‘ଜେନ୍ ଜି’ ଭୋଟରଙ୍କୁ ଆକର୍ଷିତ କରିବାକୁ ବିଜେପିର ରଣନୀତି ! ନୀତିନ ନବୀନଙ୍କ ନେତୃତ୍ୱରେ ଗଠନ ହେଲା ସ୍ୱତନ୍ତ୍ର ଟିମ୍
ନୂଆଦିଲ୍ଲୀ: ‘ଜେନ୍ ଜି’ ଓ ଯୁବ ଭୋଟରଙ୍କ ସହ ସମ୍ପର୍କ ମଜଭୁତ କରିବାକୁ ବିଜେପି ଏକ ସ୍ୱତନ୍ତ୍ର ଆଉଟରିଚ୍ ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି। ଏଥିପାଇଁ ଦଳ ଏକ ଉଚ୍ଚସ୍ତରୀୟ ଟିମ୍ ଗଠନ କରିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ସହ ରାଷ୍ଟ୍ରୀୟ ମହାସଚିବ ସ୍ମୃତି ଇରାନୀ ଓ ବିନୋଦ ତାୱଡେ ଏହି ଟିମ୍ରେ ସାମିଲ ଅଛନ୍ତି। ଗୁଜରାଟ ମନ୍ତ୍ରୀ ହର୍ଷ ସାଂଘଭୀ ଓ ଛତିଶଗଡ଼ ମନ୍ତ୍ରୀ ଓପି ଚୌଧୁରୀଙ୍କୁ ମଧ୍ୟ ଟିମ୍ରେ ସ୍ଥାନ ଦିଆଯାଇଛି।
ଏହି ଟିମ୍ ଯୁବପିଢ଼ିଙ୍କ ଆଶା, ଆକାଂକ୍ଷା ଓ ସମସ୍ୟା ବିଷୟରେ ସିଧାସଳଖ ଆଲୋଚନା କରିବ। ବିଶେଷକରି ନିଯୁକ୍ତି, ଶିକ୍ଷା, ଷ୍ଟାର୍ଟଅପ୍ ଓ ପ୍ରଯୁକ୍ତି ଭଳି ପ୍ରସଙ୍ଗରେ ଯୁବପିଢ଼ିଙ୍କ ମତାମତ ଜାଣି ଦଳର ଏଜେଣ୍ଡାରେ ଏହାକୁ ସାମିଲ କରିବାକୁ ଉଦ୍ୟମ କରାଯିବ। ପ୍ରଥମ ଥର ଭୋଟ୍ ଦେବାକୁ ଯାଉଥିବା ଯୁବ ଭୋଟରଙ୍କ ସହ ଆଲୋଚନା, ଚର୍ଚ୍ଚା ଓ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସିଧା ସମ୍ପର୍କ ସ୍ଥାପନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ।
ନୂଆ ଟିମ୍ ଘୋଷଣା ପରେ ଶନିବାର ବିଜେପିର ପ୍ରଥମ ପରିଚୟ ବୈଠକ ଅନୁଷ୍ଠିତ ହୋଇଥିଲା। ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଆଗାମୀ ବିଧାନସଭା ନିର୍ବାଚନ ପ୍ରସ୍ତୁତି, ବୁଥ୍ ସ୍ତରରେ ସଂଗଠନକୁ ମଜଭୁତ କରିବା ଓ ସରକାରୀ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ନେଇ ଆଲୋଚନା ହୋଇଥିଲା। ବୈଠକ ପୂର୍ବରୁ ‘ବନ୍ଦେ ମାତରମ୍’ର ସମସ୍ତ ଛଅଟି ପଦ ପାଠ କରାଯାଇଥିଲା।

