Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାର୍ କାଉନସିଲ୍ ଅଧ୍ୟକ୍ଷଙ୍କୁ ୧୫ ଦିନ ମଧ୍ୟରେ ଇସ୍ତଫା ଦାବି, ୮ଟି ଅଭିଯୋଗ ଆଣିଲେ ସହ-ଅଧ୍ୟକ୍ଷ

ନୂଆଦିଲ୍ଲୀ: ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ (BCI)ର ଅଧ୍ୟକ୍ଷ ମନନ କୁମାର ମିଶ୍ରଙ୍କୁ ୧୫ ଦିନ ମଧ୍ୟରେ ଇସ୍ତଫା ଦେବାକୁ ଦାବି କରିଛନ୍ତି ସଂସ୍ଥାର ସହ-ଅଧ୍ୟକ୍ଷ ତଥା ବରିଷ୍ଠ ଆଇନଜୀବୀ ୱାଇ.ଆର୍. ସଦାଶିବ ରେଡ୍ଡୀ। ଆର୍ଥିକ ଅନିୟମିତତା ସମେତ ମୋଟ ୮ଟି ଅଭିଯୋଗ ଆଣି ସେ ଅଧ୍ୟକ୍ଷଙ୍କୁ ଏକ ଚିଠି ଲେଖିଛନ୍ତି। ତେବେ ଏହି ସମସ୍ତ ଅଭିଯୋଗ ଏପର୍ଯ୍ୟନ୍ତ ପ୍ରମାଣିତ ହୋଇନାହିଁ।

ରେଡ୍ଡୀ ଅଭିଯୋଗ କରିଛନ୍ତି ଯେ, ମନନ କୁମାର ମିଶ୍ର BCIକୁ ଏକ ସାର୍ବଜନୀନ ସଂସ୍ଥା ପରିବର୍ତ୍ତେ ବ୍ୟକ୍ତିଗତ ସମ୍ପତ୍ତି ଭଳି ପରିଚାଳନା କରୁଛନ୍ତି। BCIର ପୁରୁଣା ଟ୍ରଷ୍ଟକୁ ନିଷ୍କ୍ରିୟ କରାଯାଇ ୨୦୨୦ରେ ‘BCI Trust PEARL First’ ନାମରେ ଏକ ନୂଆ ଟ୍ରଷ୍ଟ ଗଠନ କରାଯାଇଥିବା ଏବଂ ଏଥିରେ ମନନ ମିଶ୍ରଙ୍କ ପସନ୍ଦର ଟ୍ରଷ୍ଟିଙ୍କୁ ରଖାଯାଇଥିବା ସେ ଅଭିଯୋଗ କରିଛନ୍ତି। ଏହି ନୂଆ ଟ୍ରଷ୍ଟକୁ BCIର ପ୍ରାୟ ୧୫୦ କୋଟି ଟଙ୍କା ହସ୍ତାନ୍ତର ପାଇଁ ପ୍ରସ୍ତାବ ରଖାଯାଇଥିବା ମଧ୍ୟ ରେଡ୍ଡୀ ଚିଠିରେ ଦର୍ଶାଇଛନ୍ତି।

ଏହା ବ୍ୟତୀତ ଆଇନ ମହାବିଦ୍ୟାଳୟଗୁଡ଼ିକଠାରୁ BCI ଅନୁମୋଦନ କିମ୍ବା ନବୀକରଣ ପାଇଁ ବଡ଼ ଅର୍ଥ ନିଆଯାଉଥିବା ଏବଂ ନିଯୁକ୍ତିରେ ପରିବାରବାଦ ହେଉଥିବା ରେଡ୍ଡୀ ଅଭିଯୋଗ କରିଛନ୍ତି। ଏହି ବିବାଦ ମଧ୍ୟରେ ମନନ କୁମାର ମିଶ୍ରଙ୍କ BCI ଅଧ୍ୟକ୍ଷ ପଦରେ ଦୀର୍ଘଦିନର ରହିବାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ମଧ୍ୟ ଏକ ଆବେଦନ ଦାଖଲ ହୋଇଛି। ଆବେଦନରେ BCI ନିୟମ ଅନୁସାରେ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ୨ ବର୍ଷ ହୋଇଥିବା ବେଳେ, ତାଙ୍କର ଦୀର୍ଘ ସମୟର କାର୍ଯ୍ୟକାଳର ବୈଧତା ଉପରେ ପ୍ରଶ୍ନ ଉଠାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories