ରାଜ୍ୟରେ ୬ ବରିଷ୍ଠ IPS ଅଧିକାରୀଙ୍କ ବଦଳି: କାହାକୁ ମିଳିଲା କେଉଁ ଦାୟିତ୍ୱ?
ଭୁବନେଶ୍ଵର: ରାଜ୍ୟର IPS ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ରାଜ୍ୟ ଗୃହ ବିଭାଗ ପକ୍ଷରୁ ୬ ଜଣ ବରିଷ୍ଠ ଅଧିକାରୀଙ୍କ ବଦଳି ଓ ନୂଆ ଦାୟିତ୍ୱ ନେଇ ବିଜ୍ଞପ୍ତି ଜାରି ହୋଇଛି। ପ୍ରଶାସନିକ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ଅଦଳବଦଳ କରାଯାଇଛି।
ସମ୍ବଲପୁର ଉତ୍ତରାଞ୍ଚଳ ଆଇଜି ଥିବା ହିମାଂଶୁ କୁମାର ଲାଲ୍ ଙ୍କୁ ଭୁବନେଶ୍ୱରର EOW ଓ STF ଆଇଜି ଦାୟିତ୍ୱ ମିଳିଛି। ସେହିପରି ତାଳଚେର NCR ଆଇଜି ତଥା ଅନୁଗୋଳ PTC ପ୍ରିନ୍ସିପାଲ୍ ଥିବା ସତ୍ୟବ୍ରତ ଭୋଇଙ୍କୁ ରାଜ୍ୟ ଗୁଇନ୍ଦା ବିଭାଗର ଆଇଜି ଭାବେ ନୂଆ ଦାୟିତ୍ୱ ମିଳିଛି।
ଅନ୍ୟପଟେ ଇଣ୍ଟେଲିଜେନ୍ସ ଆଇଜି ଜୟ ନାରାୟଣ ପଙ୍କଜଙ୍କୁ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଆଇଜି କରାଯାଇଛି। ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଆଇଜି ଥିବା ନୀତି ଶେଖରଙ୍କୁ ପୁଲିସ ମୁଖ୍ୟାଳୟର ଆଇଜି ଭାବେ ନିଯୁକ୍ତି ମିଳିଛି। ଏହାସହ ଚରଣ ସିଂହ ମୀନାଙ୍କୁ ସମ୍ବଲପୁର ଉତ୍ତରାଞ୍ଚଳ ଡିଆଇଜି ଏବଂ କେନ୍ଦ୍ରୀୟ ଡେପୁଟେସନ୍ରୁ ଫେରିଥିବା ଆଶିଷ କୁମାର ସିଂହଙ୍କୁ ତାଳଚେର ଡିଆଇଜି ତଥା ଅନୁଗୋଳ PTC ପ୍ରିନ୍ସିପାଲ୍ର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

