ଭାରତ-ଇୟୁ ମୁକ୍ତ ବାଣିଜ୍ୟ ଚୁକ୍ତି; ପାକିସ୍ତାନ ଉପରେ ପଡିଛି ବଡ ପ୍ରଭାବ, ସଙ୍କଟରେ ୧ କୋଟି ଚାକିରି
ନୂଆଦିଲ୍ଲୀ,୨|୨: ଭାରତ ଏବଂ ୟୁରୋପୀୟ ସଂଘ (ଇୟୁ) ମଧ୍ୟରେ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା(ଏଫ୍ଟିଏ)ରେ ପାକିସ୍ତାନ ପାଇଁ ସମସ୍ୟା ସୃଷ୍ଟି କରିଛି | ଯେଉଁଥିରେ ପ୍ରାୟ ଏକ କୋଟି ଲୋକଙ୍କ ଚାକିରି ବିପଦରେ ପଡ଼ିଛି। ଏହା ସହିତ କୋଟି କୋଟି ଡଲାରର କ୍ଷତିର ଆଶଙ୍କା କରାଯାଉଛି।
ଭାରତ-ଇୟୁ ମଧ୍ୟରେ ହୋଇଥିବା ଚୁକ୍ତିକୁ ନେଇ ପାକିସ୍ତାନର ପୂର୍ବତନ ବାଣିଜ୍ୟ ମନ୍ତ୍ରୀ ଗୋହର ଏଜାଜ୍ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରିଛନ୍ତି | ଯେଉଁଥିରେ ସେ ଲେଖିଛନ୍ତିଯେ, ୟୁରୋପୀୟ ସଂଘ ସହିତ ପାକିସ୍ତାନର ଶୂନ୍-ଶୁଳ୍କ ପ୍ରକ୍ରିୟା ଶେଷ ହୋଇଛି। ଆଉ ଏଥିରେ ପ୍ରାୟ ଏକ କୋଟି ପାକିସ୍ତାନୀଙ୍କ ଚାକିରି ବିପଦରେ ଅଛି। ତେବେ ଏହାର ମୁକାବିଲା ପାଇଁ ସରକାର ଶିଳ୍ପଗୁଡ଼ିକୁ ଶସ୍ତା ବିଦ୍ୟୁତ୍, କମ ଟିକସ ଓ ସହଜ ଋଣ ଯୋଗାଇବା ଉଚିତ। ଯାହା ଦ୍ୱାରା ସେମାନେ ଅନ୍ୟ ଦେଶର ଶିଳ୍ପଗୁଡ଼ିକ ସହିତ ପ୍ରତିଯୋଗିତା କରିପାରିବେ। ପାକିସ୍ତାନ କହିଛିଯେ, ଭାରତ ସହିତ ହୋଇଥିବା ଚୁକ୍ତିନାମା ସମ୍ପର୍କରେ ଆମେ ଇୟୁ ଅଧିକାରୀଙ୍କ ସହ ଯୋଗାଯୋଗ କରୁଛୁ। ଆମ ରପ୍ତାନି ଉପରେ ଏହାର ପ୍ରଭାବ କିପରି ପଡ଼ିବ ସେନେଇ ମଧ୍ୟ ନିରୀକ୍ଷଣ କରାଯାଉଛି |
ତେବେ ଭାରତ ସହିତ ଚୁକ୍ତି ପରେ ୟୁରୋପୀୟ ବଜାରରେ ପାକିସ୍ତାନର ବାଣିଜ୍ୟ ଉପରେ ପ୍ରଭାବ ପଡିବା ଦେଖାଯାଇଛି | ଏବଂ ଏହି ଚୁକ୍ତି ଦ୍ୱାରା ପାକିସ୍ତାନ ସମସ୍ୟାରେ ପଡ଼ିଛି। ୟୁରୋପୀୟ ସଂଘ ହେଉଛି ପାକିସ୍ତାନର ଅନ୍ୟ ଦେଶ ଅପେକ୍ଷା ସବୁଠାରୁ ବଡ଼ ରପ୍ତାନି ବଜାର | ଏବେ ପାକିସ୍ତାନ ଓ ୟୁରୋପୀୟ ସଂଘ ମଧ୍ୟରେ ମୋଟ ବାଣିଜ୍ୟ ୧.୧୦ ଲକ୍ଷ କୋଟି ଟଙ୍କା ରହିଛି। ଇୟୁ ବଜାରରେ ପାକିସ୍ତାନର କାରବାର ଭାରତ ଅପେକ୍ଷା ଅଧିକ ରହିଛି। ଇୟୁର ଜିଏସ୍ପି ପ୍ଲସ୍ ଯୋଜନା ଯୋଗୁ ପାକିସ୍ତାନ ଦୀର୍ଘ ବର୍ଷ ଧରି ୟୁରୋପୀୟ ବଜାରରେ ସୁବିଧା ଉପଭୋଗ କରିଆସୁଛି। ଏହି ଯୋଜନା ପାକିସ୍ତାନକୁ ପ୍ରାୟ ୬୬ ପ୍ରତିଶତ ଉତ୍ପାଦ ବିନା ଟିକସରେ ୟୁରୋପକୁ ରପ୍ତାନି କରିବାକୁ ଅନୁମତି ଦେଇଛି। ସେସବୁ ଉତ୍ପାଦ ମଧ୍ୟରେ କପଡ଼ା ଓ ରେଡିମେଡ ପୋଷାକ ଭଳି ସାମଗ୍ରୀ ଅନ୍ତର୍ଭୁକ୍ତ ରହିଛି। ଅନ୍ୟପଟେ, ଭାରତକୁ ଏସବୁ ସାମଗ୍ରୀ ଉପରେ ୯% ରୁ ୧୨% ଟିକସ ଦେବାକୁ ପଡୁଥିଲା। ପାକିସ୍ତାନର କପଡ଼ା ରପ୍ତାନି ମୋଟ ୬.୨ ବିଲିୟନ ଡଲାର ଥିବାବେଳେ ଭାରତର ରପ୍ତାନି ପରିମାଣ ୫.୬ ବିଲିୟନ ଡଲାର ଥିଲା।
ପାକିସ୍ତାନକୁ ୨୦୧୪ରେ ମିଳିଥିବା ଜିଏସ୍ପି ପ୍ଲସ୍ ର ସୁବିଧା ଡିସେମ୍ବର ୨୦୨୭ରେ ଶେଷ ହେବାକୁ ଯାଉଛି। ଯଦି ଏଥିରେ ବୃଦ୍ଧି କରାନଯାଏ, ତେବେ ୟୁରୋପରେ ପାକିସ୍ତାନର ସ୍ୱତନ୍ତ୍ର ବାଣିଜ୍ୟ ସୁବିଧା ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯିବାର ଆଶଙ୍କା ସୃଷ୍ଟି କରିଛି ।। ଯେହେତୁ ୟୁରୋପୀୟ ସଂଘ ହେଉଛି ପାକିସ୍ତାନର ସବୁଠାରୁ ବଡ଼ ରପ୍ତାନି ବଜାର। ତେଣୁ, ପାକିସ୍ତାନୀ ବ୍ୟବସାୟୀମାନେ ଭୟ କରୁଛନ୍ତିଯେ, ଭାରତ ସହ ଇୟୁର ଚୁକ୍ତିନାମା ଯୋଗୁ ୟୁରୋପୀୟ ବଜାରରେ ପାକିସ୍ତାନର ପ୍ରଭାବ କମ ହୋଇପାରେ। ଯାହା ଫଳରେ ଅନ୍ୟ ଦେଶମାନଙ୍କ ସହିତ ପ୍ରତିଯୋଗିତା କରିବାକୁ ପାକିସ୍ତାନ ପାଇଁ କଷ୍ଟକର ହେବ।।
ୟୁରୋପୀୟ ସଂଘ ସହ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମାରେ ଭାରତକୁ ୟୁରୋପରେ ଏକ ବଡ଼, ଟିକସମୁକ୍ତ ବଜାରର ସୁବିଧା ମିଳିବ । ଯାହା ଦ୍ୱାରା ପାକିସ୍ତାନ ପାଉଥିବା ସୁଯୋଗର ପରିମାଣ ପ୍ରଭାବିତ ହେବ। ଏହି ଚୁକ୍ତିନାମା କାର୍ଯ୍ୟକାରୀ ହେବା ପରେ, ଭାରତର ପ୍ରାୟ ୯୫ ପ୍ରତିଶତ ଶ୍ରମ-ଭିତ୍ତିକ ଉତ୍ପାଦ ଇୟୁରେ ଟିକସମୁକ୍ତ ପ୍ରବେଶ ପାଇବ। ୟୁରୋପରୁ ଭାରତକୁ ଆମଦାନି ହେଉଥିବା ବିଳାସପୂର୍ଣ୍ଣ କାର ଏବଂ ମଦ ମଧ୍ୟ ଶସ୍ତା ହୋଇଯିବ। ଚୁକ୍ତି ଦ୍ବାରା ଭାରତ ବିଶେଷ ଲାଭାନ୍ବିତ ହେବାର ଆଶା ଥିବାବେଳେ ପାକିସ୍ତାନର ସ୍ଥିତି ସଙ୍କଟଜନକ ପରିସ୍ଥିତିର ସମ୍ମୁଖୀନ ହୋଇଛି।

