୨୦୩୫ରେ ତେଜସ୍ Mk-2ର ଭୂମିକାକୁ ନେଇ ସନ୍ଦେହ, ପୂର୍ବତନ ବାୟୁସେନା ଉପମୁଖ୍ୟଙ୍କ ବଡ଼ ମନ୍ତବ୍ୟ
ନୂଆଦିଲ୍ଲୀ: ଭାରତର ସ୍ୱଦେଶୀ ଯୁଦ୍ଧବିମାନ ତେଜସ୍ Mk-2କୁ ନେଇ ପୂର୍ବତନ ବାୟୁସେନା ଉପମୁଖ୍ୟ ଏୟାର ମାର୍ଶାଲ ନାଗେଶ କପୁର ଗୁରୁତର ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ମତରେ, ୨୦୩୦ ଦଶକର ମଧ୍ୟଭାଗରେ ତେଜସ୍ Mk-2 ବହୁ ସଂଖ୍ୟାରେ ବାୟୁସେନାରେ ସାମିଲ ହେବା ବେଳକୁ ଏହା ଅତ୍ୟାଧୁନିକ ଫ୍ରଣ୍ଟଲାଇନ୍ ଯୁଦ୍ଧବିମାନ ଭାବେ ସେତେ ପ୍ରଭାବୀ ନ ହୋଇପାରେ। ଚୀନ୍ ଷଷ୍ଠ ପିଢ଼ିର ଯୁଦ୍ଧବିମାନ ଦିଗରେ ଆଗକୁ ବଢ଼ୁଥିବା ବେଳେ ଭାରତ ଚତୁର୍ଥ ପିଢ଼ିର ବିମାନ ଉପରେ ନିର୍ଭର କରିବା ଉଚିତ କି ବୋଲି ପଚରାଯିବାରୁ ସେ ଏହାକୁ ସ୍ପଷ୍ଟ ଭାବେ ନାକଚ କରିଥିଲେ।
ତେବେ ଏୟାର ମାର୍ଶାଲ କପୁର କହିଛନ୍ତି ଯେ, ତେଜସ୍ Mk-2ର ଆବଶ୍ୟକତା ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ। ପଞ୍ଚମ ଓ ଷଷ୍ଠ ପିଢ଼ିର ଯୁଦ୍ଧବିମାନ ସବୁ ସ୍ଥାନରେ ମୁତୟନ କରିବା ସମ୍ଭବ ନ ହୋଇପାରେ। ତେଣୁ ଅନ୍ୟ ଭୂମିକାରେ ତେଜସ୍ Mk-2 ଭଳି ବିମାନ ଆବଶ୍ୟକ ହୋଇପାରେ। ଏହା ସହ ସେ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL)ର କାର୍ଯ୍ୟଶୈଳୀ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ତେଜସ୍ Mk-1Aର ଡେଲିଭରିରେ ବିଳମ୍ବକୁ ନେଇ ସେ ଚିନ୍ତା ପ୍ରକାଶ କରିବା ସହ ସ୍ୱଦେଶୀ ଯୁଦ୍ଧବିମାନ ନିର୍ମାଣ ଜରୁରୀ, କିନ୍ତୁ ଏଥିପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରାଯାଇପାରିବ ନାହିଁ ବୋଲି କହିଛନ୍ତି।
ତେଜସ୍ Mk-2ର ପ୍ରୋଟୋଟାଇପ୍ ପ୍ରଥମେ ୨୦୨୨ରେ ପ୍ରସ୍ତୁତ ହେବାର ଯୋଜନା ଥିଲା, କିନ୍ତୁ ଏହାର ସମୟସୀମା ବାରମ୍ବାର ପଛକୁ ଘୁଞ୍ଚିଛି। ସୂଚନା ଅନୁସାରେ, Mk-2ର ପ୍ରଥମ ଉଡ଼ାଣ ୨୦୨୭ ମାର୍ଚ୍ଚରୁ ଜୁଲାଇ ମଧ୍ୟରେ ହେବାର ଆଶା ରହିଛି। ଏହି ପରିସ୍ଥିତିରେ ଭାରତକୁ ଫ୍ରାନ୍ସ, ଜର୍ମାନୀ ଓ ସ୍ପେନ୍ର FCAS କିମ୍ବା ବ୍ରିଟେନ୍, ଇଟାଲୀ ଓ ଜାପାନର GCAP ଭଳି ଆନ୍ତର୍ଜାତୀୟ ଷଷ୍ଠ ପିଢ଼ିର ଯୁଦ୍ଧବିମାନ ପ୍ରକଳ୍ପ ସହ ଯୋଡ଼ିହେବା ଉପରେ ମଧ୍ୟ ବିଚାର କରିବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି।

