Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡେନମାର୍କର ସୈନ୍ୟବାହିନୀକୁ ମୁକାବିଲା କରିପାରିବେ କି ଆମେରିକୀୟ ସୈନ୍ୟ; ଗ୍ରିନଲାଣ୍ଡକୁ ହାତେଇବା ଟ୍ରମ୍ପଙ୍କ ପାଇଁ ସହଜ ହେବକି?

ନୂଆଦିଲ୍ଲୀ,୧୪|୧: ଆର୍କଟିକ୍ ଓ ଆଟଲାଣ୍ଟିକ୍ ମହାସାଗର ମଧ୍ୟରେ ଥିବା ବିଶ୍ୱର ସର୍ବବୃହତ୍ ବରଫାୟିତ ଦ୍ୱୀପ ଗ୍ରିନଲାଣ୍ଡକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି । ଡେନମାର୍କର ସ୍ୱୟଂଶାସିତ ଅଞ୍ଚଳ ଗ୍ରିନଲାଣ୍ଡକୁ କବଜା କରିବାକୁ ଏବେ ଆମେରିକାର ନଜର | ଫଳରେ ଦୁଇ ଦେଶ ମୁହାଁମୁହିଁ ହୋଇଛନ୍ତି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହି ଅଞ୍ଚଳକୁ ନିୟନ୍ତ୍ରଣ କରିବାକୁ ଚାହୁଁଥିବା କାରଣରୁ ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମ୍ଭାବନା ରହିଛି।

ଅନ୍ୟପଟେ,କୋପେନହେଗେନ୍ ଟ୍ରମ୍ପଙ୍କ ଦାବିକୁ ଡେ଼ନମାର୍କର ସୁରକ୍ଷା ପ୍ରତି ବିପଦ ଭାବରେ ଦେଖୁଛି। ଯଦି ଆମେରିକାର ସୈନ୍ୟମାନେ ଅବତରଣ କରିବାକୁ ଚେଷ୍ଟା କରନ୍ତି ତେବେ ଗ୍ରିନଲାଣ୍ଡରେ ଥିବା ଡେନମାର୍କ ସୈନ୍ୟବାହିନୀକୁ ‘ପ୍ରଥମେ ଗୁଳି ଚଳାଇବା ଏବଂ ପରେ ପ୍ରଶ୍ନ ପଚାରିବାକୁ’ ନିର୍ଦ୍ଦେଶ ଦିଆଯାଇଛି। ଅପରପକ୍ଷରେ ଡୋନାଲ୍ଡ ଟ୍ରମ୍ପ ଗ୍ରିନଲାଣ୍ଡର ପ୍ରତିରକ୍ଷାକୁ ପରିହାସ କରି କହିଛନ୍ତି ଯେ, ସେମାନେ ‘ଦୁଇଟି କୁକୁର ଓ ଏକ ସ୍ଲେଜ୍’ ପରି। ଯଦି ଟ୍ରମ୍ପଙ୍କ ଆମେରିକୀୟ ସୈନ୍ୟମାନେ ଗ୍ରିନଲାଣ୍ଡକୁ ଯାଆନ୍ତି, ତେବେ ଏହା ଭେନେଜୁଏଲାର ନେତା ନିକୋଲାସ୍ ମାଦୁରୋଙ୍କ କବଜା କରିବା ପରି ସହଜ ନହୋଇପାରେ। ଯେକୌଣସି ଆକ୍ରମଣକୁ ସାହସର ସହିତ ସମ୍ମୁଖୀନ କରିବା ପାଇଁ ବରଫରେ ଯୁଦ୍ଧ କରିବାରେ ଅଭ୍ୟସ୍ତ ଡେନମାର୍କର ଆର୍କଟିକ୍ ଯୋଦ୍ଧା | ଏଣୁ ଆମେରିକାର ନେଭି ସିଲ୍ ସହିତ ମଧ୍ୟ ଦୃଢତାର ସହ ମୁକାବିଲା କରିବେ। ତେବେ ଡେନମାର୍କର ସୈନିକମାନେ ମାଇନସ ୫୦ ଡିଗ୍ରି ସେଲସିୟସରେ କାର୍ଯ୍ୟ କରିବା, ଥଣ୍ଡା ଜଳରେ ବୁଡ଼ିବା ଏବଂ ଚରମ ଆର୍କଟିକ୍ ଅବସ୍ଥାରେ ଛଅ ମାସ ପର୍ଯ୍ୟନ୍ତ ବଞ୍ଚିବା ପାଇଁ ସମ୍ପୂର୍ଣ୍ଣ ତାଲିମ ହାସଲ କରିଛନ୍ତି। ଏଥିରେ ଇଲାଇଟ୍‌ ଜେଗର୍ କର୍ପସ, ଫ୍ରୋଗମେନ୍ ଓ ସିରିୟସ୍ ଡଗ୍ ସ୍ଲେଡ୍ ପାଟ୍ରୋଲିଂ ଆଦି ଅନ୍ତର୍ଭୁକ୍ତ।

ଗ୍ରିନଲାଣ୍ଡରେ ଅବସ୍ଥାପିତ ଡେନମାର୍କ ସୈନ୍ୟବାହିନୀ, ଯେଉଁମାନେ ଆମେରିକୀୟ ସୈନ୍ୟମାନଙ୍କ ସମ୍ମୁଖୀନ ହେବାକୁ ଜମା ପଛଘୁଞ୍ଚା ଦେବେନାହିଁ। ଡେନମାର୍କର ମିଳିତ ଆର୍କଟିକ୍ କମାଣ୍ଡ ଯାହା ଗ୍ରିନଲାଣ୍ଡ ଓ ଅନ୍ୟ ଏକ ବିଦେଶୀ ଡେନମାର୍କ ଅଞ୍ଚଳ ଫାରୋ ଦ୍ୱୀପପୁଞ୍ଜର ପ୍ରତିରକ୍ଷା ଓ ସାର୍ବଭୌମତ୍ୱ ପାଇଁ ସମ୍ପୂର୍ଣ୍ଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ବିରଳ ମୃତ୍ତିକା ଖଣିଜ ପଦାର୍ଥର ଭରପୁର ହୋଇଥିବାରୁ ଗ୍ରିନଲାଣ୍ଡ ଡୋନାଲ୍ଡ ଟ୍ରମ୍ପଙ୍କ ଅଭିଳାଷର କେନ୍ଦ୍ରବିନ୍ଦୁ ପାଲଟିଛି। ଆମେରିକା ରାଷ୍ଟ୍ରପତି ବାରମ୍ବାର କହିଛନ୍ତି ଯେ, ରୁଷ୍‌ ଓ ଚୀନ୍‌କୁ ଟକ୍କର ଦେବା ପାଇଁ ଆମେରିକା ଗ୍ରିନଲାଣ୍ଡକୁ ଦଖଲ କରିବା ଅତ୍ୟନ୍ତ ଆବଶ୍ୟକ। ସାମରିକ ଶକ୍ତି ପ୍ରୟୋଗ ସମେତ ଯେକୌଣସି ଉପାୟରେ ସେ ଗ୍ରିନଲାଣ୍ଡକୁ ହାତେଇବାକୁ ଚାହୁଁଛନ୍ତି । ବ୍ଲୁମବର୍ଗ ନ୍ୟୁଜ୍ ରିପୋର୍ଟ ଅନୁସାରେ, ବ୍ରିଟେନ୍ ଓ ଜର୍ମାନୀର ନେତୃତ୍ୱରେ ୟୁରୋପୀୟ ଦେଶଗୁଡ଼ିକର ଏକ ଗୋଷ୍ଠୀ ଗ୍ରିନଲାଣ୍ଡରେ ସେମାନଙ୍କର ସାମରିକ ଉପସ୍ଥିତି ବୃଦ୍ଧି କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି। କିନ୍ତୁ ଡେନମାର୍କର ବରଫ ଯୋଦ୍ଧାଙ୍କ ସହ ମୁକାବିଲା କରି ଗ୍ରିନଲାଣ୍ଡକୁ ହାତେଇବା ଲାଗି ଆମେରିକାର ଯେକୌଣସି ପଦକ୍ଷେପ ପୃଥିବୀର ସବୁଠାରୁ କଠିନ ସ୍ଥାନରେ ଏକ ବଡ଼ ପରୀକ୍ଷା ହେବ ବୋଲି ଅନୁମାନ କରାଯାଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ