍ତି। ଜାତୀୟ ପାଣିପାଗ ବିଭାଗ ଅନୁଯାୟୀ, ଦ ଲାଟ୍ ସହର ପାଖରେ ବଡ ଭୂସ୍ଖଳନ ହୋଇଛି। ଏପର୍ଯ୍ୟନ୍ତ ଅନେକ ଅଞ୍ଚଳରେ ୬୦୦ ମିଲିମିଟର ବର୍ଷା ହୋଇଥିବା ଆକଳନ କରାଯାଇଛି। ମିମୋସା ପାସ୍ ନିକଟରେ ଭୂସ୍ଖଳନରେ ପ୍ରାୟ ୧୦୦ ମିଟର ରାସ୍ତା ଧୋଇ ଦେଇଛି। ସହରରୁ ଡାକ୍ ଲାକ୍ ପ୍ରଦେଶ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଅଞ୍ଚଳରେ ଜଳସ୍ତର ଆହୁରି ବୃଦ୍ଧି ପାଇପାରେ। ହାନୋଇ ରେଳ ନିଗମ ଅନେକ ଟ୍ରେନ୍ ବାତିଲ କରିଛି।
ଭିଏତନାମାର ଉପପ୍ରଧାନମନ୍ତ୍ରୀ ହୋ କ୍କୋକ୍ ଡୁଙ୍ଗ ପରିସ୍ଥିତି ଉପରେ ନଜର ରଖିଛନ୍ତି। ସେ ସମସ୍ତ ଅଞ୍ଚଳର ସରକାର, ପୋଲିସ ଏବଂ ଅନ୍ୟାନ୍ୟ ସୁରକ୍ଷା ବାହିନୀ ସହାୟତାରେ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜାନୁଆରୀରୁ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ, ଭିଏତନାମରେ ପ୍ରାକୃତିକ ବିପର୍ଯ୍ୟୟରେ ୨୭୯ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨ ବିଲିୟନ ଆମେରିକୀୟ ଡଲାରରୁ ଅଧିକ କ୍ଷତି କରିଛି।

