Odisha Govt New Rule: ସଠିକ ସମୟରେ ସରକାରୀ ସେବା ନ ଦେଲେ ଅଫିସରଙ୍କ ଦରମାରୁ କଟିବ ୨୫୦ ଟଙ୍କା, ଜାଣନ୍ତୁ ନୂଆ SOP
ଭୁବନେଶ୍ୱର: ସରକାରୀ ସେବା ଯୋଗାଣରେ ବିଳମ୍ବ କଲେ ଏଣିକି ଦାୟୀ ଅଧିକାରୀଙ୍କୁ ଜରିମାନା ଗଣିବାକୁ ପଡ଼ିବ। ଓଡ଼ିଶାରେ ସରକାରୀ ସେବା ପ୍ରଦାନକୁ ଅଧିକ transparent ଓ accountable କରିବା ପାଇଁ ସାଧାରଣ ପ୍ରଶାସନ ବିଭାଗ ‘Auto-Appeal System’ ନେଇ ନୂଆ Standard Operating Procedure (SOP) ଜାରି କରିଛି। ଏହି ବ୍ୟବସ୍ଥା ଅନୁଯାୟୀ, ନିର୍ଦ୍ଧାରିତ ସମୟରେ ସେବା ନଦେଲେ ସମ୍ପୃକ୍ତ ଅଧିକାରୀଙ୍କ ଉପରେ ଦିନକୁ ୨୫୦ ଟଙ୍କା ହିସାବରେ ଜରିମାନା ଲାଗିପାରିବ।
ନୂଆ SOP ଅନୁସାରେ ବିଳମ୍ବ ପାଇଁ ଦାୟୀ ଅଫିସରଙ୍କ ଉପରେ ସର୍ବାଧିକ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ କରାଯାଇପାରିବ। ଜରିମାନା ରାଶିକୁ ଅଧିକାରୀଙ୍କ HRMS ଓ Treasury System ସହ ସଂଯୋଗ କରି ସିଧାସଳଖ ଦରମାରୁ ଆଦାୟ କରାଯିବ। ଓଡ଼ିଶା ଜନସେବା ଅଧିକାର ଆଇନ, ୨୦୧୨ ଅଧୀନରେ ଥିବା ସେବାଗୁଡ଼ିକୁ ସମୟସୀମା ମଧ୍ୟରେ ଯୋଗାଇବା ଏହି ବ୍ୟବସ୍ଥାର ମୁଖ୍ୟ ଲକ୍ଷ୍ୟ। ସେବାରେ ଖିଲାପ କିମ୍ବା ବିଳମ୍ବ ହେଲେ ଆବେଦନକାରୀଙ୍କୁ ପୁଣି ଥରେ ଅପିଲ କରିବାକୁ ପଡ଼ିବ ନାହିଁ।
ଜଣେ ଆବେଦନକାରୀ online portal ମାଧ୍ୟମରେ ସେବା ପାଇଁ ଆବେଦନ କରିବା ପରେ ତାଙ୍କୁ ଏକ ସ୍ୱତନ୍ତ୍ର acknowledgment number ମିଳିବ। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଦାୟିତ୍ୱପ୍ରାପ୍ତ ଅଫିସର ଆବେଦନର ସମାଧାନ ନକଲେ, ସିଷ୍ଟମ ସ୍ୱୟଂଚାଳିତ ଭାବେ ମାମଲାକୁ ପ୍ରଥମ Appellate Authorityଙ୍କ ନିକଟକୁ ‘Auto-Appeal’ ଭାବେ ପଠାଇଦେବ। ଏହା ଦ୍ୱାରା ସରକାରୀ ସେବାରେ ଦାୟିତ୍ୱବୋଧ ବଢ଼ିବା ସହ ସାଧାରଣ ଲୋକଙ୍କୁ ସମୟରେ ସେବା ମିଳିବାରେ ସହାୟତା ମିଳିବ।

