ମାଗଣାରେ ସିଗାରେଟ ନ ଦେବାରୁ ପାନଦୋକାନୀଙ୍କୁ ଛୁରୀରେ ନିର୍ମମ ଭାବେ ହତ୍ୟା-ଅଭିଯୁକ୍ତ ଗିରଫ
ନୂଆଦିଲ୍ଲୀ,୨୭|୧୧: ଦିଲ୍ଲୀରେ ପାନ ଦୋକାନୀଙ୍କୁ ନିର୍ମମ ଭାବେ ହତ୍ୟା | ପଟେଲ ନଗର ଅଞ୍ଚଳର ଜଣେ ପାନଦୋକାନୀଙ୍କ ସହ କିଛି ଲୋକଙ୍କର ଝଗଡା ହେବା ପରେ ହତ୍ୟାକାଣ୍ଡ ଘଟିଥିଲା | ସୂଚନା ଅନୁସାରେ, ପାନ ଦୋକାନୀକୁ କିଛି ଜଣ ବ୍ୟକ୍ତି ମାଗଣାରେ ସିଗାରେଟ୍ ମାଗିଥିଲେ, କିନ୍ତୁ ଦୋକାନୀ ମନା କରିବାରୁ ସେମାନେ ତାଙ୍କୁ ନିର୍ମମ ଭାବେ ଛୁରୀ ଭୁସି ହତ୍ୟା କରିଥିଲେ। ପୋଲିସ ଏହି ହତ୍ୟା ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ପାଞ୍ଚ ଜଣ ନାବାଳକଙ୍କୁ ଅଟକ ମଧ୍ୟ ରଖିଛି |
ଡିସିପି ନିଧିନ ଭାଲସନଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତ ଯୁବକ ଜଣଙ୍କ ନଭେମ୍ବର ୨୪ ତାରିଖ ରାତି ପ୍ରାୟ ୯ଟାରେ ପାଞ୍ଚ ଜଣ ନାବାଳକ ସାଥୀଙ୍କ ସହିତ ପଶ୍ଚିମ ପଟେଲ ନଗରର ମିଲନ ପାନ ଭଣ୍ଡାରରେ ପହଞ୍ଚିଥିଲେ। ମଦ ପିଇଥିବା ସମସ୍ତ ବ୍ୟକ୍ତିମାନେ ଦୋକାନୀ ରାଜେନ୍ଦ୍ର କୁମାର (୪୦)ଙ୍କଠାରୁ ମାଗଣା ସିଗାରେଟ୍ ଦାବି କରିଥିଲେ। ଦୋକାନୀ ଟଙ୍କା ମାଗିବା ପରେ ଅଭିଯୁକ୍ତମାନେ ଦୋକାନୀଙ୍କ ସହିତ ଯୁକ୍ତିତର୍କ କରିବା ଆରମ୍ଭ କରିଦେଇଥିଲେ |
ଏବଂ ଧୀରେ ଧୀରେ ଝଗଡା ତୀବ୍ର ରୂପ ନେଇଥିଲା ଏବଂ ଶେଷରେ ଅଭିଯୁକ୍ତମାନେ ଦୋକାନୀ ରାଜେନ୍ଦ୍ରଙ୍କୁ ଛୁରୀରେ ଆକ୍ରମଣ କରି ଗୁରୁତର ଆହତ କଲେ। ହତ୍ୟା କାଣ୍ଡ ଘଟାଇବା ପରେ ସମସ୍ତ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ | ଗୁରୁତର ଆହତ ରାଜେନ୍ଦ୍ର କୁମାରଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ହତ୍ୟା ବିଷୟରେ ସୂଚନା ପାଇବା ପରେ, ପଟେଲ ନଗର ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ସେମାନେ ଏକ ଫୋରେନସିକ୍ ଟିମ୍ ସାହାଯ୍ୟରେ ପ୍ରମାଣ ସଂଗ୍ରହ କରିଥିଲେ। ନିକଟସ୍ଥ ଅଞ୍ଚଳରୁ ସିସିଟିଭି କ୍ୟାମେରାରୁ ରେକର୍ଡିଂ ଯାଞ୍ଚ କରି ଆକ୍ରମଣକାରୀଙ୍କୁ ସନ୍ଧାନ କରିଥିଲା। ଏହି ହତ୍ୟା ଅପରାଧର ମୁଖ୍ୟ ଅଭିଯୁକ୍ତ ମହମ୍ମଦ ମହତାବ ଓରଫ ରାଜା (୧୯)ଙ୍କୁ ଗିରଫ କରିଛି ପୋଲିସ | ସୂଚନା ଅନୁସାରେ, ସେ ଶାଦିପୁର ଫ୍ଲାଏଓଭର ନିକଟରେ ରେଳ ଲାଇନ ତଳେ ଲୁଚି ରହିଥିଲା ଏବଂ ଦିଲ୍ଲୀରୁ ଖସିଯିବାକୁ ଚେଷ୍ଟା କରୁଥିଲା | ତେବେ ନଭେମ୍ବର ୨୫ ତାରିଖ ସନ୍ଧ୍ୟାରେ ପୋଲିସ ସୂଚନା ପାଇ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହିତ ଅପରାଧରେ ଜଡିତ ପାଞ୍ଚ ଜଣ ନାବାଳକ ଅଭିଯୁକ୍ତଙ୍କୁ ମଧ୍ୟ ଅଟକ ରଖିଥିଲା।

