ଆଜି ହେବ ଚଳଚ୍ଚିତ୍ର ‘ବରବଧୂ’ର ରିଲିଜ୍; ଦେଖିବାକୁ ମିଳିବ ଓଡ଼ିଆ ପରମ୍ପରାର ଝଲକ
ଭୁବନେଶ୍ୱର,୧୩|୨: ଆଜି ସିନେମା ହଲରେ ରିଲିଜ୍ ହେବ ଓଡ଼ିଆ ଚଳଚ୍ଚିତ୍ର ‘ବରବଧୂ’। ଗୁରୁବାର ଭୁବନେଶ୍ୱରସ୍ଥିତ ସ୍ୱାତି କମ୍ପ୍ଲେକ୍ସରେ ଏହାର ପ୍ରି-ସ୍କ୍ରିନଙ୍ଗ ହୋଇଥିଲା | ଏହି ସମୟରେ ଦର୍ଶକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଖାଣ୍ଟି ଓଡ଼ିଆ କାହାଣୀକୁ ଆଧାର କରି ପ୍ରସ୍ତୁତ ହୋଇଥିବା ‘ବରବଧୂ’ ଚଳଚ୍ଚିତ୍ରରେ ମଧ୍ୟବିତ ପରିବାରର ଜୀବନଶୈଳୀ,ସଦସ୍ୟଙ୍କ ମଧ୍ୟରେ ଥିବା ସମ୍ପର୍କ ଏବଂ ପ୍ରତିବନ୍ଧକକୁ ଦର୍ଶାଯାଇଛି ।
ବିଶିଷ୍ଟ ନିର୍ଦ୍ଦେଶକ ବିଶ୍ୱରଞ୍ଜନ ଏହି ସିନେମାକୁ ନିର୍ଦ୍ଦେଶନା ଦେଇଥିବା ବେଳେ, ସିନେମାରେ ସୁଭାଶିଷ ଶର୍ମା, ଶୈଳେନ୍ଦ୍ର ସାମନ୍ତରାୟ, ଶିବାନୀ ସଙ୍ଗୀତା, ସୂର୍ୟ୍ୟମୟୀ ମହାପାତ୍ର, ହର ରଥ ଓ ଭାସ୍ୱତୀ ବସୁଙ୍କ ଅଭିନୟ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଛି । ଚନ୍ଦ୍ରମଣିଙ୍କ ପ୍ରଯୋଜନାରେ ନିର୍ମିତ ଏହି ଚଳଚ୍ଚିତ୍ରଟି କଣ୍ଟ୍ରି ବୟଜ୍ ଷ୍ଟୁଡିଓ ଓ ସାର୍ବଲାଇନ୍ ଫିଲ୍ମ ପ୍ରାଇଭେଟ୍ ଲିମିଟେଡ୍ ସହଯୋଗୀ ସଂସ୍ଥା ଭାବେ ଯୋଡ଼ି ହୋଇଛି |
ପ୍ରେମ ଓ ପରମ୍ପରାପୂର୍ଣ୍ଣ ଏହି ହୃଦୟସ୍ପର୍ଶୀ କାହାଣୀ ‘ବରବଧୂ’ ଦର୍ଶକମାନଙ୍କୁ ଏକ ଭାବପ୍ରବଣ ସିନେମାର ଅନୁଭୂତି ପ୍ରଦାନ କରିବ ବୋଲି ଆଶା ରହିଛି ।

