ସନ୍ତାନଙ୍କ ଆଗରେ ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ୱାମୀ!
ହାଇଦ୍ରାବାଦ,୨୬|୧୨: ହାଇଦ୍ରାବାଦରେ ଘଟିଛି ଏକ ଦୁଖଦଃ ଘଟଣା | ଯାହା ବିଷୟରେ ଶୁଣିଲେ ଯେ କେହି ବି ସ୍ତବ୍ଧ ହୋଇଯିବେ | ସ୍ତ୍ରୀ ଉପରେ ପେଟ୍ରୋଲ ଢାଳି ନୃସଂଶ ଭାବେ ଜାଳିଦେଲା ସ୍ୱାମୀ | ସ୍ତ୍ରୀ ଜୋରରେ ପାଟିକରି ଚିତ୍କାର କରୁଥିଲେ, ଜୀବନ ବଞ୍ଚାଇବାକୁ ଆକୁଳ ନିବେଦନ ମଧ୍ୟ କରୁଥିଲେ | ତଥାପି ଶୁଣିନଥିଲେ ସ୍ୱାମୀ | ଛୁଆଙ୍କ ସାମ୍ନାରେ ନିଜ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ | ହାଇଦ୍ରାବାଦରେ ଘଟିଥିବା ଏହି ଲୋମଟାଙ୍କୁରା ଘଟଣା ସାରା ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି |
ସୂଚନା ଅନୁସାରେ, ହାଇଦ୍ରାବାଦରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି। ଏପରିକି ନିଜ ଶିଶୁଙ୍କୁ ନିଆଁ ମଧ୍ୟକୁ ବ୍ୟକ୍ତି ଜଣଙ୍କ ଠେଲି ଦେଇଥିବାର ସୂଚନା ରହିଛି। ହାଇଦ୍ରାବାଦର ନାଲାକୁଣ୍ଟା ଅଞ୍ଚଳରେ ଏହି ଘଟଣା ଘଟିଛି ।
ପୋଲିସର ସୂଚନା ଅନୁଯାୟୀ, ନାଲାକୁଣ୍ଟା ଅଞ୍ଚଳରେ ଭେଙ୍କଟେଶ ନିଜ ପରିବାର ସହ ରହି ଆସୁଥିଲେ। ଦୀର୍ଘଦିନ ଧରି ପତ୍ନୀ ତ୍ରିବେଣୀଙ୍କ ଉପରେ ତାଙ୍କର ସନ୍ଦେହ ରହିଥିଲା। ଏହି ସନ୍ଦେହ ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଅନେକ ଥର ଯୁକ୍ତି ମଧ୍ୟ ହୋଇଥିଲା । ସନ୍ଦେହ ଏତେ ଦୂର ଯାଏଁ ବଢିଗଲା ଯେ, ଗତ ଡିସେମ୍ବର ୨୪ ତାରିଖରେ ଭେଙ୍କଟେଶ ତ୍ରିବେଣୀକୁ ମାଡ ମାରିବା ସହିତ ପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଘଟଣା ପରେ ଝିଅ ମାଆକୁ ବଞ୍ଚାଇବାକୁ ବହୁତ ଚେଷ୍ଟା କରୁଥିଲେ ଶେଷରେ ଉତ୍ତେଜିତ ବାପା ନିଜ ଝିଅକୁ ମଧ୍ୟ ନିଆଁ ଭିତରକୁ ଠେଲି ଦେଇଥିଲେ । ତାହା ପରେ ଘଟଣାସ୍ଥଳରୁ ଭେଙ୍କଟେଶ ଫେରାର ହୋଇଯାଇଥିଲେ ।
ଘରୁ ଭିତରୁ ପାଟି ଶୁଣି ଆଖପାଖ ଅଞ୍ଚଳର ଲୋକେ ତ୍ରିବେଣୀ ଏବଂ ଝିଅଙ୍କୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ । ହେଲେ ତ୍ରିବେଣୀଙ୍କୁ ମେଡିକାଲ ନେବା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା | ଏବଂ ଝିଅକୁ ନିକଟରେ ଥିବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ତେବେ ଭେଙ୍କଟେଶ ଏବଂ ତ୍ରିବେଣୀ ପୂର୍ବରୁ ପ୍ରେମ ବିବାହ କରିଥିଲେ । ଏବଂ ବିବାହରୁ ଉଭୟଙ୍କର ଦୁଇ ସନ୍ତାନ ମଧ୍ୟ ହୋଇଥିଲେ । କିନ୍ତୁ କିଛି ଦିନ ହେଲା ଭେଙ୍କଟେଶ ସବୁଦିନ ନିଜ ପତ୍ନୀଙ୍କୁ ମାଡ ମାରୁଥିଲେ । ମାଡ ମାରିବା ଘଟଣାରେ ପତ୍ନୀ ତ୍ରିବେଣୀ ନିଜ ବାପଘରକୁ ଚାଲିଯାଇଥିଲେ । ଏବଂ ପରେ ସ୍ୱାମୀ ଭେଙ୍କଟେଶ ଶ୍ୱଶୁରଘରେ ପହଞ୍ଚି ପତ୍ନୀକୁ ବୁଝାସୁଝା କରିବା ସହ ଆଉ ମାରଧର୍ କରିବେ ନାହିଁ ବୋଲି କହିଥିଲେ । କିନ୍ତୁ ତ୍ରିବେଣୀ ବାପଘରୁ ଫେରିବା ପରେ ଭେଙ୍କଟେଶ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି । ତେବେ ପୋଲିସ ଏହି ଘଟଣାରେ ମାମଲା ଦାୟର କରି ଅଭିଯୁକ୍ତକୁ ଧରିବାକୁ ସନ୍ଧାନ ଜାରି ରଖିଛି |

