Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତିରେ ଦୁଷ୍କର୍ମ ପୀଡିତା ୧୩ ବର୍ଷର ନାବାଳିକା ଗର୍ଭବତୀ, ଗିରଫ ଭୟରେ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି:୨୦/୨(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲାର ଜଣେ ଦୁଷ୍କର୍ମ ପୀଡ଼ିତା ୧୩ ବର୍ଷୀୟା ନାବାଳିକା ଗର୍ଭବତୀ ହେବା ଘଟଣାକୁ ନେଇ ମୋହନା ଥାନା ଅଞ୍ଚଳରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି। ଏନେଇ ଥାନାରେ ଅଭିଯୋଗ ହେବାରୁ ପୁଲିସ ଘଟଣାକୁ ଗୁରୁତ୍ବର ସହ ନେଇ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି। ଅପରପକ୍ଷେ ଗିରଫଦାରୀ ଭୟରେ ଅଭିଯୁକ୍ତଜଣଙ୍କ ଫେରାର୍ ହୋଇଯାଇଥିବା ଜଣାଯାଇଛି। ଅଭିଯୁକ୍ତଙ୍କ ନାମ ତାରିଣୀ ପ୍ରଧାନ ବୋଲି ଜଣା ପଡିଛି। ପୁଲିସ ସୂଚନାନୁସାରେ, ନାବାଳିକାର ବାପା-ମା’ ଦିନ ମଜୁରିଆ। ସେମାନେ ପ୍ରତିଦିନ କାମ କରିବାକୁ ବାହାରକୁ ଚାଲିଯିବା ପରେ ତାରିଣୀ ତାଙ୍କ ଘରକୁ ଯାଇ ନାବାଳିକା ଝିଅକୁ ବିଭିନ୍ନ ପ୍ରଲୋଭନ ଦେଖାଇବା ସହ ଧମକ ଚମକ ଦେଇ ବାରମ୍ବାର ଦୁଷ୍କର୍ମ କରି ଆସୁଥିଲା I ତେବେ କିଛି ଦିନ ତଳେ ନାବାଳିକାର ଶାରୀରିକ ପରିବର୍ତ୍ତନ ଦେଖି ମା’ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ପରେ ଝିଅ ଗର୍ଭବତୀ ଥିବା ଜଣାପଡ଼ିଥିଲା I ଏହି ଘଟଣା ପ୍ରଘଟ ହେବା ପରେ ମୋହନା ଚାଇଡ୍ଲ ଲାଇନ ସଦସ୍ୟମାନେ ପହଞ୍ଚି ନାବାଳିକାକୁ ମୋହନା ଥାନାକୁ ନେଇ ଅଭିଯୋଗ କରିଥିଲେ. ଏହି ଅଭିଯୋଗ ପରେ ପୁଲିସ ସମ୍ପୃକ୍ତ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ତାରିଣୀ ଗିରଫ ଭୟରେ ଫେରାର ହୋଇଯାଇଛି। ନାବାଳିକାକୁ ମୋହନାସ୍ଥିତ ସୁଧାରଗୃହରେ ଆଶ୍ରୟ ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories