Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଲବାହୀ ଟ୍ରେନ ଦୁର୍ଘଟଣା: ୧୫ଟିଡବା ଲାଇନଚ୍ୟୁତ,ନଦୀକୁ ଖସିଲା ୫ ବଗି

ବିହାର,୨୮|୧୨: ବିହାରର ଜାମୁଇ ଜିଲ୍ଲାର ତେଲୱା ବଜାର ରେଳ ଷ୍ଟେସନ ନିକଟରେ ଏକ ଭୟଙ୍କର ରେଳ ଦୁର୍ଘଟଣା ଘଟିଛି । ଏକ ସିମେଣ୍ଟ ବୋଝେଇ ମାଲବାହୀ ଟ୍ରେନ୍ ର ୧୫ଟିଡବା ଲାଇନଚ୍ୟୁତ ହୋଇଛି | ଫଳରେ ଦୁର୍ଘଟଣାରେ ବିଭିନ୍ନ ସ୍ଥାନର ଟ୍ରାକ୍ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି | ଏହାଦ୍ୱାରା ଏହି ରୁଟ୍ ରେ ଆସିବାକୁ ଥିବା ସମସ୍ତ ଟ୍ରେନକୁ ବାତିଲ କରାଯାଇଛି | କିନ୍ତୁ , ଲାଇନଚ୍ୟୁତ ହେବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଜଣାପଡିନାହିଁ |

ସୂଚନା ଅନୁସାରେ,ପୂର୍ବତନ ଆସାନସୋଲ ଡିଭିଜନର ଜସିଡିହ-ସିମୁଲତାଲା ସେକ୍ସନରେ ଜାମୁଇ ଜିଲ୍ଲାର ତେଲୱା ବଜାର ହଲ୍ଟ ନିକଟରେ ବରୁଆଁ ନଦୀ ଉପରେ ଥିବା ରେଳପଥ ବ୍ରିଜ ଉପରେ ଏକ ମାଲବାହୀ ଟ୍ରେନ୍ ଓଲଟି ପଡ଼ିଥିଲା। ତେବେ ଟ୍ରେନ୍ ଟି ଆସାନସୋଲରୁ ଝାଜ୍ଜା ଅଭିମୁଖେ ସିମେଣ୍ଟ ନେଇ ଯାଉଥିଲା। ଶନିବାର ରାତି ପ୍ରାୟ ୧୧:୪୦ ପାଖାପାଖି ଅପ-ଲାଇନ୍ ମାଲବାହୀ ଟ୍ରେନ୍ ହଠାତ୍ ଲାଇନଚ୍ୟୁତ ହୋଇଥିଲା। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ମାଲବାହୀ ଟ୍ରେନର ମୋଟ ୧୫ଟି ବଗି ଟ୍ରାକ୍ରୁ ଲାଇନ ଚ୍ୟୁତ ହୋଇଥିଲା | ଘଟଣାରେ ୧୦ଟି ରେଳପଥ ବ୍ରିଜ ଉପରେ ଓଲଟି ପଡିବାବେଳେ ଆଉ ୫ଟି ବଗି ବ୍ରିଜ୍ ତଳେ ଥିବା ବାରୁଆଁ ନଦୀରେ ପଡ଼ିଥିଲା।

ଭୟଙ୍କର ଦୁର୍ଘଟଣାରେ,ଅନେକ ସ୍ଥାନରେ ଟ୍ରାକ୍ କ୍ଷତିଗ୍ରସ୍ତ ହୋଇଥିଲା | ସୁରକ୍ଷା ଦୃଷ୍ଟିରୁ ଡାଉନଲାଇନ୍ ରେ ଅନ୍ୟାନ୍ୟ ଟ୍ରେନ ଚଳାଚଳକୁ ବନ୍ଦ କରାଯାଇଥିଲା। ଏହି ରୁଟ୍ ଦେଇ ଯାଉଥିବା ଅନେକ ପାସେଞ୍ଜର ଟ୍ରେନକୁ ପୂର୍ବ ଷ୍ଟେସନରେ ଅଟକାଇ ଦିଆଯାଇଥିଲା, ଯାହା ଫଳରେ ଯାତ୍ରୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଖବର ପାଇ ରେଳ ବିଭାଗର ବରିଷ୍ଠ ଅଧିକାରୀ, ଇଞ୍ଜିନିୟରିଂ କର୍ମଚାରୀ, ଟ୍ରାକ୍ ରକ୍ଷଣାବେକ୍ଷଣ କର୍ମଚାରୀ ଏବଂ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଲାଇନଚ୍ୟୁତର କାରଣର ଉନ୍ମୋଚନ ହୋଇ ନଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି | ଅନ୍ୟପଟେ, ଲାଇନଚ୍ୟୁତ କୋଚ ଗୁଡ଼ିକୁ ଅପସାରଣ କରିବାରେ ଏବଂ ଟ୍ରାକ୍ ଗୁଡିକୁ ମରାମତି କରିବାରେ ସମସ୍ତ ରେଳ କର୍ମଚାରୀ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି। ତେବେ ଏହି କାର୍ଯ୍ୟ ପାଇଁ ୮ ରୁ ୧୦ ଘଣ୍ଟା ସମୟ ଲାଗିବ ବୋଲି ଆଶା ରେଳ ବିଭାଗର ଅଧିକାରୀ ମାନେ କହିଛନ୍ତି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ