Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Sourin Bhatt: ବଢ଼ିଲା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ, ଅଦାଲତ ନିର୍ଦ୍ଦେଶ ଅବମାନନା ପଡ଼ିଲା ମହଙ୍ଗା

ଭୁବନେଶ୍ୱର: ଅଦାଲତଙ୍କ ନିର୍ଦ୍ଦେଶକୁ ବାରମ୍ବାର ଅବମାନନା କରିବା ଅଭିଯୋଗରେ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ବଢ଼ିଛି। ତାଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ହଟାଇ ଦେଇଛନ୍ତି। ଏଥିସହ ନିମ୍ନ ଅଦାଲତରେ ସୌରିନ କିପରି ହାଜର ହେବେ, ସେନେଇ ଆବଶ୍ୟକ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୌରିନଙ୍କ ବିରୋଧରେ ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିବା ଏବଂ ତାଙ୍କଠାରୁ ଲକ୍ଷାଧିକ ଟଙ୍କା ନେଇଥିବା ଭଳି ଗୁରୁତର ଅଭିଯୋଗ ରହିଛି। ଏନେଇ କଟକ ମହିଳା ଥାନାରେ ଏତଲା ଦାୟର ହେବା ପରେ ସୌରିନ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେତେବେଳେ ହାଇକୋର୍ଟ ତାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ। ତେବେ ପରବର୍ତ୍ତୀ ସମୟରେ ସୌରିନ ମହିଳା ଥାନାରେ ହାଜର ହୋଇନଥିବା ଅଭିଯୋଗ ହୋଇଥିଲା। ପୋଲିସ ତାଙ୍କୁ ଖୋଜି ନପାଇବା ପରେ ପୈତୃକ ଘରେ ଲଟକା ଜାରି କରାଯାଇଥିଲା।

ପରେ କ୍ରାଇମବ୍ରାଞ୍ଚ ସହାୟତାରେ ମହିଳା ଥାନା ପୋଲିସ ପକ୍ଷରୁ ତାଙ୍କ ବିରୋଧରେ ରେଡ୍‌ କର୍ଣ୍ଣର ନୋଟିସ ଜାରି କରାଯାଇଥିଲା। ୨୦୨୩ ମସିହାରେ ସୌରିନଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ମଧ୍ୟ ଜାରି ହୋଇଥିଲା। ଏହାକୁ ଚ୍ୟାଲେଞ୍ଜ କରି ସେ ପୁନର୍ବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବାକୁ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗତ ୨୦ ତାରିଖରେ ଆତ୍ମସମର୍ପଣ କରିବାର ଥିଲେ ମଧ୍ୟ ସୌରିନ ତାହା କରିନଥିବାରୁ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ଜାମିନ ବିହୀନ ଗିରଫ ପରୱାନା ଉପରେ ଜାରି ରହିଥିବା ରହିତାଦେଶକୁ ହଟାଇ ଦେଇ ସୌରିନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ