Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅନ୍ତର୍ଗତ ପାର୍ତ୍ତଡ଼ା ଗ୍ରାମ ଠାରେ ବିଶ୍ୱ ଆଦିବାସୀ ଦିବସ

ପାରଳାଖେମୁଣ୍ଡି:୧୧/୮(ଗରୁଡ଼ ଧ୍ଵଜ ଚୌଧୁରୀ) ବିଶ୍ୱ ଆଦିବାସୀ ଦିବସ ଅବସରରେ ଆଜି ଅଖିଳ ଭାରତ ଆଦିବାସୀ ମଂଚ (ଏ ଆଇ ଟି ଏଫ) ପକ୍ଷରୁ ଗଜପତି ଜିଲ୍ଲା କାଶୀନଗର ବ୍ଲକ ପାର୍ତ୍ତଡା ପଞ୍ଚାୟତ ଅନ୍ତର୍ଗତ ଏସ୍. ବୁରଡ଼ା ଗ୍ରାମ ଠାରେ ଏକ ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବକ୍ତାମାନେ ଯୋଗଦେଇ ଦେଶରେ ଆଦିବାସୀମାନଙ୍କ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ଆଦିବାସୀମାନେ ଆମ ଦେଶର ଆଦିମ ଅଧିବାସୀ ହୋଇଥିଲେ ମଧ୍ୟ ସେମାନଙ୍କ ଉପରେ ଶୋଷଣ ଓ ଦମନ ଅବ୍ୟାହତ ରହିଥିବା କହିଥିଲେ ରାୟଗଡା ଜିଲ୍ଲାର ସିଜିମାଳି ଠାରୁ ଆରମ୍ଭ କରି ସୁନ୍ଦରଗଡ଼ ଜିଲ୍ଲାର ଲାଞ୍ଜିବେର୍ଣ୍ଣା ପର୍ଯ୍ୟନ୍ତ ସବୁଠି ମିଥ୍ୟା ମକଦ୍ଦମା ଓ ବନ୍ଧୁକ ମୁନରେ ଆଦିବାସୀଙ୍କୁ ଦବେଇ ଦେବାକୁ ଚେଷ୍ଟା କରାଯାଉଛି । ଦେଶୀ ବିଦେଶୀ ବଡ କମ୍ପାନୀଙ୍କ ମୁନାଫା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟର ବିଜେପି ସରକାର ଆଦିବାସୀମାନଙ୍କ ଜମି, ଜଙ୍ଗଲ ଓ ପର୍ବତକୁ ସେମାନଙ୍କ ହାତରେ ଟେକିଦେବାରେ ଲାଗିଛି ବୋଲି କହିଥିଲେ । ରାଜ୍ୟରେ ଆଦିବାସୀଙ୍କ ମଧ୍ୟରେ ଏକ ବଡ ଭାଗ ଭୂମିହୀନ ଥିବା ବେଳେ ସରକାର ନିଜ ଅଧିନରେ ଥିବା ସରକାରୀ ଜମିକୁ ଆଦିବାସୀଙ୍କ ନଦେଇ କର୍ପୋରେଟମାନଙ୍କୁ ଦେବାରେ ଲାଗିଛନ୍ତି । ହଜାର ହଜାର ହେକ୍ଟର ସରକାରୀ ଜମିକୁ ଭୂମିବ୍ୟାଙ୍କରେ ରଖାଯାଉଛି । ଜଙ୍ଗଲ ଅଧିକାର ଆଇନ ତିଆରି ହେବାର ଦୁଇ ଦଶକ ପରେ ବି ଆଦିବାସୀମାନଙ୍କୁ ଜଙ୍ଗଲ ଅଧିକାର ମିଳୁନି । କର୍ପୋରେଟଙ୍କ ସ୍ଵାର୍ଥରେ ସେମାନଙ୍କ ଜଙ୍ଗଲ ଅଧିକାରକୁ ଦୁର୍ବଳ କରାଯାଇଛି ବୋଲି କହିଥିଲେ । ଓଡ଼ିଶାର ଜନସଂଖ୍ୟାର ଏକ ଚତୁର୍ଥାଂଶ ଆଦିବାସୀ ହୋଇଥିବା ବେଳେ ସେମାନଙ୍କ ଭାଷା, ଲିପି, ସାହିତ୍ୟ ଓ ସଂସ୍କୃତିର ବିକାଶ ଦିଗରେ ସରକାରମାନେ ଜାଣିଶୁଣି ଅବହେଳା ପ୍ରଦର୍ଶନ କରି ଆସିଛନ୍ତି ବୋଲି ଅଭିଯୋଗ କରିଥିଲେ । ବର୍ତ୍ତମାନର ସରକାର ନିଜର ରାଜନୈତିକ ସ୍ଵାର୍ଥ ପାଇଁ ଆଦିବାସୀମାନଙ୍କୁ ଧର୍ମ ନାମରେ ବିଭାଜିତ କରିବାକୁ ଉଦ୍ୟମ କରିବା ଦୁର୍ଭାଗ୍ୟଜନକ ବୋଲି କହିଥିଲେ । ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲାର ସରକାରୀ ମେଡିକାଲ କଲେଜକୁ ବ୍ରିଟିଶ ବିରୋଧୀ ଘୁମୁସର ଆଦିବାସୀ ମେଳିର ନେତା ଚକରା ବିଷୋୟୀଙ୍କ ନାଁରେ ନକରି ଜଣେ ବିବାଦୀୟ ଅଣ ଆଦିବାସୀ ବ୍ୟକ୍ତିଙ୍କ ନାଁରେ କରିବା ନିନ୍ଦନୀୟ ବୋଲି ମତପ୍ରକାଶ ପାଇଥିଲା । ଏହି କାର୍ଯ୍ୟକ୍ରମର ଆଦିବାସୀ ନେତା ଜୁନେସ ମେଦି ଅଧ୍ୟକ୍ଷତା କରିଥିବା ବେଳେ ଅଖିଳ ଭାରତ ଆଦିବାସୀ ମଂଚର ଅନ୍ୟତମ ଆବାହକ କେଦାର ଶବର ବକ୍ତା ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଦିବାସୀ ନେତା କାଡୁକା ଶବର, ଚୈତନ୍ୟ ଶବର, ମହିଳା ନେତ୍ରୀ ଗଣେଶ୍ରୀ ଶବର, ନୀୟାପଲି ଶବରଙ୍କ ସମେତ ବହୁ ଆଦିବାସୀ ନେତା ଯୋଗ ଦେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ଗଜପତି ଜିଲ୍ଲା ବିଜେଡି ସଭାପତିଙ୍କ ପୁତ୍ର ଅନୁରୂପ ନାୟକଙ୍କ ଅକାଳ ବିୟୋଗରେ ସାରା ପାରଳା ସହରରେ ଶୋକର ଛାୟା l ପାରଳାଖେମୁଣ୍ଡି:୪/୧୦(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ’ଙ୍କ ସାନ ପୁଅ ଅନୁରୂପ ନାୟକ’ଙ୍କ ଅକାଳ ବିୟୋଗ ଖବର ପ୍ରଚାରିତ ହେବା ପରେ ସହରରେ ଗଭୀର ଶୋକର ଛାୟା ଖେଳିଯାଇଛି।ଅନୁରୂପଙ୍କ ବିୟୋଗର ଖବର ଯେପରି ପରିବାର ଓ ଆତ୍ମୀୟ-ସ୍ୱଜନଙ୍କ ପାଇଁ ଏକ ବଡ଼ ଆଘାତ ହୋଇଛି, ସେହିପରି ତାଙ୍କୁ ଜାଣିଥିବା ବନ୍ଧୁ, ଶୁଭେଚ୍ଛୁ ଓ ସହରବାସୀଙ୍କ ମଧ୍ୟରେ ମଧ୍ୟ ଗଭୀର ଦୁଃଖ ପ୍ରକାଶ ପାଇଛି। ହସମୁଖ ଚେହେରା, ସରଳ ବ୍ୟବହାର, ମିଷ୍ଟଭାଷୀ ସ୍ୱଭାବ ଓ ସମସ୍ତଙ୍କ ସହ ମିଶି ଚଳିବାର ଗୁଣ ପାଇଁ ଅନୁରୂପ ସ୍ଥାନୀୟ ଅଞ୍ଚଳରେ ଏକ ଆପଣାର ମଣିଷ ଭାବେ ପରିଚିତ ଥିଲେ।ତାଙ୍କ ଅକାଳ ବିୟୋଗର ଖବର ପାଇବା ପରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ଡିଜେନ ପାଢ଼ୀ, ସାମ୍ବାଦିକ ସରୋଜ ବିରୋ, ସାମ୍ବାଦିକ ସନ୍ତୋଷ ପଟ୍ଟନାୟକ, ସାମ୍ବାଦିକ କୃଷ୍ଣ କୁମାର ବେହେରାଙ୍କ ସମେତ ବହୁ ରାଜନୈତିକ, ସାମାଜିକ ଓ ସାମ୍ବାଦିକ ମହଲର ବ୍ୟକ୍ତିବିଶେଷ ଶୋକସନ୍ତପ୍ତ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇଥିଲେ।ଅନୁରୂପଙ୍କ ଶେଷ ଦର୍ଶନ ପାଇଁ ବନ୍ଧୁ, ଆତ୍ମୀୟ, ପରିଚିତ ଓ ଶୁଭେଚ୍ଛୁଙ୍କ ସହ ହଜାର ହଜାର ଲୋକ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଏକତ୍ରିତ ହୋଇଥିଲେ। ଅନେକଙ୍କ ଆଖିରେ ଲୁହ ଓ ମନରେ ଅବ୍ୟକ୍ତ ବେଦନା ଦେଖିବାକୁ ମିଳିଥିଲା।ପରିଚିତ ମାନେ କହିଛନ୍ତି, ଅନୁରୂପଙ୍କ ବ୍ୟବହାରରେ କେବେ ଅହଂକାର ଦେଖିବାକୁ ମିଳୁନଥିଲା। ସମସ୍ତଙ୍କ ସହ ହସିକଥା ହେବା, ଆବଶ୍ୟକ ସମୟରେ ପାଖରେ ଠିଆ ହେବା ଏବଂ ଛୋଟବଡ଼ ସମସ୍ତଙ୍କୁ ଆପଣାର କରିନେବା ତାଙ୍କ ବ୍ୟକ୍ତିତ୍ୱର ଅନ୍ୟତମ ବିଶେଷତା ଥିଲା। ତେଣୁ ତାଙ୍କ ହଠାତ୍ ବିଦାୟକୁ ଅନେକେ ସହଜରେ ଗ୍ରହଣ କରିପାରୁନାହାନ୍ତି।ବହୁ ବନ୍ଧୁ, ଶୁଭେଚ୍ଛୁ ଓ ସ୍ଥାନୀୟ ବ୍ୟକ୍ତିବିଶେଷ ଶୋକସନ୍ତପ୍ତ ପରିବାରକୁ ଭେଟି ଗଭୀର ସମବେଦନା ଜଣାଇଛନ୍ତି। ଏପରି ଜଣେ ମିଷ୍ଟଭାଷୀ ଓ ମେଳାପୀ ଯୁବକଙ୍କ ଅକାଳ ବିୟୋଗ ପରିବାର ସହ ସମଗ୍ର ସହର ପାଇଁ ମଧ୍ୟ ଏକ ଅପୂରଣୀୟ କ୍ଷତି ବୋଲି ଅନେକେ ମତ ପ୍ରକାଶ କରିଛନ୍ତି।ଅନୁରୂପଙ୍କ ଅନ୍ତିମ ଯାତ୍ରାରେ ମଧ୍ୟ ବହୁ ସଂଖ୍ୟକ ବନ୍ଧୁ, ଆତ୍ମୀୟ, ଶୁଭେଚ୍ଛୁ ଓ ସହରବାସୀ ସାମିଲ ହୋଇ ମହେନ୍ଦ୍ର ତନୟା ନଦୀ କୂଳରେ ଥିବା ସ୍ଵର୍ଗଦ୍ଵାର ଶ୍ମଶାନ ଘାଟରେ ତାଙ୍କୁ ଶେଷ ବିଦାୟ ଜଣାଇଥିଲେ। ଏହି ସମୟରେ ସୃଷ୍ଟି ହୋଇଥିବା ଶୋକାକୁଳ ପରିବେଶ ସମସ୍ତଙ୍କୁ ଭାବବିହ୍ୱଳ କରିଦେଇଥିଲା।ଅନୁରୂପ ନାୟକଙ୍କ ବିୟୋଗରେ ପରିବାର ଯେଉଁ ଅପୂରଣୀୟ ଶୂନ୍ୟତାର ସମ୍ମୁଖୀନ ହୋଇଛି, ତାହା କେବେ ପୂରଣ ହେବ ନାହିଁ ବୋଲି ଶୋକାକୁଳ ମହଲରେ ଆଲୋଚନା ହେଉଛି। ଏହି ଦୁଃଖଦ ସମୟରେ ଭଗବାନ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଅସୀମ ବେଦନା ସହିବାକୁ ଶକ୍ତି ପ୍ରଦାନ କରନ୍ତୁ ବୋଲି ସମସ୍ତେ ପ୍ରାର୍ଥନା କରିଛନ୍ତି।ଦିବଙ୍ଗତ ଅନୁରୂପ ନାୟକଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ସହରବାସୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।