୩ ବର୍ଷ ଧରି ଫେରାର ଥିଲେ ପୂର୍ବତନ ଜାତୀୟସ୍ତରର କୁସ୍ତି ଖେଳାଳି, ଡ୍ରଗ୍ସ ମାମଲାରେ ଦିଲ୍ଲୀରୁ ଗିରଫ
ଝାଡ଼ଖଣ୍ଡ: ରାଞ୍ଚିର ଧୁର୍ବା ଥାନା ଅଞ୍ଚଳରେ ରୁଜୁ ହୋଇଥିବା ଏନ୍ଡିପିଏସ୍ ମାମଲାରେ ପ୍ରାୟ ୩ ବର୍ଷ ଧରି ଫେରାର ଥିବା ଅଭିଯୁକ୍ତ ଅମିତଙ୍କୁ ଦିଲ୍ଲୀରୁ ଗିରଫ କରିଛି ରାଞ୍ଚି ପୁଲିସ। ହରିୟାଣାର ରୋହତକ ଜିଲ୍ଲାର ସାମ୍ପଲା ଥାନା ଅଞ୍ଚଳର ବାସିନ୍ଦା ଅମିତ ଜଣେ ପୂର୍ବତନ ଜାତୀୟସ୍ତରର କୁସ୍ତି ଖେଳାଳି। ୨୦୧୩ରେ ଏକ ଜାତୀୟସ୍ତରୀୟ କୁସ୍ତି ପ୍ରତିଯୋଗିତାରେ ସେ ବ୍ରୋଞ୍ଜ ପଦକ ଜିତିଥିବା ପୁଲିସ କହିଛି।
୨୦୨୩ ଏପ୍ରିଲ ୨୦ରେ ଧୁର୍ବା ଥାନା ଅଞ୍ଚଳରେ ଏନ୍ଡିପିଏସ୍ ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ପ୍ରାୟ ୫୦୦ ଗ୍ରାମ ନିଷିଦ୍ଧ ନିଶାଦ୍ରବ୍ୟ ଜବତ ହୋଇଥିଲା। ତଦନ୍ତ ବେଳେ ଡ୍ରଗ୍ସ ଚୋରାଚାଲାଣ ସହ ଜଡ଼ିତ ଏକ ନେଟୱର୍କର ସୁରାକ ମିଳିଥିବା ବେଳେ ଅମିତଙ୍କ ନାଁ ସାମ୍ନାକୁ ଆସିଥିଲା। ପରେ ସେ ଦୀର୍ଘ ସମୟ ଧରି ଫେରାର ରହିଥିଲେ।
ଅମିତ ଦିଲ୍ଲୀରେ ଲୁଚିଥିବା ସୂଚନା ପାଇ ଧୁର୍ବା ପୁଲିସ ଦିଲ୍ଲୀ କ୍ରାଇମ୍ବ୍ରାଞ୍ଚର ଏନ୍ଆର୍-୨ ଟିମ୍ ସହ ଯୋଗାଯୋଗ କରିଥିଲା। ଅଗଷ୍ଟ ୧୮ରେ ଦିଲ୍ଲୀର ରୋହିଣୀ ଅଞ୍ଚଳର ମଧୁବନ ଛକ ନିକଟରେ ଚଢ଼ଉ କରି ତାଙ୍କୁ ଗିରଫ କରାଯାଇଥିଲା। ପରେ ରୋହିଣୀ କୋର୍ଟରେ ହାଜର କରାଯିବା ପରେ ୩ ଦିନର ଟ୍ରାନ୍ଜିଟ୍ ରିମାଣ୍ଡ ମିଳିଥିଲା ଏବଂ ତାଙ୍କୁ ରାଞ୍ଚି ଅଣାଯାଇଛି। ହାଟିଆ ଡିଏସ୍ପି ନୀରଜ କୁମାରଙ୍କ କହିବା ଅନୁସାରେ, ଝାଡ଼ଖଣ୍ଡରୁ ଅଫିମ ସଂଗ୍ରହ କରି ଦିଲ୍ଲୀ ଓ ଅନ୍ୟ ରାଜ୍ୟକୁ ପଠାଉଥିବା ଏକ ସକ୍ରିୟ ନେଟୱର୍କ ସମ୍ପର୍କରେ ପୁଲିସକୁ ସୂଚନା ମିଳିଛି। ଏହି ନେଟୱର୍କରେ ଆଉ କେଉଁମାନେ ସାମିଲ ଅଛନ୍ତି ଏବଂ ନିଶାଦ୍ରବ୍ୟ କିପରି ଅନ୍ୟ ରାଜ୍ୟକୁ ପଠାଯାଉଥିଲା, ସେନେଇ ତଦନ୍ତ ଜାରି ରହିଛି।

