ସଚିନ-କୋହଲିଙ୍କୁ ନେଇ ଏବି ଡି’ଭିଲିୟର୍ସଙ୍କ ବଡ଼ ମନ୍ତବ୍ୟ, କଡ଼ା ଜବାବ ଦେଲେ ପୂର୍ବତନ ଭାରତୀୟ ଦ୍ରୁତ ବୋଲର
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଦୁଇ ମହାନ ବ୍ୟାଟର ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କୁ ନେଇ ଦକ୍ଷିଣ ଆଫ୍ରିକାର ପୂର୍ବତନ ଖେଳାଳି ଏବି ଡି’ଭିଲିୟର୍ସଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଡି’ଭିଲିୟର୍ସ କହିଥିଲେ ଯେ, ବାହାର ଦେଶରେ ସିମ୍ ଓ ବାଉନ୍ସିଂ ପରିସ୍ଥିତିରେ ବ୍ୟାଟିଂ କରିବା କ୍ଷେତ୍ରରେ କୋହଲି ସଚିନଙ୍କଠାରୁ ଆଗରେ ଥିଲେ। ତାଙ୍କ ମତରେ, ସଚିନ ଉପମହାଦେଶୀୟ ବ୍ୟାଟରମାନଙ୍କ ପାଇଁ ନୂଆ ରାସ୍ତା ଖୋଲିଥିଲେ, କିନ୍ତୁ କୋହଲି ତାଙ୍କଠାରୁ ଆଗକୁ ଯାଇ ଏହି ମାନଦଣ୍ଡକୁ ଆହୁରି ଉଚ୍ଚ କରିଥିଲେ।
ଡି’ଭିଲିୟର୍ସଙ୍କ ଏହି ମତ ସହ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଦୋଦ୍ଦା ଗଣେଶ ସହମତ ହୋଇନାହାନ୍ତି। ସେ ସୋସିଆଲ ମିଡିଆ ‘X’ରେ ବ୍ୟଙ୍ଗାତ୍ମକ ଭାବେ ଡି’ଭିଲିୟର୍ସଙ୍କ ମନ୍ତବ୍ୟର ଜବାବ ଦେଇ “Pass on the weed, brother” ବୋଲି ଲେଖିଥିଲେ। ତାଙ୍କ ଏହି ପୋଷ୍ଟକୁ ନେଇ କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। ଅନ୍ୟପଟେ ଡି’ଭିଲିୟର୍ସ କହିଛନ୍ତି ଯେ, ସଚିନ ଓ କୋହଲିଙ୍କ ବିଦେଶ ମାଟିରେ ସଫଳତା ବର୍ତ୍ତମାନର ଭାରତୀୟ ଖେଳାଳିଙ୍କୁ ମଧ୍ୟ ପ୍ରେରଣା ଦେଇଛି।
ଡି’ଭିଲିୟର୍ସ ବିଶେଷ କରି କେଏଲ୍ ରାହୁଲ ଓ ଦେବଦତ୍ତ ପଡିକଲଙ୍କ ଉଦାହରଣ ଦେଇଛନ୍ତି। ତାଙ୍କ କହିବା ଅନୁସାରେ, କେଏଲ୍ ରାହୁଲଙ୍କ ପାଖରେ ଭଲ ଟେକ୍ନିକ୍ ଥିଲେ ମଧ୍ୟ ବିଦେଶ ମାଟିରେ ତାଙ୍କ ରେକର୍ଡରେ ଆହୁରି ଉନ୍ନତିର ଆବଶ୍ୟକତା ରହିଛି। ସେ ବଡ଼ ସ୍କୋର କରିବା ସହ ନିଜ ଅର୍ଦ୍ଧଶତକ ଓ ଶତକକୁ ଆହୁରି ବଡ଼ ଇନିଂସରେ ପରିଣତ କରିବା ଦିଗରେ ଧ୍ୟାନ ଦେବା ଦରକାର ବୋଲି ଡି’ଭିଲିୟର୍ସ କହିଛନ୍ତି।

