Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Gurugram School Bus: ଜଳବନ୍ଦୀ ହୋଇ ୪ ଘଣ୍ଟା ବସ୍‌ରେ ଫସିଥିଲେ ସ୍କୁଲ ପିଲା, କ୍ରେନ୍‌ ସାହାଯ୍ୟରେ ଉଦ୍ଧାର କରାଗଲା

ନୂଆଦିଲ୍ଲୀ: ଗୁରୁଗ୍ରାମରେ ପ୍ରବଳ ବର୍ଷା ପରେ ଜଳବନ୍ଦୀ ରାସ୍ତାରେ ସ୍କୁଲ ବସ୍‌ଗୁଡ଼ିକ ଫସିଯିବାରୁ ପ୍ରାୟ ୪ ଘଣ୍ଟା ଧରି ଛାତ୍ରଛାତ୍ରୀମାନେ ବସ୍‌ ଭିତରେ ଅଟକି ରହିଥିଲେ। ରାସ୍ତାରେ ଏତେ ପାଣି ଜମିଥିଲା ଯେ ବସ୍‌ର ଚକ ପ୍ରାୟ ସମ୍ପୂର୍ଣ୍ଣ ବୁଡ଼ି ଯାଇଥିଲା। ଏହି ଘଟଣା ପରେ ଅଭିଭାବକମାନଙ୍କ ମଧ୍ୟରେ ଭୟ ଓ ଆତଙ୍କ ସୃଷ୍ଟି ହୋଇଥିଲା। ଶେଷରେ ପ୍ରଶାସନ ପକ୍ଷରୁ କ୍ରେନ୍‌ ସହାୟତାରେ ବସ୍‌କୁ ଆଗକୁ ନିଆଯାଇ ପିଲାମାନଙ୍କୁ ଅନ୍ୟ ଏକ ବସ୍‌କୁ ସ୍ଥାନାନ୍ତର କରି ଉଦ୍ଧାର କରାଯାଇଥିଲା।

ଘଟଣା ସମ୍ପର୍କରେ ଜଣେ ଛାତ୍ରଙ୍କ ବାପା ଅଚ୍ୟୁତ ମୋହନ ଶର୍ମା କହିଛନ୍ତି ଯେ, ସୁଭାଷ ଚୌକ ନିକଟରେ ବସ୍‌ ଖରାପ ହୋଇଯିବା ପରେ ଶିକ୍ଷକମାନେ ହ୍ୱାଟ୍ସଆପ୍‌ ଗ୍ରୁପ୍‌ରେ ଅଭିଭାବକମାନଙ୍କୁ ଜଣାଇଥିଲେ। ଏହାପରେ ଅଭିଭାବକମାନେ ପିଲାଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ହୋଇପଡ଼ିଥିଲେ। ଭୀଷଣ ବର୍ଷା ଓ ରାସ୍ତାରେ ପାଣି ଜମିଥିବାରୁ ସାଧାରଣତଃ ୨୦ ମିନିଟ୍‌ର ରାସ୍ତା ଅତିକ୍ରମ କରିବାକୁ ପ୍ରାୟ ୫୦ ମିନିଟ୍‌ ଲାଗୁଥିଲା। କିଛି ଅଭିଭାବକ ଆଣ୍ଠୁଏ ପାଣିରେ ଚାଲି ବସ୍‌ ନିକଟରେ ପହଞ୍ଚିଥିଲେ।

ବସ୍‌ ଭିତରେ ଅନେକ ପିଲା ଭୟରେ କାନ୍ଦୁଥିବା ବେଳେ କିଛି ପିଲା ଭୋକିଲା ମଧ୍ୟ ରହିଥିଲେ। ବସ୍‌ରେ ଉଭୟ ପୁଅ ଓ ଝିଅ ଥିବାରୁ ଦୀର୍ଘ ସମୟ ଧରି ଶୌଚାଳୟ ସମସ୍ୟା ମଧ୍ୟ ଦେଖାଦେଇଥିଲା। ପାଣିରେ ବୁଡ଼ିଥିବା ରାସ୍ତାରେ ବିଦ୍ୟୁତ୍‌ ଖୁଣ୍ଟ ଓ ଗାତ ଥିବାରୁ ବସ୍‌ରୁ ବାହାରିବା ମଧ୍ୟ ବିପଜ୍ଜନକ ଥିଲା। ତେଣୁ ପିଲାମାନଙ୍କୁ ବସ୍‌ ଭିତରେ ରଖିବାକୁ ହିଁ ଅଭିଭାବକମାନେ ଅଧିକ ସୁରକ୍ଷିତ ବୋଲି ଭାବିଥିଲେ। ଘଟଣା ପରେ ଅଚ୍ୟୁତ ମୋହନ ଶର୍ମା ଗୁରୁଗ୍ରାମର ଡ୍ରେନେଜ୍‌ ଓ ନାଗରିକ ସୁବିଧା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇବା ସହ ଭବିଷ୍ୟତରେ ଏଭଳି ସ୍ଥିତି ଯେପରି ସୃଷ୍ଟି ନହୁଏ, ସେଥିପାଇଁ ପ୍ରଶାସନକୁ ଦୃଢ଼ ପଦକ୍ଷେପ ନେବାକୁ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ