Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ନୌ ଡବଲ ମର୍ଡର-ସୁଇସାଇଡ୍‌ ମାମଲାରେ ନୂଆ ମୋଡ଼, ୧ କୋଟି ଟଙ୍କା ଭରଣପୋଷଣ ଦାବିକୁ ନେଇ ତଦନ୍ତ

ଲକ୍ଷ୍ନୌ: ଲକ୍ଷ୍ନୌରେ ଘଟିଥିବା ଡବଲ ମର୍ଡର-ସୁଇସାଇଡ୍‌ ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପୁଲିସ ଏବେ ମୃତ ମହିଳା ଦିବ୍ୟା ମିଶ୍ରଙ୍କ ପକ୍ଷରୁ ଛାଡ଼ପତ୍ର ମାମଲାରେ ୧ କୋଟି ଟଙ୍କା ଭରଣପୋଷଣ ଦାବି କରାଯାଇଥିବା ଅଭିଯୋଗକୁ ନେଇ ତଦନ୍ତ କରୁଛି। ୩୮ ବର୍ଷୀୟ ମାନସ ବାଜପେୟୀ ଗୋମତୀନଗରସ୍ଥିତ ଏକ ଆଇସିଆଇସିଆଇ ବ୍ୟାଙ୍କ ସମ୍ମୁଖରେ ନିଜ ପତ୍ନୀ ଦିବ୍ୟାଙ୍କୁ ଗୁଳି କରି ହତ୍ୟା କରିଥିଲେ। ପରେ ଘରକୁ ଫେରି ନିଜ ଭଉଣୀ ଶିବାଙ୍କୁ ମଧ୍ୟ ଗୁଳି କରିବା ପରେ ନିଜେ ଆତ୍ମହତ୍ୟା କରିଥିଲେ।

ପୁଲିସ ସୂତ୍ର ଅନୁସାରେ, ମାନସ ଓ ଦିବ୍ୟାଙ୍କ ବିବାହକୁ ୧୨ ବର୍ଷ ହୋଇଥିଲା ଏବଂ ଗତ ଏକ ବର୍ଷରୁ ସେମାନେ ଅଲଗା ରହୁଥିଲେ। ଦିବ୍ୟା ଗତବର୍ଷ ଛାଡ଼ପତ୍ର ପାଇଁ ମାମଲା ଦାଖଲ କରିଥିଲେ। ଘଟଣାର ଦୁଇ ଦିନ ପୂର୍ବରୁ ସ୍ଥାନୀୟ କୋର୍ଟରେ ଛାଡ଼ପତ୍ର ମାମଲାର ଶୁଣାଣି ହୋଇଥିଲା ଏବଂ ୧ କୋଟି ଟଙ୍କା ଭରଣପୋଷଣ ଦାବିକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ବଢ଼ିଥିବା ପୁଲିସ ସୂତ୍ର କହିଛି। ତଦନ୍ତକାରୀମାନେ ଛାଡ଼ପତ୍ର ସମ୍ପର୍କିତ କିଛି ଦସ୍ତାବିଜ ମଧ୍ୟ ଜବତ କରିଛନ୍ତି।

ଏହାସହ ମାନସଙ୍କ ଭଉଣୀ ଶିବାଙ୍କ ସ୍ୱାସ୍ଥ୍ୟକୁ ନେଇ ମଧ୍ୟ ଦମ୍ପତିଙ୍କ ମଧ୍ୟରେ ବାରମ୍ବାର ବିବାଦ ହେଉଥିବା ପୁଲିସ ଜାଣିବାକୁ ପାଇଛି। ଦିବ୍ୟାଙ୍କ ଭଉଣୀ ତଥା ୟୁଟ୍ୟୁବର୍‌ ପ୍ରଜ୍ଞା ମିଶ୍ର ଅଭିଯୋଗ କରିଛନ୍ତି ଯେ, ମାନସ ଛୋଟଛୋଟ କଥାକୁ ନେଇ ଦିବ୍ୟାଙ୍କୁ ମାଡ଼ ମାରୁଥିଲେ। ଅନ୍ୟପକ୍ଷରେ, ଘଟଣା ପୂର୍ବରୁ ମାନସ ହ୍ୱାଟ୍ସଆପ୍‌ରେ ନିଜ ପତ୍ନୀ ଓ ଭଉଣୀଙ୍କୁ ହତ୍ୟା କରିଥିବା ନେଇ ଏକ ଷ୍ଟାଟସ୍‌ ମଧ୍ୟ ରଖିଥିବା ପୁଲିସ କହିଛି। ତେବେ ୧ କୋଟି ଟଙ୍କା ଭରଣପୋଷଣ ଦାବି ହତ୍ୟାର ପ୍ରକୃତ କାରଣ ଥିଲା କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ