ଗଜପତି ଜିଲ୍ଲା ଚନ୍ଦ୍ରଗିରି ସଉରା ଲ୍ୟାମ୍ପ ନିର୍ଦେଶକ ଲମ୍ବୋଦର ବିଷୋୟୀ ଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକ
ପାରଳାଖେମୁଣ୍ଡି:୧୪/୮(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ଚନ୍ଦ୍ରଗିରିସ୍ଥିତ ସଉରା ଲ୍ୟାମ୍ପର ନିର୍ଦେଶକ ତଥା ଅଞ୍ଚଳର ଜଣେ ବରିଷ୍ଠ ସମାଜସେବୀ ଲମ୍ବୋଦର ବିଷୋୟୀ ରତ୍ନଙ୍କର ବୁଧବାର ରାତି ପ୍ରାୟ ୧୧ଟା ୩୦ ମିନିଟ୍ରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ 68 ବର୍ଷ ବୟସ ହୋଇଥିଲା। ବୁଧବାର ହଠାତ୍ ତାଙ୍କର ଛାତିରେ ଯନ୍ତ୍ରଣା ହେବାରୁ ପରିବାରବର୍ଗ ତାଙ୍କୁ ତୁରନ୍ତ ବ୍ରହ୍ମପୁର ବଡ଼ ମେଡିକାଲକୁ ନେଇଥିଲେ। ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ଅଧିକ ଚିକିତ୍ସା ପାଇଁ ସେହିଦିନ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଭୁବନେଶ୍ୱର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ରାତି ପ୍ରାୟ ୧୧ଟା ୩୦ ମିନିଟ୍ରେ ତାଙ୍କର ମୃତ୍ୟୁ ଘଟିଥିଲା।
ସ୍ୱର୍ଗତ ଲମ୍ବୋଦର ବିଷୋୟୀରତ୍ନ ଦୀର୍ଘବର୍ଷ ଧରି ଚନ୍ଦ୍ରଗିରି ସଉରା ଲ୍ୟାମ୍ପର ନିର୍ଦେଶକ ଭାବେ ନିଃସ୍ୱାର୍ଥପର ଭାବେ କାର୍ଯ୍ୟ କରି ଅଞ୍ଚଳର ଚାଷୀମାନଙ୍କ ସ୍ୱାର୍ଥ ଓ ଉନ୍ନତି ପାଇଁ କାର୍ଯ୍ୟ କରି ଆସୁଥିଲେ। ତାଙ୍କର ଅକାଳ ବିୟୋଗ ଖବର ପ୍ରଚାର ହେବା ପରେ ଚନ୍ଦ୍ରଗିରି ଓ ଆଖପାଖ ଅଞ୍ଚଳର ଚାଷୀ ମହଲ ସମେତ ବିଭିନ୍ନ ବର୍ଗରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଶେଷକୃତ୍ୟ ନିଜ ଗ୍ରାମ ଲବାରସିଂ ସମ୍ପନ୍ନ ହୋଇଥିଲା। ଶେଷଯାତ୍ରାରେ ଅଞ୍ଚଳର ବୁଦ୍ଧିଜୀବୀ, ଚାଷୀ, ସାମାଜିକ କର୍ମୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଶୁଭେଚ୍ଛୁ ସାମିଲ ହୋଇ ସ୍ୱର୍ଗତ ବିଷୋୟୀରତ୍ନଙ୍କୁ ଶେଷ ବିଦାୟ ଜଣାଇଥିଲେ। ତାଙ୍କର ବିୟୋଗ ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବହୁ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

