Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ରେନରେ ସୁଟକେସ୍‌ରୁ ମିଳିଲା ମହିଳାଙ୍କ ଶରୀର ଅଂଶ, ଚେନ୍ନାଇ ଘରେ ମିଳିଲା ଅବଶେଷ; ସିସିଟିଭି ଖୋଲିଲା ରହସ୍ୟ

ଆଗ୍ରା: ଆଗ୍ରାରେ ଟ୍ରେନ୍‌ରୁ ସୁଟକେସ୍‌ ଭିତରେ ମହିଳାଙ୍କ ଶରୀରର ପଚା ଅଂଶ ମିଳିବା ଘଟଣାର ତଦନ୍ତରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ପରେ ପୁଲିସ ଚେନ୍ନାଇର ଗୁଡୁଭାଞ୍ଚେରୀ ଅଞ୍ଚଳରେ ଏକ ଘର ଠାବ କରିଥିବା ଜଣାପଡ଼ିଛି। ପୁଲିସ ମୃତ ମହିଳାଙ୍କୁ ଓଡ଼ିଶାର ୩୮ ବର୍ଷୀୟା ହାୟୁଥାନ ନିଶା ବୋଲି ଚିହ୍ନଟ କରିଥିବା ବେଳେ, ହତ୍ୟା ପରେ ତାଙ୍କ ମୃତଦେହକୁ ଦୁଇ ଭାଗ କରାଯାଇଥିବା ସୂଚନା ମିଳିଛି।

ସିସିଟିଭି ଫୁଟେଜ୍‌ ଆଧାରରେ ଆଗ୍ରା ରେଳବାଇ ପୁଲିସ ଦୁଇଜଣ ସନ୍ଦିଗ୍ଧଙ୍କୁ ଚିହ୍ନଟ କରି ଚେନ୍ନାଇ କେନ୍ଦ୍ରୀୟ ରେଳବାଇ ପୁଲିସକୁ ସୂଚନା ଦେଇଥିଲା। ଫୁଟେଜ୍‌ରେ ସମାନ ଟ୍ରଲି ବ୍ୟାଗ୍‌ ନେଇ ଦୁଇଜଣ ବ୍ୟକ୍ତି ଟ୍ରେନ୍‌ରେ ଚଢ଼ୁଥିବା ଦେଖାଯାଇଥିବା ବେଳେ, ସେମାନଙ୍କୁ ମାନିକ ଉଦ୍ଦିନ ଲସ୍କର ଓ ଭଗବତୀ ମାଝୀ ବୋଲି ଚିହ୍ନଟ କରାଯାଇଛି। ପରେ ପୁଲିସ ଗୁଡୁଭାଞ୍ଚେରୀସ୍ଥିତ ସେମାନଙ୍କ ରହୁଥିବା ଘରେ ଚଢ଼ଉ କରି ତଲାସି କରିଥିଲା। ତଲାସି ସମୟରେ ଏକ ରୋଷେଇ ପାତ୍ର ଭିତରୁ ଅଧିକ ପଚିଯାଇଥିବା ମାନବ ଶରୀରର ଅଂଶ ମିଳିଥିବା ଅଭିଯୋଗ ହୋଇଛି।

ଘଟଣାରେ ଉଭୟ ସନ୍ଦିଗ୍ଧ ବର୍ତ୍ତମାନ ଫେରାର୍‌ ଥିବା ପୁଲିସ ପକ୍ଷରୁ କୁହାଯାଇଛି। ସେମାନଙ୍କୁ ଗିରଫ କରାଯିବା ପରେ ହତ୍ୟା ପଛର ପ୍ରକୃତ କାରଣ ଜଣାପଡ଼ିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି। ଟ୍ରେନ୍‌ରୁ ମିଳିଥିବା ଶରୀରର ଅଂଶ ଓ ଚେନ୍ନାଇ ଘରୁ ଉଦ୍ଧାର ହୋଇଥିବା ଅବଶେଷ ମଧ୍ୟରେ ସମ୍ପର୍କ ରହିଛି କି ନାହିଁ, ତାହା ଜାଣିବା ପାଇଁ ଫୋରେନସିକ୍‌ ପରୀକ୍ଷା କରାଯିବ। ଏହି ଘଟଣାକୁ ନେଇ ମୃତ ମହିଳାଙ୍କ ପୁଅଙ୍କ ଅଭିଯୋଗ ଆଧାରରେ ନିଖୋଜ ମାମଲା ମଧ୍ୟ ରୁଜୁ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ