Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Bhubaneswar Airport Lease: ହୁବଲି ସହ ଯୋଡ଼ିବାକୁ କେନ୍ଦ୍ରର ମଞ୍ଜୁରି, ଲିଜ୍‌ରେ ଦିଆଯିବ ବିମାନବନ୍ଦର

ଭୁବନେଶ୍ୱର: ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଲିଜ୍‌ରେ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଞ୍ଜୁରି ମିଳିଛି। ଦେଶର ୧୧ଟି ବିମାନବନ୍ଦରକୁ ଲିଜ୍‌ରେ ଦେବା ଯୋଜନାରେ ଭୁବନେଶ୍ୱର ସହ କର୍ଣ୍ଣାଟକର ହୁବଲି ବିମାନବନ୍ଦରକୁ ଏକାଠି କରାଯାଇଛି। ଅନ୍ତଃମନ୍ତ୍ରୀସ୍ତରୀୟ ଆଲୋଚନା ପରେ ଏହି ବଣ୍ଡଲିଂ ପ୍ରସ୍ତାବକୁ ନୀତିଗତ ଅନୁମୋଦନ ମିଳିଛି।

କେନ୍ଦ୍ରର ଏହି ଯୋଜନା ଅନୁସାରେ ଅଧିକ ଯାତ୍ରୀ ଓ ଆୟ ଥିବା ବିମାନବନ୍ଦର ସହ ତୁଳନାତ୍ମକ ଭାବେ କମ୍ ଯାତ୍ରୀ ଥିବା ଆଞ୍ଚଳିକ ବିମାନବନ୍ଦରକୁ ଯୋଡ଼ାଯିବ। ୨୦୨୫-୨୬ରେ ଭୁବନେଶ୍ୱର ବିମାନବନ୍ଦର ପ୍ରାୟ ୫୧.୩ ଲକ୍ଷ ଯାତ୍ରୀଙ୍କୁ ସେବା ଦେଇଥିବା ବେଳେ ହୁବଲିର ଯାତ୍ରୀ ସଂଖ୍ୟା ଏହାଠାରୁ ବହୁତ କମ୍। ଭୁବନେଶ୍ୱରରୁ ପ୍ରାୟ ୩୦ଟି ସ୍ଥାନକୁ ବିମାନ ସଂଯୋଗ ଥିବା ବେଳେ ହୁବଲିରୁ ପ୍ରାୟ ୫ଟି ସ୍ଥାନକୁ ବିମାନ ଚଳାଚଳ କରୁଛି। ଏହି ବଡ଼ ପାର୍ଥକ୍ୟକୁ ନେଇ ଭୁବନେଶ୍ୱର ବିମାନବନ୍ଦରକୁ ହୁବଲି ସହ ଯୋଡ଼ାଯିବା ନେଇ ରାଜ୍ୟରେ ଆଲୋଚନା ଆରମ୍ଭ ହୋଇଛି।

ତେବେ ଲିଜ୍‌କୁ ଦିଆଯିବା ପରେ ମଧ୍ୟ ବିମାନବନ୍ଦରର ମାଲିକାନା ଏୟାରପୋର୍ଟସ୍‌ ଅଥରିଟି ଅଫ୍‌ ଇଣ୍ଡିଆ (AAI) ପାଖରେ ରହିବ। ଘରୋଇ ସଂସ୍ଥାଗୁଡ଼ିକୁ ମୁଖ୍ୟତଃ ପରିଚାଳନା, ବିକାଶ ଓ ଆଧୁନିକୀକରଣର ଦାୟିତ୍ୱ ଦିଆଯିବ। ଏହି ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ପ୍ରାୟ ୧୨୦୦ କୋଟି ଟଙ୍କା ବ୍ୟୟରେ ଟର୍ମିନାଲ୍-୩ ନିର୍ମାଣ ପାଇଁ ପ୍ରସ୍ତାବ ମଧ୍ୟ ରହିଛି। ତେଣୁ ଲିଜ୍‌ ଓ ବଣ୍ଡଲିଂ ଯୋଜନା ଭୁବନେଶ୍ୱର ବିମାନବନ୍ଦରର ଭବିଷ୍ୟତ ପରିଚାଳନା ଉପରେ କି ପ୍ରଭାବ ପକାଇବ, ତାହା ଉପରେ ଏବେ ନଜର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ