ଓଲା-ଉବେର-ରାପିଡୋ ଡ୍ରାଇଭରଙ୍କ ପାଇଁ ବଡ଼ ଖବର! ସେପ୍ଟେମ୍ବର ୧ରୁ ବଦଳିବ ଆପ୍ କ୍ୟାବ୍ ବ୍ୟବସ୍ଥା
ଭୁବନେଶ୍ଵର: ଓଲା, ଉବେର ଓ ରାପିଡୋ ଭଳି ଆପ୍ ଆଧାରିତ ଯାତ୍ରୀ ସେବା ପାଇଁ ସରକାର ଆଣୁଛନ୍ତି ନୂଆ ନିୟମ। ସେପ୍ଟେମ୍ବର ୧ରୁ ଲାଗୁ ହେବାକୁ ଥିବା ଏହି ନିୟମ ଅନୁଯାୟୀ, ଏଗ୍ରିଗେଟର୍ କମ୍ପାନୀଗୁଡ଼ିକୁ ପରିବହନ ପ୍ରାଧିକରଣଠାରୁ ଲାଇସେନ୍ସ ନେବା ବାଧ୍ୟତାମୂଳକ ହେବ। ଡ୍ରାଇଭରଙ୍କ ପାଖରେ ବୈଧ ଡ୍ରାଇଭିଂ ଲାଇସେନ୍ସ ଓ ବ୍ୟାଚ୍ ରହିବା ସହ ସ୍ଥାନୀୟ ଭାଷାର ଜ୍ଞାନ ମଧ୍ୟ ଆବଶ୍ୟକ ହେବ।
ବ୍ୟାଚ୍ ପାଇଁ ଆବେଦନ ସମୟରେ ସମ୍ପୃକ୍ତ ସହରର ୧୫ ବର୍ଷର ବାସିନ୍ଦା ପ୍ରମାଣପତ୍ର ସହ ପୁଲିସ ଭେରିଫିକେସନ୍ ରିପୋର୍ଟ ଦାଖଲ କରିବାକୁ ପଡ଼ିବ। ଜାଲ୍ କାଗଜପତ୍ର ଦେଇ ଲାଇସେନ୍ସ ହାସଲ କରିଥିବା ଡ୍ରାଇଭରଙ୍କ ବିରୋଧରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଏଥିସହ କୌଣସି ଡ୍ରାଇଭର କ୍ରମାଗତ ଭାବେ ୧୨ ଘଣ୍ଟାରୁ ଅଧିକ ଗାଡ଼ି ଚଳାଇପାରିବେ ନାହିଁ।
ନୂଆ ବ୍ୟବସ୍ଥାରେ ଯାତ୍ରୀଙ୍କ ଭଡ଼ାର ଅତିକମ୍ରେ ୮୦ ପ୍ରତିଶତ ଅର୍ଥ ଡ୍ରାଇଭରଙ୍କୁ ମିଳିବାର ବ୍ୟବସ୍ଥା ରହିଛି। ସମସ୍ତ ଯାନ ଉପରେ ଅନଲାଇନ୍ ନଜର ରଖାଯିବ। ଏହାସହ ଆପ୍ରେ ସ୍ଥାନୀୟ ଭାଷା ସହ ହିନ୍ଦୀ ଓ ଇଂରାଜୀ ଭାଷାର ସୁବିଧା ରହିବ।

