Onion Price Update: ୫ ସହରରେ କିଲୋପ୍ରତି ୩୫ଟଙ୍କାରେ ପିଆଜ, ସରକାର ଆରମ୍ଭ କଲେ ‘କାନ୍ଦା ଏକ୍ସପ୍ରେସ’
ନୂଆଦିଲ୍ଲୀ: ପର୍ବପର୍ବାଣୀ ଋତୁ ପୂର୍ବରୁ ଦେଶରେ ବଢ଼ୁଥିବା ପିଆଜ ଦରକୁ ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ବଜାରରେ ପିଆଜ ଯୋଗାଣ ବଢ଼ାଇ ଦର ନିୟନ୍ତ୍ରଣ କରିବା ପାଇଁ ସରକାର ନିଜ ବଫର ଷ୍ଟକ୍ରୁ ପିଆଜ ବାହାର କରି ବିଭିନ୍ନ ସହରକୁ ପଠାଇବା ଆରମ୍ଭ କରିଛନ୍ତି। ଏଥିପାଇଁ ସ୍ୱତନ୍ତ୍ର ରେଳ ର୍ୟାକ୍ ମାଧ୍ୟମରେ ପିଆଜ ପରିବହନ କରାଯାଉଥିବା ବେଳେ ଏହି ଅଭିଯାନକୁ ‘କାନ୍ଦା ଏକ୍ସପ୍ରେସ’ ନାମ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଚୟନ ହୋଇଥିବା ୫ଟି ସହରରେ ଗ୍ରାହକଙ୍କୁ କିଲୋପ୍ରତି ୩୫ ଟଙ୍କା ଦରରେ ପିଆଜ ଯୋଗାଇ ଦିଆଯିବ।
ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ-ଏନ୍ସିଆର, ଚେନ୍ନାଇ, ମଦୁରାଇ, ଏର୍ଣ୍ଣାକୁଲମ୍/କୋଚି ଏବଂ ଗୁଆହାଟୀକୁ ‘କାନ୍ଦା ଏକ୍ସପ୍ରେସ’ ମାଧ୍ୟମରେ ପିଆଜ ପଠାଯାଉଛି। ଉପଭୋକ୍ତା ବ୍ୟାପାର ବିଭାଗ ଅନୁସାରେ, ଏହି ସହରଗୁଡ଼ିକରେ ପିଆଜର ଖୁଚୁରା ଦର ଜାତୀୟ ହାର ତୁଳନାରେ ଅଧିକ ରହିଛି। ଏହି କାରଣରୁ ସରକାରୀ ବଫର ଷ୍ଟକ୍ରୁ ପିଆଜ ଯୋଗାଇ ବଜାରରେ ଦର ଉପରେ ଚାପ କମାଇବାକୁ ଉଦ୍ୟମ କରାଯାଉଛି। ବର୍ତ୍ତମାନ ପଠାଯାଉଥିବା ରେଳ ର୍ୟାକ୍ଗୁଡ଼ିକ ଅଗଷ୍ଟ ୨୬ ସୁଦ୍ଧା ନିର୍ଦ୍ଧାରିତ ବଜାରରେ ପହଞ୍ଚିବା ଆଶା କରାଯାଉଛି।
ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ବଜାରର ଚାହିଦା ଏବଂ ପିଆଜ ଦରର ସ୍ଥିତିକୁ ଦେଖି ପରବର୍ତ୍ତୀ ପର୍ଯ୍ୟାୟରେ ଆହୁରି ସହରକୁ ଏହି ଅଭିଯାନରେ ସାମିଲ କରାଯିବ। ଏହାସହ କୋଲକାତା ଓ ଲକ୍ଷ୍ନୌ ଭଳି ସହରକୁ ମଧ୍ୟ ରିଆୟତି ଦରରେ ପିଆଜ ଯୋଗାଇବା ନେଇ ବିଚାର କରାଯାଇପାରେ। ପର୍ବପର୍ବାଣୀ ସମୟରେ ଘରୋଇ ବଜାରରେ ପିଆଜ ଦର ଯେପରି ଅଧିକ ବଢ଼ି ନଯାଏ, ସେଥିପାଇଁ ଏହି ପଦକ୍ଷେପ ଗ୍ରାହକଙ୍କୁ କିଛିଟା ଆଶ୍ୱସ୍ତ କରିବ ବୋଲି ଆଶା କରାଯାଉଛି।

