ଓଡ଼ିଶାରେ ପୁଣି ବଡ଼ ବର୍ଷା ଆଶଙ୍କା, ୪୮ ଘଣ୍ଟାରେ ସୃଷ୍ଟି ହୋଇପାରେ ଲଘୁଚାପ! ୨୩ରୁ ୨୫ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ଓଡ଼ିଶାରେ ପୁଣି ବଡ଼ ବର୍ଷା ଆଶଙ୍କା ସୃଷ୍ଟି ହୋଇଛି। ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକାଧିକ ଘୂର୍ଣ୍ଣିବଳୟ ରହିଥିବା ବେଳେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ଗଠନ ହୋଇପାରେ। ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ ରହିଛି। ଏହା ସହ କେନ୍ଦ୍ରୀୟ ମିଆଁମାର ଏବଂ ଉତ୍ତର ବଙ୍ଗୋପସାଗର-ସଂଲଗ୍ନ ବାଂଲାଦେଶ ଅଞ୍ଚଳରେ ମଧ୍ୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।
ପାଣିପାଗ ବିଜ୍ଞାନୀ ବିଶ୍ୱଜିତ ସାହୁଙ୍କ ଆକଳନ ଅନୁସାରେ, ମିଆଁମାର ଓ ବାଂଲାଦେଶ ନିକଟରେ ଥିବା ଦୁଇଟି ଘୂର୍ଣ୍ଣିବଳୟ ମିଶି ଆସନ୍ତା ୪୮ ଘଣ୍ଟାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି କରିପାରେ। ସମ୍ଭାବନା ରହିଛି ଯେ, ୨୩ ତାରିଖ ବେଳକୁ ଏହା ଲଘୁଚାପର ରୂପ ନେଇପାରେ। ଏହାର ପ୍ରଭାବରେ ୨୨ ତାରିଖ ରାତିରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇପାରେ। ୨୩ରୁ ୨୫ ତାରିଖ ମଧ୍ୟରେ ବର୍ଷାର ପରିମାଣ ବଢ଼ିବା ସହ ଉତ୍ତର ଓଡ଼ିଶା ଏବଂ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ।
ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର କାର୍ଯ୍ୟାଳୟର ପୂର୍ବାନୁମାନ ଅନୁସାରେ, ଶନିବାର ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇପାରେ। କେନ୍ଦୁଝର, କଳାହାଣ୍ଡି, ମୟୂରଭଞ୍ଜ ଓ ନବରଙ୍ଗପୁରର ଗୋଟିଏ-ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ୨୩ ତାରିଖରେ ମଧ୍ୟ ଅନେକ ସ୍ଥାନରେ ବର୍ଷା ହେବା ସହ ୨୪ ଓ ୨୫ ତାରିଖରେ ବର୍ଷାର ପ୍ରଭାବ ଅଧିକ ରହିପାରେ। ଉତ୍ତର ଓ ପଶ୍ଚିମ ଓଡ଼ିଶା ସହ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ପ୍ରବଳତର ବର୍ଷା ନେଇ ସତର୍କତା ଜାରି ହୋଇଛି। ୨୬ ତାରିଖ ପର୍ଯ୍ୟନ୍ତ ବର୍ଷାର ପ୍ରକୋପ ରହିପାରେ। ଏପଟେ ବର୍ଷା କମିଥିବାରୁ ଶୁକ୍ରବାର ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ବଢ଼ିଥିଲା। ପାରଳାଖେମୁଣ୍ଡି ଓ ଭଦ୍ରକରେ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ଛୁଇଁଥିବା ବେଳେ ଭୁବନେଶ୍ୱର, ବାଲେଶ୍ୱର, ବାରିପଦା ଓ ଯାଜପୁରରେ ୩୪ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ ହୋଇଛି।

