ରାହୁଲ ଗାନ୍ଧୀଙ୍କ ଦିଲ୍ଲୀ ଧାରଣାକୁ ଜେପି ନଡ୍ଡାଙ୍କ ଟାର୍ଗେଟ୍: କହିଲେ- ‘ରାଜନୈତିକ ହତାଶାର ପରିଣାମ’
ନୂଆଦିଲ୍ଲୀ: ଦିଲ୍ଲୀର ପାର୍ଲାମେଣ୍ଟ ଷ୍ଟ୍ରିଟ୍ ଥାନା ବାହାରେ ରାହୁଲ ଗାନ୍ଧୀଙ୍କ ଧାରଣାକୁ ନେଇ ରାଜନୈତିକ ବିବାଦ ତୀବ୍ର ହୋଇଛି। ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏହି ପ୍ରତିବାଦକୁ ଟାର୍ଗେଟ୍ କରି ଏହାକୁ ‘ରାଜନୈତିକ ହତାଶା’ ବୋଲି କହିଛନ୍ତି। ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଏହି ଧାରଣା ପଛରେ ପ୍ରକୃତ ନ୍ୟାୟ ଦାବି କିମ୍ବା ଛାତ୍ରଛାତ୍ରୀଙ୍କ ସମସ୍ୟା ଉଠାଇବା ଅପେକ୍ଷା ରାଜନୈତିକ ପ୍ରଚାର ଏବଂ ଫଟୋ ଉଠାଇବାର ଉଦ୍ଦେଶ୍ୟ ଅଧିକ ରହିଛି।
ବିଜେପି ନେତୃତ୍ୱ ଆହୁରି କହିଛି ଯେ, ଜୁଲାଇ ୨୦ର ଘଟଣାକୁ ନେଇ ସୁପ୍ରିମକୋର୍ଟ ପୂର୍ବରୁ ହିଁ ହସ୍ତକ୍ଷେପ କରିଛନ୍ତି। ତଦନ୍ତର ତଦାରଖ ପାଇଁ ଜଣେ ପୂର୍ବତନ ବିଚାରପତିଙ୍କ ନେତୃତ୍ୱରେ ୫ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏଥିସହ ସମ୍ପୃକ୍ତ ସମସ୍ତ ମାମଲାରେ କ୍ରାଇମ୍ ବ୍ରାଞ୍ଚ ଗଭୀର ଭାବେ ତଦନ୍ତ କରୁଥିବା ପୁଲିସ ପକ୍ଷରୁ କୁହାଯାଇଛି। ତେଣୁ ଏହି ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇବାର ଆବଶ୍ୟକତା କ’ଣ ବୋଲି ବିଜେପି ପ୍ରଶ୍ନ ଉଠାଇଛି।
ବିଜେପି ବିରୋଧୀ ଦଳର ନେତାମାନଙ୍କୁ ମଧ୍ୟ ଟାର୍ଗେଟ୍ କରିଛି। ଜାତୀୟ ସ୍ତରର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସଂସଦରେ ଆଲୋଚନା ପାଇଁ ସରକାର ପକ୍ଷରୁ ସୁଯୋଗ ଦିଆଯାଉଥିଲେ ମଧ୍ୟ ବିରୋଧୀ ନେତାମାନେ ଆଲୋଚନାରୁ ଦୂରେଇ ଯାଉଥିବା ଅଭିଯୋଗ ହୋଇଛି। ଏହା ବଦଳରେ ସେମାନେ ରାସ୍ତାରେ ପ୍ରତିବାଦ କରି ଅନ୍ୟ ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇବାକୁ ଚେଷ୍ଟା କରୁଥିବା ବିଜେପି କହିଛି। ଜାତୀୟ ପ୍ରତୀକକୁ ନେଇ ହୋଇଥିବା ବିବାଦରୁ ଧ୍ୟାନ ହଟାଇବା ପାଇଁ ଏଭଳି ପ୍ରଦର୍ଶନ କରାଯାଉଥିବା ମଧ୍ୟ ଦଳ ଅଭିଯୋଗ କରିଛି।

