ଝାଡ଼ଖଣ୍ଡ ଷ୍ଟିଲ୍ ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ୩ ଇଞ୍ଜିନିୟରଙ୍କ ମୃତ୍ୟୁ
ଝାଡ଼ଖଣ୍ଡ: ଝାଡ଼ଖଣ୍ଡର ରାମଗଡ଼ ଜିଲ୍ଲାର ହେଲାଲ ଅଞ୍ଚଳରେ ଥିବା ଏକ ଷ୍ଟିଲ୍ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୩ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଶୁକ୍ରବାର ରାତି ପ୍ରାୟ ୧୨ଟା ସମୟରେ କାରଖାନାର କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟରେ ନିଆଁ ଲାଗିଥିଲା।
ପୁଲିସ ସୂଚନା ଅନୁସାରେ, ଅଗ୍ନିକାଣ୍ଡରେ ୪ ଜଣ କର୍ମଚାରୀ ଗୁରୁତର ଭାବେ ପୋଡ଼ିଯାଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସଞ୍ଜୀବ, ବିନୀତ ଓ ଅଭିଷେକଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଆହତଙ୍କ ଚିକିତ୍ସା ଜାରି ରହିଛି।
ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଅଗ୍ନିକାଣ୍ଡର ତଦନ୍ତ ପାଇଁ କାରଖାନା ନିରୀକ୍ଷକ ଓ ଛୋଟନାଗପୁର ଡେପୁଟି ଚିଫ୍ ଇନ୍ସପେକ୍ଟରଙ୍କୁ ନେଇ ଦୁଇଜଣିଆ ଟିମ୍ ଘଟଣାସ୍ଥଳକୁ ପଠାଯାଇଛି। ଘଟଣା ସମୟରେ କାରଖାନାରେ ବହୁ ସଂଖ୍ୟକ ଶ୍ରମିକ ଉପସ୍ଥିତ ଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି।

