ଆମେରିକା ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର, ଆମେରିକା ଏବଂ ଭାରତ ମଧ୍ୟରେ ବିବାଦ ହେବ ସମାଧାନ!
ନୂଆଦିଲ୍ଲୀ,୨୯।୧: ଆସନ୍ତା ସପ୍ତାହରେ ବିଦେଶ ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର। ଆମେରିକାରେ ”କ୍ରିଟିକାଲ୍ ମିନେରାଲ୍ସ” ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବା ପାଇଁ ଆମେରିକା ଗସ୍ତ କରିବେ ମନ୍ତ୍ରୀ ଜୟଶଙ୍କର। ୱାଶିଂଟନ୍ ଡିସିରେ ଅନୁଷ୍ଠିତ ହେବ ଏହି ବୈଠକ। ଏହା ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ଦ୍ୱାରା ଆୟୋଜିତ ପ୍ରଥମ ଉଚ୍ଚସ୍ତରୀୟ ବୈଠକ ହେବ। ଏହି ବୈଠକରେ ଜୟଶଙ୍କର ଓ ରୁବିଓ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିବା ନେଇ ଆଶା ରହିଛି।
ତେବେ ଏହି ବୈଠକର ମୂଳ ଲକ୍ଷ୍ୟ ହେଉଛି ବିଶ୍ୱର ଦେଶଗୁଡ଼ିକୁ ଏକତ୍ରିତ କରି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ଯୋଗାଣ ଶୃଙ୍ଖଳକୁ ସୁରକ୍ଷିତ କରିବା ପାଇଁ ସହଯୋଗ ବୃଦ୍ଧି କରିବା । ଯେଉଁଥିରେ ଲିଥିୟମ୍, କୋବାଲ୍ଟ ଓ ନିକେଲ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ରହିଛି, ଯାହା ଇଲେକ୍ଟ୍ରି ଭେଇକିଲ ଏବଂ ନବୀକରଣୀୟ ଶକ୍ତି ଭିତ୍ତିଭୂମି ଠାରୁ ଆରମ୍ଭ କରି ପ୍ରତିରକ୍ଷା ବ୍ୟବସ୍ଥା ପର୍ଯ୍ୟନ୍ତ ସବୁକିଛିରେ ବ୍ୟବହାର ହୋଇଥାଏ।
ଏହି ଉଚ୍ଚସ୍ତରୀୟ ବୈଠକ ଏପରି ଏକ ସମୟରେ ହେଉଛି, ଯେତେବେଳେ କି ବାଣିଜ୍ୟ ଚୁକ୍ତିକୁ ନେଇ ଭାରତ ଓ ଆମେରିକା ମଧ୍ୟରେ ବିବାଦ ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ଆଶା କରାଯାଉଛି ଯେ, ଜୟଶଙ୍କରଙ୍କ ଆମେରିକା ଗସ୍ତ ଭାରତ ଓ ଆମେରିକା ସମ୍ପର୍କରେ ଉତ୍ତେଜନା କମ କରିବା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରିବ। ଆଗାମୀ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହେବାର ସମ୍ଭାବନା ଉପରେ ମଧ୍ୟ ଆଲୋଚନା ହୋଇପାରେ। ସୂଚନା ଅନୁସାରେ, ଜୟଶଙ୍କରଙ୍କ ଆମେରିକା ଗସ୍ତରୁ ସ୍ପଷ୍ଟ ସୂଚନା ହେବ ଯେ, ଦୁଇ ଦେଶ ମଧ୍ୟରେ ଥିବା ବିବାଦ ସମାଧାନ ଆଡକୁ ଯାଉଛି।
ଉଲ୍ଲେଖଯୋଗ୍ୟ, ନିକଟରେ ୟୁରୋପ ସହ ଭାରତର ମୁକ୍ତ ବାଣିଜ୍ୟ ଚୁକ୍ତି (ଫ୍ରି ଟ୍ରେଡ୍ ଏଗ୍ରିମେଣ୍ଟ୍) ସ୍ୱାକ୍ଷର ହୋଇଛି। ଆମେରିକାର ଶୁଳ୍କ ଚାପ ମଧ୍ୟରେ ଏହି ଚୁକ୍ତିକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ଏହି ଚୁକ୍ତିନାମା ଭାରତୀୟ କମ୍ପାନୀଗୁଡ଼ିକୁ ନିର୍ଦ୍ଦିଷ୍ଟ ବଜାରରେ ଅଗ୍ରାଧିକାର ପ୍ରଦାନ କରିବ। ଏହା “ଭାରତରେ ନିର୍ମିତ” ଚିକିତ୍ସା ଉପକରଣ ଉପରେ ଶୁଳ୍କକୁ ମଧ୍ୟ ହ୍ରାସ କରିବ। ଏହା ସହିତ, ରାସାୟନିକ ପଦାର୍ଥ, ସାର, ଔଷଧ, ସାବୁନ ଏବଂ ଡିଟରଜେଣ୍ଟ ଭଳି ସାମଗ୍ରୀ ବ୍ୟବସାୟରେ ବୃଦ୍ଧି ଘଟିବ।

