ଅଯୋଧ୍ୟା ସରକାରୀ ସ୍କୁଲରେ ପ୍ରବେଶ ନିୟମ ଉପରେ କଡା ନିର୍ଦ୍ଦେଶ: ଅନୁମତି ବିନା ୟୁଟ୍ୟୁବର୍ ଓ ବାହାର ଲୋକଙ୍କୁ ମନା
ଉତ୍ତରପ୍ରଦେଶ: ଅଯୋଧ୍ୟାର ସରକାରୀ ସ୍କୁଲଗୁଡ଼ିକରେ ବାହାର ଲୋକଙ୍କ ପ୍ରବେଶକୁ ନେଇ କଡା ନୂଆ ନିୟମ ଲାଗୁ ହୋଇଛି। ଜିଲ୍ଲା ବେସିକ୍ ଶିକ୍ଷା ଅଧିକାରୀ ଲାଲଚନ୍ଦଙ୍କ ନିର୍ଦ୍ଦେଶ ଅନୁସାରେ, ୟୁଟ୍ୟୁବର୍, ସୋସିଆଲ ମିଡିଆ କର୍ମୀ ଏବଂ ଅନ୍ୟ ବାହାର ଲୋକ ବିନା ଅନୁମତିରେ ସରକାରୀ ସ୍କୁଲ ପରିସରକୁ ପ୍ରବେଶ କରିପାରିବେ ନାହିଁ। ସ୍କୁଲରେ ପ୍ରବେଶ ପାଇଁ ବେସିକ୍ ଶିକ୍ଷା ଅଧିକାରୀ କିମ୍ବା ସକ୍ଷମ କର୍ତ୍ତୃପକ୍ଷଙ୍କ ଅନୁମତି ଆବଶ୍ୟକ ହେବ।
ଏହା ସହିତ ସ୍କୁଲ ପରିସରରେ ବିନା ଅନୁମତିରେ ଫଟୋ ଉଠାଇବା କିମ୍ବା ଭିଡିଓ ରେକର୍ଡ କରିବା ଉପରେ ମଧ୍ୟ କଟକଣା ଲଗାଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷା, ଗୋପନୀୟତା ଏବଂ ଶିକ୍ଷାର ପରିବେଶକୁ ଗୁରୁତ୍ୱ ଦେଇ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି। ସ୍କୁଲ ପରିସରରେ ଅନାବଶ୍ୟକ ଭିଡ଼ ଓ ବାହାର ଲୋକଙ୍କ ଅନିୟନ୍ତ୍ରିତ ଉପସ୍ଥିତିକୁ ରୋକିବା ମଧ୍ୟ ଏହାର ଉଦ୍ଦେଶ୍ୟ।
ତେବେ ଏହି ନିୟମର ଅର୍ଥ ଏନୁହେଁ ଯେ ସାମ୍ବାଦିକ, କଣ୍ଟେଣ୍ଟ କ୍ରିଏଟର କିମ୍ବା ଅନ୍ୟ ବାହାର ଲୋକ ସ୍କୁଲକୁ କେବେ ମଧ୍ୟ ଯାଇପାରିବେ ନାହିଁ। ଆବଶ୍ୟକ ଅନୁମତି ନେଇ ସେମାନେ ସ୍କୁଲ ପରିସରକୁ ପ୍ରବେଶ କରିପାରିବେ। ବିଶେଷକରି ଶିଶୁଙ୍କ ଫଟୋ କିମ୍ବା ଭିଡିଓ କରିବା ସମୟରେ ସେମାନଙ୍କ ସୁରକ୍ଷା ଓ ଗୋପନୀୟତାକୁ ପ୍ରାଥମିକତା ଦେବାକୁ ଏହି ନିୟମ ଗୁରୁତ୍ୱ ଦେଉଛି।

