ପାରଳାଖେମୁଣ୍ଡି ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ୧୯୮୩ ବ୍ୟାଚ ଛାତ୍ର ମାନଙ୍କ ତରଫରୁ ପ୍ରସାଦ ବଣ୍ଟନ
ପାରଳାଖେମୁଣ୍ଡି:୨୪/୭(ଗରୁଡ଼ ଧ୍ଵଜ ଚୌଧୁରୀ) ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ଗୁଣ୍ଡିଚା ମନ୍ଦିରରୁ ମୁଖ୍ୟ ଶ୍ରୀଜଗନ୍ନାଥ ମନ୍ଦିରକୁ ବିଜେ କରିଥିବା ବେଳେ ପାରଳାଖେମୁଣ୍ଡିରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ବାର୍ଷିକ ରଥଯାତ୍ରାର ସମାପନୀ ପର୍ବ ଭାବେ ପାଳିତ ଏହି ବାହୁଡ଼ା ଯାତ୍ରା ଦର୍ଶନ ପାଇଁ ବିଭିନ୍ନ ସ୍ଥାନରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଘଟିଥିଲା।ଏହି ପବିତ୍ର ଯାତ୍ରା ଅବସରରେ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ, ପାରଳାଖେମୁଣ୍ଡିର ୧୯୮୩ (ଜୁନିୟର ମାଟ୍ରିକ୍) ବ୍ୟାଚ୍ର ପୂରାତନ ଛାତ୍ରମାନଙ୍କ ପକ୍ଷରୁ ଏକ ପ୍ରସାଦ ସେବନ ସେବାର ଆୟୋଜନ କରାଯାଇଥିଲା। ବାହୁଡ଼ା ଯାତ୍ରା ଦର୍ଶନ ପାଇଁ ଆସିଥିବା ପ୍ରାୟ ୩ ହଜାର ଭକ୍ତଙ୍କୁ ସୁସଂଗଠିତ ଭାବେ ମହାପ୍ରସାଦ ବଣ୍ଟନ କରାଯାଇଥିଲା। ଭକ୍ତମାନେ ଶ୍ରଦ୍ଧାର ସହ ପ୍ରସାଦ ସେବନ କରି ଆୟୋଜକମାନଙ୍କ ଏହି ସେବା କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ।ଏହି ସେବା କାର୍ଯ୍ୟରେ ୧୯୮୩ ବ୍ୟାଚ୍ର ୨୦ରୁ ଅଧିକ ପୂରାତନ ଛାତ୍ର ସ୍ୱେଚ୍ଛାସେବୀ ଭାବେ ଯୋଗଦେଇ ନିଷ୍ଠା ଓ ସମର୍ପଣର ସହିତ ନିଜର ସେବା ପ୍ରଦାନ କରିଥିଲେ। ସେମାନଙ୍କର ଏହି ମହତ୍ ସେବାଭାବ ଭକ୍ତମାନଙ୍କ ମନରେ ଗଭୀର ଛାପ ଛାଡ଼ିବା ସହ ସାମାଜିକ ସେବା ଓ ଧାର୍ମିକ ସମର୍ପଣର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ସୃଷ୍ଟି କରିଛି।

