Delhi-NCRରେ Heavy Rain Alert,୫୦ରୁ ଅଧିକ ବିମାନ ଉଡ଼ାଣ ପ୍ରଭାବିତ;୧୪ଟି ବିମାନର ମାର୍ଗ ପରିବର୍ତ୍ତନ
ନୂଆଦିଲ୍ଲୀ: ଦିଲ୍ଲୀ -ଏନସିଆରରେ ପ୍ରବଳ ବର୍ଷା ଯୋଗୁଁ ସାଧାରଣ ଜୀବନ ସହ ବିମାନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ଖରାପ ପାଗ କାରଣରୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ୫୦ରୁ ଅଧିକ ବିମାନ ବିଳମ୍ବିତ ହୋଇଥିବା ବେଳେ ୧୪ଟି ବିମାନର ମାର୍ଗ ପରିବର୍ତ୍ତନ କରାଯାଇଛି। ଏଥିରେ ୨ଟି ଅନ୍ତର୍ଜାତୀୟ ବିମାନ ମଧ୍ୟ ରହିଛି। ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ଓ ଟ୍ରାଫିକ୍ ସମସ୍ୟା ଦେଖାଦେଇଛି।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦିଲ୍ଲୀର ବିଭିନ୍ନ ଅଞ୍ଚଳ ସମେତ ନୋଏଡା, ଗୁରୁଗ୍ରାମ ଓ ଗାଜିଆବାଦରେ ବର୍ଷା, ବଜ୍ରପାତ ଏବଂ ଝଡ଼ ପବନର ସତର୍କତା ଜାରି କରାଯାଇଛି। କେତେକ ଅଞ୍ଚଳରେ ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ ଓ ଅନ୍ୟ ଅଞ୍ଚଳରେ ୟେଲୋ ଆଲର୍ଟ ଜାରି ହୋଇଛି। ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ ବଜ୍ରପାତର ସମ୍ଭାବନା ଥିବାରୁ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି।
ଖରାପ ପାଗକୁ ନେଇ Air India, IndiGo, SpiceJet ଓ Akasa Air ପକ୍ଷରୁ ଯାତ୍ରୀମାନଙ୍କ ପାଇଁ Advisory ଜାରି କରାଯାଇଛି। ବର୍ଷା ଓ ଦୃଶ୍ୟମାନତା କମିବା ଯୋଗୁଁ ବିମାନର Arrival ଓ Departure ପ୍ରଭାବିତ ହୋଇପାରେ ବୋଲି ଏୟାରଲାଇନ୍ସଗୁଡ଼ିକ ସୂଚନା ଦେଇଛନ୍ତି। ବିମାନବନ୍ଦର ଯିବା ପୂର୍ବରୁ ଯାତ୍ରୀମାନେ ନିଜ Flight Status ଯାଞ୍ଚ କରିବା ସହ ଅତିରିକ୍ତ ସମୟ ନେଇ ଯାତ୍ରା କରିବାକୁ ପରାମର୍ଶ ଦିଆଯାଇଛି।

