ଖୁବଶୀଘ୍ର ଲାଗୁ ହେବାକୁ ଯାଉଛି ‘One Nation One Health’: Digital Prescription ଦ୍ୱାରା ସହଜ ହେବ ରୋଗୀଙ୍କ ଚିକିତ୍ସା
ଭୁବନେଶ୍ୱର: ଦେଶରେ ଖୁବଶୀଘ୍ର ‘One Nation One Health’ ବା ‘ଏକ ଦେଶ, ଏକ ସ୍ୱାସ୍ଥ୍ୟ’ ବ୍ୟବସ୍ଥା ଲାଗୁ କରାଯିବ। ଏହା ସହ ରାଜ୍ୟରେ ଡାକ୍ତରମାନଙ୍କ ପାଇଁ Digital Prescription ବ୍ୟବସ୍ଥା ଆରମ୍ଭ କରିବାକୁ ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି। ରବିବାର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଓଡ଼ିଶା ଫାର୍ମାସି ଅଫିସର ସର୍ଭିସ ଆସୋସିଏସନର ବାର୍ଷିକ ସମ୍ମିଳନୀରେ ଯୋଗଦେଇ ସେ ଏହି ସୂଚନା ଦେଇଛନ୍ତି।
ମନ୍ତ୍ରୀଙ୍କ କହିବା ଅନୁଯାୟୀ, ନୂଆ ଡିଜିଟାଲ ବ୍ୟବସ୍ଥା ଲାଗୁ ହେଲେ ରୋଗୀଙ୍କ ନିଦାନ ଓ ଚିକିତ୍ସା ସମ୍ପର୍କିତ ରେକର୍ଡ ଗୋଟିଏ କ୍ଲିକ୍ରେ ଉପଲବ୍ଧ ହୋଇପାରିବ। କେନ୍ଦ୍ର ସରକାରଙ୍କ Ayushman Bharat Digital Mission (ABDM) ଅଧୀନରେ ‘ଆରୋଗ୍ୟ ସେତୁ ୨.୦’ ଆପ୍ରେ ‘Scan and Share’ ସୁବିଧା ରହିଛି। ଏହା ମାଧ୍ୟମରେ ପ୍ରେସ୍କ୍ରିପ୍ଶନକୁ ଡିଜିଟାଲ ଭାବେ ସଂରକ୍ଷଣ ଓ ଶେୟାର କରାଯାଇପାରିବ। ଏହାସହ ଆଣ୍ଟିବାୟୋଟିକର ଅନିୟନ୍ତ୍ରିତ ବ୍ୟବହାର ଉପରେ ମଧ୍ୟ ନଜର ରଖାଯିବ। କେଉଁ ଡାକ୍ତର କେଉଁ ରୋଗ ପାଇଁ କେଉଁ ଆଣ୍ଟିବାୟୋଟିକ ଲେଖିଛନ୍ତି, ଡିଜିଟାଲ ବ୍ୟବସ୍ଥା ମାଧ୍ୟମରେ ଏହାର ତଥ୍ୟ ମିଳିପାରିବ ବୋଲି ମନ୍ତ୍ରୀ କହିଛନ୍ତି।
ଅନ୍ୟପକ୍ଷରେ, ଫାର୍ମାସି ସେବାକୁ ମଜଭୁତ କରିବା ପାଇଁ ରାଜ୍ୟ ସରକାର ଫାର୍ମାସି କ୍ୟାଡରର ପୁନର୍ଗଠନ ସହ ଜବ୍ ଚାର୍ଟ ପ୍ରସ୍ତୁତ କରିଛନ୍ତି। ୧୧୦୮ଟି ନୂତନ ଫାର୍ମାସି ଅଧିକାରୀ ପଦବୀରେ ନିଯୁକ୍ତି ପାଇଁ ମଧ୍ୟ ଅନୁମୋଦନ ମିଳିଛି। ଏହି ପଦବୀଗୁଡ଼ିକୁ ଶୀଘ୍ର ପୂରଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଫାର୍ମାସିଷ୍ଟମାନେ ରୋଗୀଙ୍କୁ ଔଷଧ ପ୍ରଦାନ, ଔଷଧର ସୁରକ୍ଷିତ ବ୍ୟବହାର ଓ ଔଷଧ ସମ୍ପର୍କିତ ପରାମର୍ଶ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିବାରୁ ଫାର୍ମାସି ସେବାକୁ ମଜଭୁତ କରିବା ଦ୍ୱାରା ରାଜ୍ୟର ସ୍ୱାସ୍ଥ୍ୟସେବା ଆହୁରି ଉନ୍ନତ ହେବ ବୋଲି ସେ କହିଛନ୍ତି।

