ରାଷ୍ଟ୍ରପତିଙ୍କ ଅନୁରୋଧ ସତ୍ତ୍ୱେ, ଉତ୍ତର-ପୂର୍ବ ଭାରତର ପାରମ୍ପରିକ ‘ପଟ୍କା’ ପିନ୍ଧିବାକୁ ମନା କଲେ; ବିଜେପିର କଡା ସମାଲୋଚନା
ନୂଆଦିଲ୍ଲୀ,୨୭।୧: ରାଷ୍ଟ୍ରପତିଙ୍କ ଅନୁରୋଧକୁ ପ୍ରତ୍ୟାଖାନ କରିଛନ୍ତି କଂଗ୍ରେସ ଦଳର ନେତା ରାହୁଲ ଗାନ୍ଧୀ | ଦୁଇ ଦୁଇଥର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁରୋଧ ସତ୍ତ୍ୱେ, ଶୁଣିଲେନି ରାହୁଲ ଗାନ୍ଧୀ। ଅବଶ୍ୟ ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ଅନେକ ଥର ରାହୁଲ ବରିଷ୍ଠ ମାନଙ୍କୁ ହତାଦର କରିବାର ଉଦାହରଣ ରହିଛି। ଆଉ ଏବେ ସେ ରାଷ୍ଟ୍ରପତିଙ୍କ ଅନୁରୋଧକୁ ମଧ୍ୟ ଖାତିର କରି ନାହାନ୍ତି।
ସୋମବାର ସାଧାରଣତନ୍ତ୍ର ୭୭ତମ ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ଆୟୋଜିତ ହୋଇଥିଲା ‘ଆଟ୍ ହୋମ୍’ କାର୍ଯ୍ୟକ୍ରମ। ତେବେ ଏହି କାର୍ଯ୍ୟକ୍ରମରେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଉତ୍ତର-ପୂର୍ବ ଭାରତର ପାରମ୍ପରିକ ‘ପଟ୍କା’ ପିନ୍ଧି ନଥିଲେ | ଏନେଇ ଭାଜପା ଏବଂ କଂଗ୍ରେସ ମଧ୍ୟରେ ରାଜନୈତିକ ବିବାଦ ଆରମ୍ଭ ହୋଇଛି।
ଭାଜପା ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ଦାବି କରିଛନ୍ତି ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୁଇ ଦୁଇଥର ଅନୁରୋଧ କଲେ ତାହା ପରେ ବି ରାହୁଲ ଗାନ୍ଧୀ ପଟ୍କା ପିନ୍ଧିବାକୁ ମନା କରିଥିଲେ।ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଦେଶୀ ପ୍ରତିନିଧି ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ଼ଗେ ମଧ୍ୟ ଏହି ପଟ୍କା ପିନ୍ଧିଥିଲେ। କିନ୍ତୁ ଏକା ରାହୁଲ ହିଁ ମନା କରିଦେଇଥିଲେ |
ଏବେ ଏହି ଘଟଣାକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, “ରାହୁଲଙ୍କ ଏଭଳି ଆଚରଣ ଅତ୍ୟନ୍ତ ସମ୍ବେଦନହୀନ” ଏବଂ “ଉତ୍ତର-ପୂର୍ବବାସୀଙ୍କ ପ୍ରତି ଏହା ଏହା ବଡ ଅପମାନ” | ଏହା ସହିତ ରାହୁଲଙ୍କ ଏଭଳି ଆଚରଣ ପାଇଁ ରାହୁଲ କ୍ଷମା ମାଗିବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି।
ତେବେ ବିଜେପିର ପ୍ରତିକ୍ରିୟାର ଜବାବ ରଖିଛି କଂଗ୍ରେସ | ଏହି କ୍ଷମା ପ୍ରାର୍ଥନା ପ୍ରସଙ୍ଗକୁ କଂଗ୍ରେସ ପ୍ରତ୍ୟାଖ୍ୟାନ କରିବା ସହ ଏହାକୁ ଏକ ଅଣ-ପ୍ରସଙ୍ଗ ବୋଲି କହିଛି। ଏହାସହିତ କଂଗ୍ରେସ ନେତା ପବନ ଖେରା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ରାଜନାଥ ସିଂଙ୍କ ମଧ୍ୟ ପଟ୍କା ପିନ୍ଧି ନାହାନ୍ତି। ତେବେ ହିମନ୍ତ ବିଶ୍ୱ ଶର୍ମା କ’ଣ ରାଜନାଥ ସିଂଙ୍କଠାରୁ ମଧ୍ୟ କ୍ଷମା ପ୍ରାର୍ଥନା ଦାବି କରିବେକି ବୋଲି ସେ ପ୍ରଶ୍ନ କରିଛନ୍ତି।
ଏହି କଥାକୁ ସମର୍ଥନ କରି କଂଗ୍ରେସ ନେତା ଅଜୟ କୁମାର ଲାଲୁ କହିଛନ୍ତି ଯେ ବିଜେପି କେବଳ ଅପପ୍ରଚାର ଚଳାଇଛି। ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ବିରୋଧୀ ଦଳର ନେତାଙ୍କୁ ଦିଆଯାଇଥିବା ପଛରେ ଦିଆଯାଇଥିବା ଆସନ ବ୍ୟବସ୍ଥା ବିଜେପିର ମାନସିକତାକୁ ଦର୍ଶାଉଛି।
ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ସମେତ ବିରୋଧୀ ନେତାମାନଙ୍କୁ ପଛରେ ବସାଇ ଅପମାନିତ କରାଯାଇଛି | ଏନେଇ କଂଗ୍ରେସ ଅଭିଯୋଗ ଆଣିଛି । ଏହା ବ୍ୟତୀତ କଂଗ୍ରେସ ଦଳ ଏହି ସମ୍ପର୍କରେ ୨୦୧୪ ମସିହାର ସାଧାରଣତନ୍ତ୍ର ଦିବସର ଏକ ଫଟୋ ସେୟାର କରିଛି। ଯେଉଁଥିରେ ବିରୋଧୀ ନେତା ଭାବରେ ଲାଲକୃଷ୍ଣ ଆଡଭାନୀଙ୍କୁ ପରେଡ ସମୟରେ ଆଗ ଧାଡ଼ିରେ ବସିଥିବାର ଦେଖାଯାଇଛି।

