Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ସଠିକ୍ ନେତା ବାଛନ୍ତୁ, ଦେଶ ବଦଳିବ’— ରାଜନୈତିକ ସଂସ୍କାର ପାଇଁ ସୋନମ ୱାଙ୍ଗଚୁକ୍‌ଙ୍କ ବଡ଼ ଆହ୍ୱାନ

ନୂଆଦିଲ୍ଲୀ: ଶିକ୍ଷାବିତ୍‌ ତଥା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍‌ ଦେଶର ରାଜନୈତିକ ବ୍ୟବସ୍ଥାରେ ସଂସ୍କାର ପାଇଁ ଏକ ‘ଦ୍ୱିତୀୟ ସ୍ୱାଧୀନତା ଆନ୍ଦୋଳନ’ର ଆହ୍ୱାନ ଦେଇଛନ୍ତି। ଦେଶର ଭବିଷ୍ୟତ ପାଇଁ ନିଃସ୍ୱାର୍ଥପର, ନିର୍ଭୀକ ଓ ସ୍ୱଚ୍ଛ ଚରିତ୍ରର ଲୋକଙ୍କୁ ନେତା ଭାବେ ବାଛିବା ଆବଶ୍ୟକ ବୋଲି ସେ କହିଛନ୍ତି। ଏକ ଭିଡିଓ ବାର୍ତ୍ତାରେ ୱାଙ୍ଗଚୁକ୍‌ କହିଛନ୍ତି ଯେ, ଦେଶର ରାଜନୈତିକ ପରିବର୍ତ୍ତନ କେବଳ ନେତା କିମ୍ବା ବୁଦ୍ଧିଜୀବୀଙ୍କ ଆଲୋଚନାରେ ସୀମିତ ନରହି ସାଧାରଣ ଲୋକଙ୍କ ଅଂଶଗ୍ରହଣରେ ହେବା ଦରକାର।

ୱାଙ୍ଗଚୁକ୍‌ ଭାରତର ମୁଣ୍ଡପିଛା ଆୟକୁ ଉଦାହରଣ ଦେଇ କହିଛନ୍ତି ଯେ, ବର୍ତ୍ତମାନର ପରିସ୍ଥିତି ଜାରି ରହିଲେ ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଲକ୍ଷ୍ୟ ପୂରଣ ହେବା କଷ୍ଟକର ହୋଇପାରେ। ଶ୍ରୀଲଙ୍କା ଓ ବାଂଲାଦେଶ ଭଳି ଦେଶ ଭାରତକୁ କିଛି କ୍ଷେତ୍ରରେ ପଛରେ ପକାଇଥିବା ନେଇ ମଧ୍ୟ ସେ ମତ ରଖିଛନ୍ତି। ଏହାସହ ନିର୍ବାଚିତ ପ୍ରତିନିଧିଙ୍କ ବିରୋଧରେ ଥିବା ଆପରାଧିକ ମାମଲାକୁ ନେଇ ସେ ଚିନ୍ତା ପ୍ରକାଶ କରିଛନ୍ତି। ଏଭଳି ପରିସ୍ଥିତି ରାଜନୈତିକ ବ୍ୟବସ୍ଥା ପ୍ରତି ଲୋକଙ୍କ ବିଶ୍ୱାସକୁ ପ୍ରଭାବିତ କରୁଥିବା ସେ କହିଛନ୍ତି।

ରାଜନୈତିକ ସଂସ୍କାର ପାଇଁ ଦେଶବ୍ୟାପୀ ଏକ ଶାନ୍ତିପୂର୍ଣ୍ଣ ପ୍ରୟାସ ଆବଶ୍ୟକ ବୋଲି ୱାଙ୍ଗଚୁକ୍‌ ଗୁରୁତ୍ୱାରୋପ କରିଛନ୍ତି। ଏଥିପାଇଁ ସେ ଦେଶର ବିଭିନ୍ନ ଅଞ୍ଚଳରୁ ନିଃସ୍ୱାର୍ଥପର ଓ ନିର୍ଭୀକ ଲୋକଙ୍କୁ ଚିହ୍ନଟ କରିବାରେ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି। ପ୍ରତ୍ୟେକ ଅଞ୍ଚଳରୁ ଅତି କମ୍‌ରେ ଜଣେ ଯୋଗ୍ୟ ବ୍ୟକ୍ତିଙ୍କ ନାମ ପ୍ରସ୍ତାବ କରିବାକୁ ସେ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି। ଏଭଳି ସାମୂହିକ ପ୍ରୟାସ ମାଧ୍ୟମରେ ଭାରତରେ ଶାନ୍ତିପୂର୍ଣ୍ଣ ଭାବେ ‘ଦ୍ୱିତୀୟ ସ୍ୱାଧୀନତା ଆନ୍ଦୋଳନ’ ଆରମ୍ଭ କରାଯାଇପାରିବ ବୋଲି ସେ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories