ପ୍ରଥମେ ପ୍ରେମିକ ସହ ଯୁବତୀ ନିଖୋଜ; ମିଳିଲା ଉଭୟଙ୍କ ମୃତଦେହ, ଭାଇଙ୍କ ଉପରେ ହତ୍ୟା ଅଭିଯୋଗ
ନୂଆଦିଲ୍ଲୀ,୨୨|୧: ପ୍ରଥମେ ନିଖୋଜ ହେବା ଖବର | ପରେ ମିଳିଲା ମୃତଦେହ ! ଜଙ୍ଗଲ ମଧ୍ୟରୁ ମିଳିଲା ଉଭୟ ପ୍ରେମିକ ପ୍ରେମିକାଙ୍କ ମୃତଦେହ | ମୃତଦେହକୁ ଉଦ୍ଧାର କରି ପୋଲିସ ପୋଷ୍ଟମର୍ଟମ ପାଇଁ ପଠାଇଛି | ଉତ୍ତରପ୍ରଦେଶର ପକବାରା ଥାନା ଅନ୍ତର୍ଗତ ଉମରି ସାବଜିପୁର ଗାଁରୁ ଏଭଳି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଯେଉଁଠି ପ୍ରଥମେ ମୁସଲମାନ ପ୍ରେମିକ ସହ ଯୁବତୀ ନିଖୋଜ ହୋଇଥିବାର ଖବର ସାମ୍ନାକୁ ଆସିଥିଲା ଏବଂ ପରେ ଉଭୟଙ୍କ ମୃତ ଦେହ ମିଳିଛି |
ସୂଚନା ଅନୁସାରେ, ଉମରି ସାବଜିପୁର ଗାଁର ଅଧିବାସୀ କାଜଲ ଏବଂ ଅରମାନ ତିନି ଦିନ ପୂର୍ବେ ଏକାଠି ଘରୁ ଫେରାର ହୋଇଯାଇଥିଲେ। ଉଭୟଙ୍କ ପରିବାର ସେମାନଙ୍କୁ ବହୁ ଖୋଜିବା ପରେ ନ ପାଇ ଶେଷରେ ପରିବାର ପକବାରା ପୁଲିସ ଷ୍ଟେସନରେ ଏକ ନିଖୋଜ ହୋଇଯାଇଥିବାର ଏକ ମାମଲା ରୁଜୁ କରିଥିଲେ। ତେବେ ମାମଲାର ରୁଜୁ ହେବା ପରେ, ପୁଲିସ ସନ୍ଧାନ କରିବା ଆରମ୍ଭ କରିଥିଲା। ସନ୍ଧାନ ସମୟରେ ଗାଁଠାରୁ କିଛି ଦୂରରେ ନିମ୍ କାରୋଲି ମନ୍ଦିର ପଛପଟେ ଜଙ୍ଗଲ ମଧ୍ୟରୁ ଦୁଇଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ଉଭୟ ପ୍ରେମିକ ପ୍ରେମୀକାଙ୍କ ମୃତଦେହ ଏକାଠି ମିଳିବା ଘଟଣାରେ ନିକଟସ୍ଥ ଗାଁରୁ ବହୁ ସଂଖ୍ୟକ ଲୋକ ଏକତ୍ରିତ ହୋଇ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିଥିଲେ। ସୂଚନା ପାଇ ବରିଷ୍ଠ ପୁଲିସ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ସିଓ ସିଭିଲ ଲାଇନ୍ସ ଏବଂ ପିଏସି ଫୋର୍ସଙ୍କୁ ମଧ୍ୟ ମୁତୟନ କରାଯାଇଥିଲା। ଆଉ ପରେ, ପୁଲିସ ଉଭୟ ମୃତଦେହର ପରୀକ୍ଷା ରିପୋର୍ଟ ପ୍ରସ୍ତୁତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିବା ଜଣାପଡିଛି |
ଗାଁ ଲୋକଙ୍କ କହିବା ଅନୁସାରେ, ମୃତ କାଜଲ ଜଣେ ଛାତ୍ରୀ ଥିଲେ ଏବଂ ଅରମାନ ମଧ୍ୟ ସେହି ଗାଁର ବାସିନ୍ଦା ଥିଲେ। ସେହିପରି ଗାଁ ମୁଖିଆଙ୍କ କହିବା ଅନୁଯାୟୀ, ଅରମାନ ଏବଂ କାଜଲଙ୍କ ଭିତରେ ପୂର୍ବରୁ ପ୍ରେମ ସମ୍ପର୍କ ରହିଥିଲା। ଆଉ ଆଜି ସେମାନଙ୍କ ପରିବାର ପକ୍ଷରୁ ଏକ ନିଖୋଜ ମାମଲା ଦାଖଲ କରାଯାଇଥିଲା ଏବଂ ଏହାର କିଛି ଘଣ୍ଟା ପରେ ଜଙ୍ଗଲରୁ ସେମାନଙ୍କ ମୃତଦେହ ମିଳିଛି । ସେ ସନ୍ଦେହ କରିଛନ୍ତି ଯେ, ଉଭୟଙ୍କୁ ହତ୍ୟା କରାଯାଇଛି।
ଅନ୍ୟପଟେ, ଏସଏସପି ସତପାଲ ଆଣ୍ଟିଲ ଏହି ମାମଲା ପ୍ରକାଶ କରି କହିଛନ୍ତି ଯେ, ପକବାରା ଥାନା ଅଞ୍ଚଳର ଉମରିକାଲା ଗ୍ରାମରୁ ଏକ ନିଖୋଜ ଅଭିଯୋଗ ଆସିଥିଲା। ଏହା ପରେ ଆଜି ସକାଳେ, ଜଣେ ଯୁବତୀଙ୍କ ନିଖୋଜ ରିପୋର୍ଟ ମଧ୍ୟ ମିଳିଥିଲା। ତେବେ ତଦନ୍ତ ପ୍ରାଥମିକ ପର୍ଯ୍ୟାୟରୁ ଜଣାପଡିଛି ଯେ, ଯୁବତୀଙ୍କ ଭାଇମାନେ ହିଁ ସେମାନଙ୍କୁ ହତ୍ୟା କରିଛନ୍ତି। ଝିଅଟିର ତିନି ଭାଇଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏସଏସପିଙ୍କ ଅନୁସାରେ, ମହିଳାଙ୍କ ତିନି ଭାଇଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି, ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ପୋଲିସ ହେପାଜତକୁ ନିଆଯାଇଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏକ ପ୍ୟାନେଲ ଏବଂ ଭିଡିଓଗ୍ରାଫି ସହିତ ପୋଷ୍ଟମର୍ଟମର ଯାଞ୍ଚ ଚାଲିଛି। ପୁଲିସ ସମ୍ପୂର୍ଣ୍ଣ ମାମଲାକୁ ଗମ୍ଭୀରତାର ସହିତ ନେଇ ନିଜର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି |

