ଗୁଜରାଟର ଭାବନଗରସ୍ଥିତ ଏକ ପାଥୋଲ୍ୟାବ୍ରେ ଭୟଙ୍କର ଅଗ୍ନିକାଣ୍ଡ, ଝରକା ଭାଙ୍ଗି ରୋଗୀଙ୍କୁ ଉଦ୍ଧାର…
ନୂଆଦିଲ୍ଲୀ,୩।୧୨: ଗୁଜରାଟର ଭାବନଗରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ଏକ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । କମ୍ପ୍ଲେକ୍ସ ମଧ୍ୟରେ ଅନେକ ଘରୋଇ ହସ୍ପିଟାଲ, ପାଥୋଲୋଜି ଲ୍ୟାବ, ଦୋକାନ ଏବଂ ଅଫିସ ରହିଥିଲା। ନିଆଁ ଦ୍ରୁତ ଗତିରେ ବ୍ୟାପିବାରୁ କମ୍ପ୍ଲେକ୍ସ ମଧ୍ୟରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଥିଲା। ମିଳିଥିବା ରିପୋର୍ଟ ଅନୁଯାୟୀ, ଦେବ ପାଥୋଲୋଜି ଲ୍ୟାବରୁ ନିଆଁ ଲାଗିଥିବାର ସୂଚନା ରହିଛି | ଏବଂ ଧୀରେ ଧୀରେ ଏହା ଅନ୍ୟ ଅଞ୍ଚଳକୁ ବ୍ୟାପି ଯାଇଥିଲା।
ଧୂଆଁ ବ୍ୟାପିବା ସହିତ ହସ୍ପିଟାଲର ରୋଗୀମାନଙ୍କ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଯାଇଥିଲା | ଏହି ଅଗ୍ନିକାଣ୍ଡ ଘଟଣା ପରେ ଅନେକ ରୋଗୀ, ପିଲା ଏବଂ ବୃଦ୍ଧ କମ୍ପ୍ଲେକ୍ସରେ ଫସି ରହିଥିଲେ। ଖବର ମିଳିବ ପରେ, ଅଗ୍ନିଶମ ବାହିନୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ | ଅଧିକାରୀମାନେ କହିଛନ୍ତି ଯେ, ନିଆଁର ତୀବ୍ରତା ଦେଖି, ମୋଟ ୧୦ଟି ଅଗ୍ନିଶମ ଗାଡ଼ି ପଠାଯାଇଥିଲା। ଏହା ସହ ୫୦ ରୁ ଅଧିକ ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ। ଅଗ୍ନିଶମ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ୧୦ ରୁ ୨୦ ଜଣଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ଉଦ୍ଧାରକାରୀମାନେ ଅନ୍ୟାନ୍ୟ ହସ୍ପିଟାଲରୁ ଝରକା ଭାଙ୍ଗି ସିଡ଼ି ଦେଇ ରୋଗୀମାନଙ୍କୁ ଲ୍ୟାବ ଭିତରୁ ବାହାର କରିଥିଲେ। ଅନେକ ପିଲାଙ୍କୁ କାଚ ଭାଙ୍ଗି ଷ୍ଟ୍ରେଚରରେ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ଅଧିକାରୀ ଜଣକ ଆହୁରି କହିଛନ୍ତି, “ଆମ ଟିମ୍ ଦ୍ରୁତ ଗତିରେ କାମ କରୁଛି। ଏପର୍ଯ୍ୟନ୍ତ କୌଣସି ମୃତାହତ ହୋଇଥିବାର ସୂଚନା ମିଳିନାହିଁ।
ସ୍ଥାନୀୟ ଅଞ୍ଚଳର ବାସିନ୍ଦା ମାନେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ସେମାନେ ଧୂଆଁରେ ଫସି ରହିଥିବା ରୋଗୀ, ପିଲା ଏବଂ ବୃଦ୍ଧମାନଙ୍କୁ ବାହାର କରିବାରେ ଅଗ୍ନିଶମ ବାହିନୀ ବିଭାଗକୁ ସାହାଯ୍ୟ କରିଥିଲେ। ନିଆଁ ଲାଗିବା ମାତ୍ରେ ଲୋକମାନେ ଭୟଭୀତ ହୋଇ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। ଅଗ୍ନିଶମ ବିଭାଗର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ନିଆଁ କମ୍ପ୍ଲେକ୍ସର ବେସମେଣ୍ଟରୁ ହିଁ ଆରମ୍ଭ ହୋଇଥିଲା ଏବଂ କିଛି ମିନିଟ୍ ମଧ୍ୟରେ ସମଗ୍ର କୋଠାରେ ବ୍ୟାପି ଯାଇଥିଲା। ଧୂଆଁ ଯୋଗୁଁ ଅନେକ ରୋଗୀ ଶ୍ୱାସରୁଦ୍ଧ ହେଉଥିଲେ କିନ୍ତୁ ସେମାନଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା। ତେବେ ଅଗ୍ନିକାଣ୍ଡ କାହିଁକି ଘଟିଲା ଓ କିପରି ଘଟିଲା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ| ତଦନ୍ତ ପ୍ରକ୍ରିୟା ଜାରି ରହିଛି|

