ମାଲକାନଗିରି କୋର୍ଟ ବୋମାର ଉଡାଇ ଦେବାକୁ ଧମକ! ସୁରକ୍ଷା ବ୍ୟବସ୍ଥା କଡାକଡି
ମାଲକାନଗିରି,୧୩ |୪: ମାଲକାନଗିରି ଜିଲ୍ଲାକୋର୍ଟକୁ ଏକ ବୋମା ଧମକ ମିଳିଛି | ଏକ ଅଜ୍ଞାତ ଇ-ମେଲ୍ ଜରିଆରେ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ | ଧମକ ମିଳିବା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ତେବେ ସୁରକ୍ଷା ଦୃଷ୍ଟିରୁ ତୁରନ୍ତ କୋର୍ଟ ପରିସରକୁ ଖାଲି କରାଯାଇଥିବା ବେଳେ ପୁଲିସ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ପକ୍ଷରୁ ଘଟଣାର ଅନୁସନ୍ଧାନ ଜାରି ରହିଛି।
ସୂଚନା ଅନୁସାରେ , ଆଜି କୋର୍ଟ କାର୍ଯ୍ୟ ଚାଲିଥିବା ବେଳେ କର୍ତ୍ତୃପକ୍ଷଙ୍କ ନିକଟକୁ ଏକ ଧମକପୂର୍ଣ୍ଣ ଇ-ମେଲ୍ ଆସିଥିଲା। ଆଉ ଏହି ଇ-ମେଲ୍ରେ ତାମିଲନାଡୁ ଲିବରେସନ ଗ୍ରୁପ୍ ନାମକ ଏକ ସଂଗଠନ ପକ୍ଷରୁ କୋର୍ଟ ପରିସରରେ ବୋମା ଖଞ୍ଜା ଯାଇଥିବା ଏବଂ ଏହାକୁ ଉଡ଼ାଇ ଦିଆଯିବା ନେଇ ଉଲ୍ଲେଖ କରାଯାଇଥିଲା। ଏହି ଖବର ପ୍ରସାରିତ ହେବା ପରେ ଜିଲ୍ଲା ଜଜ୍ ଶାନ୍ତନୁ କୁମାର ଦାସ ତୁରନ୍ତ ସମସ୍ତ କର୍ମଚାରୀ ଓକିଲ ଏବଂ ମହକିଲମାନଙ୍କୁ କୋର୍ଟ ପରିସରରୁ ବାହାରକୁ ଯିବାକୁ ନିର୍ଦ୍ଦେଶ ଦେଇଥିଲେ।ଘଟଣା ସ୍ଥଳରେ ମାଲକାନଗିରି ପୁଲିସ ପହଞ୍ଚି କୋର୍ଟର ପରିସରକୁ ତନ୍ନ ତନ୍ନ କରିଥିବା ଜଣାପଡିଛି | ପୋଲିସକୁ ସହାୟତା କରୁଛି ସ୍ପେଶାଲ ବୋମା ସ୍କ୍ୱାଡ୍ ର | ତେବେ ଏହି ଧମକ ସତ ନା କେହି ଦୁର୍ବୃତ୍ତ ଆତଙ୍କ ସୃଷ୍ଟି କରିବା ପାଇଁ ଏପରି କରିଛି, ସେ ନେଇ ଅଧିକ ତଥ୍ୟ ସଂଗ୍ରହ ପାଇଁ ପୁଲିସ ତଦନ୍ତ ଜାରି ରଖିଥିବା ଜଣାପଡିଛି ।
ତେବେ ତଦନ୍ତରେ ବର୍ତ୍ତମାନ ପର୍ଯ୍ୟନ୍ତ କୋର୍ଟ ପରିସରରୁ କୌଣସି ସନ୍ଦେହଜନକ ବସ୍ତୁ ମିଳିନାହିଁ | କିନ୍ତୁ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ ସହିତ ଘଟଣାରେ ସମସ୍ତଙ୍କୁ ଆତଙ୍କିତ ନ ହେବ ପାଇଁ ଅନୁରୋଧ କରାଯାଇଛି।

