ଗଜପତିରେ ସାଇବର କ୍ରାଇମକୁ ପ୍ରତିରୋଧ କରିବା ପାଇଁ ୪୯ ଗୋଟି ଆକାଉଣ୍ଟକୁ ଫ୍ରିଜ କଲେ ପୋଲିସ
ପାରଳାଖେମୁଣ୍ଡି:୨୦/୨(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତିରେ ସାଇବର କ୍ରାଇମକୁ ପ୍ରତିରୋଧ କରିବା ପାଇଁ 49 ଗୋଟି ଆକାଉଣ୍ଟକୁ ଫ୍ରିଜ କରାଯାଇଥିବା ଜିଲ୍ଲା ପୋଲିସ ଏସପି ଯତୀନ୍ଦ୍ର ନାଥ ପଣ୍ଡା ସୂଚନା ପ୍ରଦାନ କରିଛନ୍ତି. ଚଳିତ ମାସ ୧୩ ରୁ ୨୭ ପର୍ଯ୍ୟନ୍ତ ଗଜପତି ଜିଲ୍ଲାରେ ପାଳନ ହେଉଛି ସାଇବର ପକ୍ଷ। ଏହି ଅବସରରେ ବିଭିନ୍ନ ବ୍ୟାଙ୍କ ଗୁଡିକରେ ଫେକ ଆକାଉଣ୍ଟ ଖୋଲି ସାଇବର ମାଧ୍ୟମରେ ଠକେଇ ଅର୍ଥ କାରବାର ହେଉଥିବା ତଥ୍ୟ ପୋଲିସ ହାତରେ ଲାଗିଛି। ଜିଲ୍ଲାର ପାରଳାଖେମୁଣ୍ଡି, ଗୋଷାଣୀ, କାଶୀନଗର ଓ ମୋହନା ଥାନା ଅଞ୍ଚଳର କିଛି ଜାତୀୟ ବ୍ୟାଙ୍କରୁ ମୋଟ ୪୯ ଟି ଏଭଳି ଏକାଉଣ୍ଟକୁ ଫ୍ରୀଜ କରି ତଦନ୍ତ ଆରମ୍ଭ କରିଛି ପୋଲିସ। ଇତିମଧ୍ୟରେ ୧୧ ଟି ଏକାଉଣ୍ଟ୍ ସହ ଜଡ଼ିତ ଥିବା ୧୧ ଜଣଙ୍କ ନାମରେ ମାମଲା ରୁଜୁ କରିଛି ପୋଲିସ। ଏହି ସବୁ ଏକାଉଣ୍ଟରୁ ପ୍ରାୟ ୪ ଲକ୍ଷ ୧୫ ହଜାର ଟଙ୍କା ଜବତ କରାଯାଇଛି। ପୋଲିସ ହାତରେ ଧରାପଡ଼ିଥିବା ସମସ୍ତ ସାଇବର ଠକରେ ଜଡ଼ିତ ଥିବା ଅଭିଯୁକ୍ତ ମାନେ ପାରଳାଖେମୁଣ୍ଡି ଅଞ୍ଚଳର , ଏହାକୁ ନେଇ ଅଧିକ ତଦନ୍ତ ଜାରି ରହିଛି ପରବର୍ତ୍ତୀ ସମୟରେ ଆଉ ଅଧିକ ତଥ୍ୟ ଖୁଲାସା ହେବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଜପତି ଏସପି ଯତୀନ୍ଦ୍ର ନାଥ ପଣ୍ଡା. ସୂଚନାଯୋଗ୍ୟ ଯେ ଜିଲ୍ଲାରେ ଦିନକୁ ଦିନ ସାଇବର ଠକେଇ ମାମଲା ବଢିବାରେ ଲାଗିଛି। ଅତି ଚତୁରତାର ସହ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଖାଲି କରୁଛନ୍ତି ସାଇବର ଠକ। ଯାହାକୁ ନେଇ ଜିଲ୍ଲା ପୋଲିସ ପକ୍ଷରୁ ସାଇବର କବଚ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଉଛି। ତେବେ ସାଇବର ଠକ ମାମଲାରେ ପୋଲିସ ଯେତେ ତତ୍ପର ହେଉଛି ଜିଲ୍ଲାରେ ସାଇବର ଠକ ସେତେ ସକ୍ରୀୟ ଥିବା ଜଣାପଡ଼ିଛି। ଏଟିଏମ ଆଖପାଖରେ ଛପି ରହୁଛନ୍ତି ଏଟିଏମ୍ ଲୁଟେରା, ବୟୋଜ୍ୟେଷ୍ଠ ବ୍ୟକ୍ତି ତଥା ମହିଳା ଓ ଆଦିବାସୀଙ୍କୁ ଟଙ୍କା ଉଠାଇ ଦେବା ଆଳରେ ଏଟିଏମ୍ ପିନ୍ ଚୋରାଇ କାର୍ଡ ପରିବର୍ତ୍ତନ କରି ଲୁଟି ନେଉଛନ୍ତି ଟଙ୍କା। ଏଭଳି ଅନେକ ଘଟଣା ସାମ୍ନାକୁ ଆସୁଛି ଓ ଅନେକ ଘଟଣାରେ ମାମଲା ଥାନାରେ ରୁଜୁ ହୋଇ ପାରୁନାହିଁ। ତଥାପି ପୋଲିସ ପକ୍ଷରୁ ସାଇବର ଠକକୁ ପ୍ରତିରୋଧ କରିବା ପାଇଁ ଜିଲ୍ଲା ପୋଲିସ ସଜାଗ ରହି ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଗଜପତି ଏସପି ସୂଚନା ଦେଇଛନ୍ତି.

