ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର)-୨୦୨୬ ପର୍ଯ୍ୟବେକ୍ଷକଙ୍କ ଗଜପତି ଜିଲ୍ଲା ଗସ୍ତ
ପାରଳାଖେମୁଣ୍ଡି:୨୩/୭(ଗରୁଡ଼ ଧ୍ଵଜ ଚୌଧୁରୀ):
ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁଯାୟୀ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିବା ପାଇଁ IDCOର ପରିଚାଳନା ନିର୍ଦ୍ଦେଶକ ତଥା ଗଜପତି ଜିଲ୍ଲା ସ୍ଵତନ୍ତ୍ର ସଘନ ସଂଶୋଧନ (SIR) ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ଡି.ପ୍ରଶାନ୍ତ କୁମାର ରେଡ୍ଡୀ ଆଜି ଗଜପତି ଜିଲ୍ଲା ଗସ୍ତ କରିଥିଲେ। ଏହି ଅବସରରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ଵତନ୍ତ୍ର ସଘନ ସଂଶୋଧନ (SIR) ପର୍ଯ୍ୟବେକ୍ଷକଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ର ଅଗ୍ରଗତି, ନାମ ପଞ୍ଜୀକରଣ, ଦାବି ଓ ଆପତ୍ତି ଗ୍ରହଣ, ଗଣନା ଫର୍ମ ସଂଗ୍ରହ, ଡିଜିଟାଲାଇଜେସନ୍, ବୁଥ୍ ସ୍ତରର କାର୍ଯ୍ୟକଳାପ ଏବଂ ପରବର୍ତ୍ତୀ କାର୍ଯ୍ୟଯୋଜନା ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ ଜିଲ୍ଲାର ନିର୍ବାଚନୀ ବ୍ୟବସ୍ଥା ଏବଂ ଏସ୍ଆଇଆର କାର୍ଯ୍ୟର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ପର୍ଯ୍ୟବେକ୍ଷକଙ୍କୁ ବିସ୍ତୃତ ଭାବେ ଅବଗତ କରାଇଥିଲେ। ଗଜପତି ଜିଲ୍ଲାରେ ମୋହନା ଓ ପାରଳାଖେମୁଣ୍ଡି ଦୁଇଟି ବିଧାନସଭା ନିର୍ବାଚନମଣ୍ଡଳୀ, ୭ଟି ତହସିଲ, ୨ଟି ସହରାଞ୍ଚଳ ଏବଂ ୬୮୯ଟି ମତଦାନ କେନ୍ଦ୍ର ରହିଛି। ଜିଲ୍ଲାପାଳଙ୍କ ନେତୃତ୍ୱରେ ଜଣେ ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ, ୨ ଜଣ ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ୧୧ ଜଣ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ୫୮ ଜଣ ବିଏଲ୍ଓ ସୁପରଭାଇଜର ଏବଂ ୬୮୯ ଜଣ ବିଏଲ୍ଓ (SIR) ନିର୍ବାଚନୀ ତାଲିକା ସଂଶୋଧନ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଜିଲ୍ଲାରେ ମୋଟ ୪,୬୩,୬୧୭ ଜଣ ଭୋଟରଙ୍କ ମଧ୍ୟରୁ ୪,୩୨,୦୯୮ଟି ଗଣନା ଫର୍ମର ଡିଜିଟାଲାଇଜେସନ୍ ସମ୍ପୂର୍ଣ୍ଣ ହୋଇ ୯୩.୧୪ ପ୍ରତିଶତ ଅଗ୍ରଗତି ହାସଲ କରାଯାଇଛି। ଅବଶିଷ୍ଟ ୩୧,୫୨୦ଟି ଫର୍ମର ସଂଗ୍ରହ ଓ ଡିଜିଟାଲାଇଜେସନ୍ କାର୍ଯ୍ୟ ଜାରି ରହିଛି। ୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଭୋଟରମାନେ ଦାବି ଓ ଆପତ୍ତି ଦାଖଲ କରିପାରିବେ ଏବଂ ସମସ୍ତ ପ୍ରକ୍ରିୟା ଶେଷ ପରେ ୬ ସେପ୍ଟେମ୍ବର ୨୦୨୬ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ଜିଲ୍ଲାପାଳ କହିଛନ୍ତି। ଜିଲ୍ଲାର ସମସ୍ତ ମତଦାନ କେନ୍ଦ୍ରରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବୁଥ୍ ଲେଭେଲ୍ ଏଜେଣ୍ଟ ନିଯୁକ୍ତ ହୋଇଥିବା ସୂଚନା ଦିଆଯାଇଅଛି। ପର୍ଯ୍ୟବେକ୍ଷକ ଜିଲ୍ଲାରେ ଚାଲିଥିବା ଏସ୍ଆଇଆର-୨୦୨୬ କାର୍ଯ୍ୟର ଅଗ୍ରଗତି ଉପରେ ସନ୍ତୋଷ ପ୍ରକାଶ କରିବା ସହ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ କାର୍ଯ୍ୟକୁ ସ୍ୱଚ୍ଛ, ନିରପେକ୍ଷ ଓ ସମୟବଦ୍ଧ ଭାବେ ସମ୍ପନ୍ନ କରିବା ଏବଂ ଯୋଗ୍ୟ ଭୋଟରମାନଙ୍କ ମଧ୍ୟରେ ସର୍ବାଧିକ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପରେ ପର୍ଯ୍ୟବେକ୍ଷକ ବିଭିନ୍ନ ବୁଥ ଗୁଡ଼ିକରେ ପରିଦର୍ଶନ କରିଥିଲେ। ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ ଓ ଶ୍ରୀ ମୁନିଦ୍ର ହୋନନାଗା, ଉପଜିଲ୍ଲାପାଳ ଶ୍ରୀ ଅନୁପ ପଣ୍ଡା, ଡେପୁଟି କଲେକ୍ଟର ଶ୍ରୀମତୀ ସୁଚିସ୍ମିତା ମାଝୀ ଓ ଶ୍ରୀ ଅମିତ ବିଶ୍ୱାଳ, ସହକାରୀ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ପଟ୍ଟନାୟକ ଏବଂ ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳର ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ।

