ଦିଲ୍ଲୀରେ ଝଡ଼ବର୍ଷା ଏବଂ କାଶ୍ମୀରରେ ପ୍ରବଳ ତୁଷାରପାତ; ପାଣିପାଗ ବିଭାଗ ପକ୍ଷରୁ କରାଯାଇଛି ଆଲର୍ଟ
ନୂଆଦିଲ୍ଲୀ,୨୩ା୧: ପଶ୍ଚିମା ଝଡ ପ୍ରଭାବ ଯୋଗୁଁ ସମଗ୍ର ଉତ୍ତର ଭାରତର ପାଣିପାଗରେ ପରିବର୍ତ୍ତନ ହୋଇଛି । ଆଜି ସକାଳୁ ଦିଲ୍ଲୀ ଓ ଏନ୍ସିଆର୍ ଅଞ୍ଚଳରେ ଝଡ଼ବର୍ଷା ହୋଇଥିବା ବେଳେ କାଶ୍ମୀର ଉପତ୍ୟକା ଏବଂ ହିମାଚଳ ପ୍ରଦେଶର ପାର୍ବତ୍ୟ ଅଞ୍ଚଳରେ ପ୍ରବଳ ତୁଷାରପାତ ଜାରି ରହିଛି। ଦିଲ୍ଲୀ-ଏନ୍ସିଆର୍ ଏବଂ ପଞ୍ଜାବ ଓ ହରିୟାଣାର ଅନେକ ଅଞ୍ଚଳରେ ଝଡ଼ ଏବଂ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ସକ୍ରିୟ ପଶ୍ଚିମାଝଡ଼ ପ୍ରଭାବରେ ଆଜି ଦିଲ୍ଲୀର ଆକାଶ ମେଘାଚ୍ଛନ୍ନ ରହିବା ସହ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ତେବେ ଅପରାହ୍ଣରେ ବର୍ଷା ପରିମାଣ ବଢ଼ିବ ବୋଲି ମଧ୍ୟ ସୂଚନା ଦିଆଯାଇଛି | ଏହି ସମୟରେ ଘଣ୍ଟାପ୍ରତି ୩୦-୪୦ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ସୂଚନା ଦେଇଛି | ଗୁରୁବାର ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ୨୭.୧ ଡିଗ୍ରୀ ସେଲସିୟସ ରହିଥିବାବେଳେ ସାତ ବର୍ଷ ମଧ୍ୟରେ ଜାନୁଆରିର ସବୁଠାରୁ ଉଷ୍ଣ ଦିନ ଭାବେ ରେକର୍ଡ କରାଯାଇଥିଲା। ଆଜିର ସର୍ବାଧିକ ତାପମାତ୍ରା ୧୯ ଡିଗ୍ରିକୁ ଖସି ଆସିବ ଏବଂ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ରହିପାରେ ବୋଲି ଆଇଏମ୍ଡି ପକ୍ଷରୁ କୁହାଯାଇଛି।
ଦିଲ୍ଲୀ ପାଇଁ ପାଣିପାଗ ବିଭାଗ ପକ୍ଷରୁ ‘ଅରେଞ୍ଜ ଆଲର୍ଟ’ ଜାରି କରାଯାଇଥିଲା। ଦିଲ୍ଲୀର- ନରେଲା, ରୋହିଣୀ, ପିତମପୁରା, ପଞ୍ଜାବୀ ବାଗ୍ ଏବଂ ଦ୍ୱାରକାରେ ପ୍ରବଳ ପବନ ସହ ବର୍ଷା ହୋଇଛି। ତେବେ ଏହି ବର୍ଷା କାରଣରୁ ତାପମାତ୍ରା ହ୍ରାସ ପାଇଛି। ପାଣିପାଗ ବିଭାଗ ଅନୁଯାୟୀ, ଆଜି ଦିନସାରା ଆକାଶ ମେଘାଚ୍ଛନ୍ନ ରହିବା ସହ ଅପରାହ୍ନ କିମ୍ବା ସନ୍ଧ୍ୟାରେ ସ୍ୱଳ୍ପ ପରିମାଣରେ ବର୍ଷା ହୋଇପାରେ।
ସେହିପରି ଜମ୍ମୁ-କାଶ୍ମୀରର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଗୁଲମର୍ଗ ଏବଂ ଅନ୍ୟାନ୍ୟ ଉଚ୍ଚ ପାର୍ବତ୍ୟ ଅଞ୍ଚଳରେ ଗୁରୁବାର ପ୍ରବଳ ତୁଷାରପାତ ହୋଇଛି। ଏଥିପାଇଁ ଦୃଶ୍ୟମାନତାରେ ହ୍ରାସ ହୋଇଛି ଯାହା ଫଳରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି | ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥରେ ବରଫ ଜମି ରହିଥିବାରୁ ଯାତାୟାତ ବନ୍ଦ ରହିଛି। ସେପଟେ ଉତ୍ତରାଖଣ୍ଡ ପାଇଁ ମଧ୍ୟ ପାଣିପାଗ ବିଭାଗ ବର୍ଷା ଏବଂ ତୁଷାରପାତ ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି। ଉତ୍ତରକାଶୀ, ଡେରାଡୁନ, ରୁଦ୍ରପ୍ରୟାଗ ଓ ଚାମୋଲିରେ ପ୍ରବଳ ବର୍ଷା ଓ ତୁଷାରପାତ ଏବଂ ବାଗେଶ୍ବର ଓ ପିଥୋରାଗଡ଼ରେ ବର୍ଷା ଓ ତୁଷାରପାତ ନେଇ ଆଲର୍ଟ ଜାରି ହୋଇଛି। ଉତ୍ତରାଖଣ୍ଡର ଅନ୍ୟ ଜିଲ୍ଲାଗୁଡ଼ିକୁ କୁଆପଥର ବର୍ଷା ଏବଂ ପବନ ବହିବା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି।

