AI କାର୍ଯ୍ୟକ୍ରମରେ ଫ୍ୟାନ୍କୁ ନେଇ ମୋହନ ଯାଦବଙ୍କ ଅଜବ ଉଦାହରଣ,କହିଲେ- ”ଫ୍ୟାନ୍ ପବନ ଦିଏନି, ପବନ ଆଗରୁ ଥାଏ’ ଫ୍ୟାନ୍ କେବଳ ସେହି ପବନକୁ ଚଳାଇଥାଏ।”
ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଏକ ସରକାରୀ ସ୍କୁଲରେ ଆୟୋଜିତ ଏଆଇ (Artificial Intelligence) କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ସମୟରେ ସେ ଏଆଇ ଏବଂ ପ୍ରଯୁକ୍ତିକୁ ବୁଝାଇବା ପାଇଁ ଫ୍ୟାନ୍ର ଉଦାହରଣ ଦେଇଥିଲେ। ଏହି ସମୟରେ ତାଙ୍କର ଏକ ମନ୍ତବ୍ୟ ଏବେ ଚର୍ଚ୍ଚାରେ ରହିଛି।
ମୋହନ ଯାଦବ କହିଥିଲେ, “ଫ୍ୟାନ୍ ପବନ ଦିଏନି, ପବନ ଆଗରୁ ଥାଏ। ଫ୍ୟାନ୍ କେବଳ ସେହି ପବନକୁ ଚଳାଇଥାଏ।” ଏହି ଉଦାହରଣ ଦେଇ ସେ ପ୍ରଯୁକ୍ତି କିପରି ପୂର୍ବରୁ ଥିବା ସମ୍ଭାବନାକୁ ବ୍ୟବହାରଯୋଗ୍ୟ କରେ, ସେନେଇ ନିଜ ମତ ରଖିଥିଲେ। ଏଆଇକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ଓ ଆଗ୍ରହ ବଢ଼ାଇବା ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା।
ମୁଖ୍ୟମନ୍ତ୍ରୀଙ୍କ ଏହି ମନ୍ତବ୍ୟର ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କେହି ଏହାକୁ ସରଳ ଉଦାହରଣ ମାଧ୍ୟମରେ ଏଆଇକୁ ବୁଝାଇବାର ପ୍ରୟାସ ବୋଲି କହୁଥିବା ବେଳେ, ଆଉ କେହି ମନ୍ତବ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତେବେ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ସ୍କୁଲ ଛାତ୍ରଛାତ୍ରୀଙ୍କୁ ଏଆଇ ଓ ନୂଆ ପ୍ରଯୁକ୍ତି ସହ ପରିଚିତ କରାଇବା।

