ଭାରତ ଉପରେ ସମୁଦ୍ର ପଥରେ ଆତଙ୍କବାଦୀ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି ଲସ୍କର! ଆତଙ୍କବାଦୀଙ୍କୁ ପାଣି ଭିତରେ ଲଢ଼ିବା ପାଇଁ ଦେଉଛି ତାଲିମ୍
ନୂଆଦିଲ୍ଲୀ,୨୦|୧: ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାର ଏକ ନୂତନ ଭିଡିଓ ଭାଇରଲ ହେଉଛି । ଏହା ଭାରତୀୟ ସୁରକ୍ଷା ଏଜେନ୍ସି ପାଇଁ ଚିନ୍ତାର କାରଣ ପାଲଟିଛି | ଭିଡିଓରେ, ଲସ୍କର-ଏ-ତୈବା ଏବଂ ଏହାର ରାଜନୈତିକ ଶାଖା ପାକିସ୍ତାନ ମର୍କଜ ମୁସଲିମ ଲିଗ୍ ସହ ଜଡିତ ଥିବା ଲୋକେ ଜଳପଥରେ ଆକ୍ରମଣ ପାଇଁ ଆତଙ୍କବାଦୀଙ୍କୁ ପ୍ରସ୍ତୁତ କରାଯାଉଥିବା ବିଷୟରେ କଥା ହେଉଥିବା ଦେଖିବାକୁ ମିଳିଛି । ଭିଡିଓରେ ବିଶେଷକରି ଡଙ୍ଗା ଓ ସମୁଦ୍ର ପଥରେ ଲମ୍ବା ଯାତ୍ରା ପାଇଁ ତାଲିମ ଦେବା ଉପରେ ଗୁରୁତ୍ୱ ଦିଆଯାଇଛି। ତେବେ ଏହି ଭିଡିଓକୁ ଅତ୍ୟନ୍ତ ଗମ୍ଭୀରତାର ସହିତ ନିଆଯାଉଛି | ଏହାର ମୁଖ୍ୟ କାରଣ ହେଉଛି ଗତ ୨୦୦୮ ମସିହାରେ ମୁମ୍ବାଇ ଆତଙ୍କବାଦୀ ହମଲାରେ ଅଂଶଗ୍ରହଣକାରୀ ଅଜମଲ କସାବ ସମୁଦ୍ର ପଥ ଦ୍ୱାରା ଭାରତରେ ପ୍ରବେଶ କରିଥିଲା। ତେଣୁ ଲସ୍କର-ଏ-ତୈବା ଦ୍ୱାରା ଆତଙ୍କବାଦୀଙ୍କୁ ତାଲିମ ଦିଆଯିବା ଭିଡିଓକୁ ଏଭଳି ଆକ୍ରମଣ ପାଇଁ ଏକ ପ୍ରସ୍ତୁତି ହୋଇପାରେ ବୋଲି ସମ୍ଭାବନା ସୃଷ୍ଟି ହେଉଛି |
ଭାଇରଲ ହୋଇଥିବା ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେୟାର କରାଯାଇଛି। ଭିଡିଓରେ ଥିବା ବ୍ୟକ୍ତି ହେଉଛନ୍ତି ଲସ୍କର-ଏ-ତୈବା କମାଣ୍ଡର ହରିଶ ଡାର | ସେ ନିଯୁକ୍ତି ପାଇଥିବା ନୂଆ ଆତଙ୍କବାଦୀଙ୍କୁ ସମ୍ବୋଧିତ କରି ପାଣି ଭିତରେ ତାଲିମର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ଉପରେ ଆଲୋଚନା କରୁଛନ୍ତି | ସେ ସ୍କୁବା ଡାଇଭିଂ, ପହଁରିବା, ଡଙ୍ଗା ପରିଚାଳନା ଓ ଉଦ୍ଧାର ଭଳି କାର୍ଯ୍ୟକଳାପ ବିଷୟରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି | ଯେଉଁଥିରୁ ଅନୁମାନ ହେଉଛି ଯେ, ସଂଗଠନ ସାମୁଦ୍ରିକ ଆକ୍ରମଣ ପାଇଁ ସ୍ୱତନ୍ତ୍ର ସ୍କ୍ବାଡ୍ ପ୍ରସ୍ତୁତ କରୁଛି। ଭିଡିଓରେ ଅନ୍ୟ ଜଣେ ଲସ୍କର କମାଣ୍ଡରଙ୍କୁ କହୁଥିବାର ଶୁଣାଯାଉଛି ଯେ, ସଂଗଠନ ଏକ ଜଳ ବାହିନୀ ପ୍ରସ୍ତୁତ କରୁଛି। ଯେଉଁଥିରେ ୧୩୫ ଜଣଙ୍କୁ ଡଙ୍ଗା ଚଳାଇବା ପାଇଁ ତାଲିମ ଦିଆଯାଇଛି। ଭାରତୀୟ ଗଣମାଧ୍ୟମରେ ତାଙ୍କ ସଂଗଠନକୁ ମିଳୁଥିବା କଭରେଜ୍ ନେଇ ସେ ଗର୍ବ କରୁଥିବା ଅଭିଯୋଗ କରିଛନ୍ତି।
ଗତ କିଛି ଦିନ ମଧ୍ୟରେ ପାକିସ୍ତାନ ମାଟିରୁ ଭାରତ ବିରୁଦ୍ଧରେ ଅନେକ ବିଭ୍ରାନ୍ତିକର ମନ୍ତବ୍ୟ ଦେବା ଭଳି ଅନେକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଲସ୍କର-ଏ-ତୈବା କମାଣ୍ଡର ଆମିର ଜିଆ ଭାରତରେ ବିନାଶ ଆଣିବା ଓ ପାକ୍ ଅଧିକୃତ କାଶ୍ମୀରରେ ଜିହାଦ ଆରମ୍ଭ କରିବାକୁ ଧମକ ମଧ୍ୟ ଦେଇଥିଲା। ସେ ଗଜୱା-ଏ-ହିନ୍ଦ୍ ଭଳି ଉତ୍ତେଜନାପୂର୍ଣ୍ଣ ସ୍ଲୋଗାନ ମଧ୍ୟ ଦେଇଥିଲା। ସୂଚନାଯୋଗ୍ୟ, ଗତ ବର୍ଷ ମେ’ ମାସରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟାନରେ ଭାରତ ଅପରେସନ ସିନ୍ଦୂର ଅପରେସନରେ ପାକିସ୍ତାନର ପଞ୍ଜାବ ଓ ପିଓକେରେ ଆତଙ୍କବାଦୀ ଆଡ୍ଡା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଯେଉଁଥିରେ ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଏ-ତୈବାର ଅନେକ ଆଡ୍ଡା ଧ୍ୱଂସ ହୋଇଥିଲା।

