ଦୁଷ୍କର୍ମ ମାମଲା ଚପାଇବାକୁ ୫ କୋଟି ଦାବି ଅଭିଯୋଗ, ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ପତ୍ନୀଙ୍କ ବିରୋଧରେ NHRCର ତଦନ୍ତ ନିର୍ଦ୍ଦେଶ
ପଞ୍ଜାବ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ପତ୍ନୀଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଚପାଇବା ପାଇଁ ୫ କୋଟି ଟଙ୍କା ଦାବି କରିଥିବା ଅଭିଯୋଗକୁ ନେଇ ଜାତୀୟ ମାନବାଧିକାର ଆୟୋଗ (NHRC) ତଦନ୍ତ ନିର୍ଦ୍ଦେଶ ଦେଇଛି। ଏହି ଅଭିଯୋଗ ଜଣେ ପୂର୍ବତନ ପଞ୍ଜାବ ଜଜ୍ ଜଷ୍ଟିସ୍ ରଣଜିତ ସିଂହଙ୍କ ଦାବି ଆଧାରରେ ଆୟୋଗ ନିକଟରେ ଦାଖଲ ହୋଇଥିଲା। ତେବେ ଏହି ଅଭିଯୋଗ ଏପର୍ଯ୍ୟନ୍ତ ପ୍ରମାଣିତ ହୋଇନାହିଁ।
NHRC ସଦସ୍ୟ ପ୍ରିୟଙ୍କ କାନୁଙ୍ଗୋଙ୍କ ନେତୃତ୍ୱାଧୀନ ବେଞ୍ଚ୍ ପଞ୍ଜାବର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ଡିଜିପିଙ୍କୁ ଘଟଣାର ତଦନ୍ତ କରିବାକୁ କହିଛି। ଏହାସହ ଦୁଇ ସପ୍ତାହ ମଧ୍ୟରେ ତଦନ୍ତରେ କ’ଣ ପଦକ୍ଷେପ ନିଆଗଲା, ସେନେଇ Action Taken Report (ATR) ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମହିଳା ସୁରକ୍ଷା ସମ୍ପର୍କିତ ଗୃହ ମନ୍ତ୍ରଣାଳୟର ଡିଭିଜନ୍କୁ ମଧ୍ୟ ଏହି ମାମଲା ପଠାଯାଇଛି।
ବର୍ତ୍ତମାନ NHRC ଅଭିଯୋଗର ସତ୍ୟତା ନେଇ କୌଣସି ନିଷ୍କର୍ଷ ଦେଇନାହିଁ। ପଞ୍ଜାବ ସରକାର ଓ ପୁଲିସ ପକ୍ଷରୁ ରିପୋର୍ଟ ମିଳିବା ପରେ ଆୟୋଗ ଏହାର ଯାଞ୍ଚ କରି ପରବର୍ତ୍ତୀ ପଦକ୍ଷେପ ନେବ। ତେଣୁ ଏହି ଅଭିଯୋଗ ଏବେ ତଦନ୍ତ ପର୍ଯ୍ୟାୟରେ ରହିଛି।

