ଅନଲାଇନ୍ ଗେମ୍ ରେ ଲକ୍ଷାଧିକ ଟଙ୍କା ହାରି ଯୁବକଙ୍କ ଆତ୍ମହତ୍ୟା!
ଅନୁଗୁଳ, ୨୧ | ୫ : ଅନଲାଇନରେ ଗେମ ଖେଳିବା ସାଜିଲା କାଳ | ଲକ୍ଷାଧିକ ଟଙ୍କା ହାରିବା ପରେ ଶେଷରେ ଜୀବନ ହାରିବାର ନିଷ୍ପତ୍ତି ନେଲେ | ମୃତ ଯୁବକ ଜଣଙ୍କ ହେଉଛନ୍ତି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ମାଛକୁଟା ଗାଁର ବାଲିଆ ବେହେରାଙ୍କ ଏକ ମାତ୍ର ପୁଅ ମାନସ ବେହେରା ।
ସୂଚନା ଅନୁଯାୟୀ , ମାଛକୁଟା ଗାଁର ବାଲିଆ ବେହେରା କୋଇଲା ଖଣି ପାଇଁ ଜମି ଅଧିଗ୍ରହଣ ଟଙ୍କା ଉଠାଇ ପୁଅ ମାନସ ବେହେରାଙ୍କ ଆକାଉଣ୍ଟରେ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କା ରଖିଥିଲେ | କିନ୍ତୁ ମୋବାଇଲରେ ଅନଲାଇନ ଗେମ ଖେଳି ଉକ୍ତ ଆକାଉଣ୍ଟରେ ରଖିଥିବା ଉକ୍ତ ଅଢେଇ ଲକ୍ଷ ହାରି ଯାଇଥିଲେ ମାନସ ।
ଯାହାକୁ ନେଇ ଘରେ ବିବାଦ ଆରମ୍ଭ ହୋଇଥିଲା । ଏହି ଘଟଣା ପରେ ପରିବାର ଲୋକ ବାଇକ୍ କିଣିବା ପାଇଁ ମାନସକୁ ୩୦ହଜାର ଟଙ୍କା ଦେଇଥିଲେ କିନ୍ତୁ ପୁଣି ଥରେ ମାନସ ଅନଲାଇନ ଗେମ ପିଛା ୧୦ ହଜାର ଟଙ୍କା ଉଡାଇ ଦେଇଥିଲେ । ଏହି ଘଟଣା ପରିବାର ଲୋକ ଜାଣିବା ପରେ ପୁଅକୁ ତାଗିଦ କରିଥିଲେ । ଏହାପରେ ମାନସ ରାଗି ଘରୁ ପଳାଇ ଯାଇଥିଲେ । ପରିବାର ଲୋକ ବହୁ ଖୋଜା ଖୋଜି କରିବା ପରେ ସନ୍ଧାନ ପାଇ ନଥିବାବେଳେ ପରେ ଘର ନିକଟସ୍ଥ କାଜୁ ବଗିଚାରୁ ମାନସଙ୍କର ମୃତ ଦେହ ଝୁଲୁଥିବା ସ୍ଥାନୀୟଲୋକ ଦେଖିବାକୁ ପାଇଥିଲେ । ଖବର ପାଇ ଛେଣ୍ଡିପଦା ଥାନା ପୁଲିସ ଘଟଣାସ୍ଥଳରେ ପହଁଚି ଶବକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

