ପାରଳାଖେମୁଣ୍ଡି ସ୍ଥିତ ହିତୈଷିଣି ସମାଜ ସଭା ଗୃହ ଠାରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଓ ଜାତୀୟ ଯୁବ ଉତ୍ସବ ମହା ଆଡ଼ମ୍ବରରେ ପାଳିତ
ପାରଳାଖେମୁଣ୍ଡି:୧୨/୧(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେୁଣ୍ଡି ସ୍ଥିତ ହିତୈଷିଣୀ ସମାଜ ସଭା ଗୃହ ଠାରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଓ ଜାତୀୟ ଯୁବ ଉତ୍ସବ–୨୦୨୬ ମହା ଆଡମ୍ବରରେ ପାଳିତ ହୋଇଯାଇଛି।ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭାଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଦୀପର ଶିଖା ଯେତେବେଳେ ଜ୍ୱଳିଉଠିଲା, ସେତେବେଳେ ସଭାଗୃହ ସହିତ ସହ ମନମାନସରେ ମଧ୍ୟ ଆଲୋକ ଜାଗ୍ରତ ହୋଇଉଠିଲା। ମନ୍ତ୍ରପାଠର ଗମ୍ଭୀର ଧ୍ୱନି, ଫୁଲ ତୋଳାର ସୁକୁମାର ସୁଗନ୍ଧ ଓ ବ୍ୟାଜ୍ ପରିଧାନର ଗରିମା ସମଗ୍ର ପରିବେଶକୁ ଏକ ଆଧ୍ୟାତ୍ମିକ ମାହୋଲରେ ମୁଗ୍ଧ କରିଦେଇଥିଲା।ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ବିଭାଗ ମୁଖ୍ୟ ଡ. ପ୍ରିୟବ୍ରତ ଶତପଥୀଙ୍କ ଦ୍ୱାରା ସ୍ୱଦେଶମନ୍ତ୍ର ପଠନ ଯୁବହୃଦୟକୁ ଦେଶପ୍ରେମର ସ୍ପନ୍ଦନରେ କମ୍ପିତ କରିଦେଇଥିଲା। ସଭାପତି ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ନେତୃତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହେବା ସହିତ ସ୍ବାମୀ ବିବେକାନନ୍ଦଙ୍କ ଆଦର୍ଶ ସଭାମଞ୍ଚକୁ ଜୀବନ୍ତ କରିଦେଇଥିଲା।ସମ୍ପାଦକୀୟ ବିବରଣୀ ଓ ପ୍ରାକ୍ ଭାଷଣ ପ୍ରସଙ୍ଗରେ ଶ୍ରୀ ମନୋଜ କୁମାର ପଟ୍ଟନାୟକ ସ୍ବାମୀ ବିବେକାନନ୍ଦଙ୍କ ଜୀବନକୁ ଏକ ସାଧାରଣ ସନ୍ନ୍ୟାସୀରୁ ବିଶ୍ୱବନ୍ଦିତ ମହାମାନବ ହେବାର ଅନନ୍ୟ ଯାତ୍ରା ଭାବେ ଉପସ୍ଥାପନ କରିଥିଲେ। “ସାହସୀ ହୁଅ, ଦୁର୍ବଳତାକୁ ପରିତ୍ୟାଗ କର”— ଏହି ଆହ୍ୱାନ ସଭାଗୃହର ପ୍ରତ୍ୟେକ କୋଣାକୁ ସ୍ପର୍ଶ କରି ଯୁବମନକୁ ଆତ୍ମବିଶ୍ୱାସରେ ପ୍ରଜ୍ୱଳିତ କରିଥିଲା।ଡ. ନରସିଂହ ଗୌଡ ସ୍ୱରଚିତ ଆଧାରିତ ଏକ କବିତା ପାଠ କରିଥିଲେ lସମ୍ମାନିତ ବକ୍ତା ଶ୍ରୀ ଅର୍ଜୁନ ଜେନା, ମୁଖ୍ୟ ବକ୍ତା ଇଂ. ଶ୍ବେତା ପଟ୍ଟନାୟକ ଏବଂ ମୁଖ୍ୟ ଅତିଥି ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ ଡ. ମାୟାଧର ସାହୁ, ଓଇଏସ (ବ) ତାଙ୍କର ଭାଷଣରେ ସ୍ବାମୀଜୀଙ୍କ ଶିକ୍ଷାକୁ ଆଜିର ଯୁବ ସମାଜ ପାଇଁ ପଥପ୍ରଦର୍ଶକ ଓ ଜୀବନ ଦର୍ଶନ ଭାବେ ଉପସ୍ଥାପନ କରିଥିଲେ। ଓଡ଼ିଆ ବିଭାଗର ମୁଖ୍ୟ ଡ. ବିପ୍ଳବ ପ୍ରଧାନ ସୁମଧୁର ଓ ଭାବପୂର୍ଣ୍ଣ ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିଲେ।ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନଙ୍କ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ ସଭାକୁ ନବ ଉର୍ଜା, ଶିଶୁସ୍ୱପ୍ନର ସ୍ନିଗ୍ଧତା ଓ ଆଶାର ଆଲୋକରେ ଭରିଦେଇଥିଲା। ପୁରସ୍କାର ବିତରଣ ସମୟରେ ଯୁବ ପ୍ରତିଭାମାନଙ୍କ ମୁହଁରେ ଜ୍ଵଳିଉଠୁଥିବା ଆତ୍ମବିଶ୍ୱାସ ଏହି କାର୍ଯ୍ୟକ୍ରମର ସର୍ବୋତ୍କୃଷ୍ଟ ସଫଳତା ରୂପେ ପ୍ରତିଫଳିତ ହୋଇଥିଲା।କାର୍ଯ୍ୟକ୍ରମର ସୁସଂଗଠିତ ସଂଯୋଜନା ଓ ସୁନ୍ଦର ପରିଚାଳନା ଶ୍ରୀମତୀ ଅରୁପାଞ୍ଜଳି ମହାନ୍ତି କରିଥିବାବେଳେ, ସହ ସମ୍ପାଦକ ଡ. ଶଶିକାନ୍ତ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ଶ୍ରୀ ନିର୍ମଳ ଭୂୟାଁ ଧନ୍ୟବାଦ ଅର୍ପଣ କରି କହିଥିଲେ “ବିବେକାନନ୍ଦଙ୍କ ଆଦର୍ଶ ଯେପର୍ଯ୍ୟନ୍ତ ଯୁବହୃଦୟରେ ଜୀବନ୍ତ ରହିବ, ସେପର୍ଯ୍ୟନ୍ତ ଭାରତ ଅଜୟ ରହିବ।”ସ୍ବାମୀ ବିବେକାନନ୍ଦଙ୍କ ଅମର ବାକ୍ୟ
“ଉଠ, ଜାଗ, ଲକ୍ଷ୍ୟ ପ୍ରାପ୍ତି ପର୍ଯ୍ୟନ୍ତ ଥମ୍ବ ନାହିଁ”ଯୁବମନରେ ନବସଂକଳ୍ପର ଅଗ୍ନି ପ୍ରଜ୍ୱଳିତ କରି ଏହି ଭାବମୟ ସନ୍ଧ୍ୟାକୁ ସ୍ମରଣୀୟ କରିଦେଇଥିଲା। ସ୍ବାମୀ ବିବେକାନନ୍ଦ ଲୋକ ସଂସଦର ଆଜୀବନ ସଦସ୍ୟମାନଙ୍କ ସକ୍ରିୟ ସହଯୋଗ ଓ ସମର୍ପଣ ଏହି କାର୍ଯ୍ୟକ୍ରମର ସଫଳତାକୁ ଆହୁରି ସୁଦୃଢ଼ କରିଥିଲା।

